Latest Odisha News

‘ଜୋକ୍’ରେ ପରିଣତ ହୋଇଛି କଂଗ୍ରେସର ହରତାଳ, ବିଜେଡି କଲା ସମାଲୋଚନା

ଭୁବନେଶ୍ବର : କଂଗ୍ରେସର ୬ ଘଣ୍ଟିଆ ହରତାଳକୁ ନେଇ ତୀବ୍ର ସମାଲୋଚନା କରିଛି ବିଜେଡି । କଂଗ୍ରେସର ଏହି ହରତାଳ ଜୋକରେ ପରିଣତ ହୋଇଛି । କୋଭିଡ ମହାମାରୀ ସମୟରେ ବିଜେପି ପ୍ରାୟୋଜିତ କଂଗ୍ରେସର ଏହି ହରତାଳ ରାଜ୍ୟବାସୀଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ।

ମମିତାଙ୍କୁ ନେଇ ରାଜନୀତି ନକରିବାକୁ ପୀଡିତାଙ୍କ ବାପା ହାତ ଯୋଡି ସମସ୍ତଙ୍କୁ ଅନୁରୋଧ କରିଥିଲେ । ରାଜନୈତିକ ଦଳମାନେ ତାଙ୍କ ଘରକୁ ବାରମ୍ବାର ନଯିବାକୁ ବି ଅନୁରୋଧ କରିଥିଲେ । ଏଭଳି ଏକ ସ୍ପର୍ଶକାତର ଘଟଣାରେ ପରିବାର ପ୍ରତି ସମବେଦନା ରହିବା ଆବଶ୍ୟକ । କିନ୍ତୁ ପୀଡିତାଙ୍କ ବାପାଙ୍କ ପ୍ରତି ସମବେଦନ ବଦଳରେ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ । ହରତାଳରେ କଂଗ୍ରେସ କର୍ମୀ ଓ ନେତାମାନେ ମଧ୍ୟ ସାମିଲ ହୋଇନାହାନ୍ତି । ଏଥିରୁ କଂଗ୍ରେସ ଶିକ୍ଷା ଲାଭ ନକରି ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କଲେ ରାଜ୍ୟରେ ତାଙ୍କ ସ୍ଥିତି ଶେଷ ହୋଇଯିବ ବୋଲି କହିଛି ବିଜେଡି ।

ବିଜେପି ଦ୍ବାରା ପ୍ରାୟୋଜିତ ହରତାଳକୁ ପ୍ରତ୍ୟାକ୍ଷାନ କରିଛନ୍ତି ରାଜ୍ୟବାସୀ । ଓଡିଶା କଂଗ୍ରେସ ବିଜେପି ଦ୍ବାରା ପ୍ରାୟୋଜିତ ହୋଇ ହରତାଳ କରିଥିଲେ । ଓଡିଶା ବିଜେପିର ବି ଟିମ ହୋଇଛି ରାଜ୍ୟ କଂଗ୍ରେସ । ଏହି ବିଫଳତା ବିଜେପି ଓ କଂଗ୍ରେସ ପାଇଁ ସ୍ପଷ୍ଟ ସଙ୍କେତ ଦେଇଛି ବୋଲି କହିଛି ବିଜେଡି । ସେହିପରି ରାଜ୍ୟବାସୀ ସଙ୍କେତ ଦେଇଛନ୍ତି ଯେ, ହୀନ ରାଜନୀତିକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ । ରାହୁଲ ଗାନ୍ଧୀ ଦିଲ୍ଲୀରେ କେନ୍ଦ୍ର ବିରୋଧିରେ ଆନ୍ଦୋଳନ କରୁଛନ୍ତି । ଓଡିଶା କଂଗ୍ରେସ କିନ୍ତୁ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗରେ ନିରବ ରହୁଛି । ଆଜିର ବିଫଳତା ଓଡିଶା କଂଗ୍ରେସ ଅପ୍ରାସଙ୍ଗିକ ହୋଇଥିବା ପ୍ରତିପାଦିତ ହେଉଛି । ଏହାସହ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଥିବା ମଧ୍ୟ ପ୍ରମାଣିତ ହୋଇଛି ।

ପ୍ରତ୍ୟେକ ଗୋଷ୍ଠୀ ବିଜେପି ଦ୍ବାରା ଭିନ୍ନ ଭିନ୍ନ ଭାବେ ପ୍ରାୟୋଜିତ ହେଉଛନ୍ତି । କୌଣସି ଗୋଷ୍ଠୀ ପୀଡିତାଙ୍କ ନ୍ୟାୟ ପାଇଁ ଚିନ୍ତା କରୁନାହାନ୍ତି । ଖାଲି ସେତିକି ନୁହେଁ, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି ଅଘୋଷିତ ମେଣ୍ଟ । ଆଗାମୀ ଦିନରେ ରାଜ୍ୟବାସୀ କଂଗ୍ରେସକୁ ଉଚିତ ଜବାବ ଦେବେ କହିଛନ୍ତି ସସ୍ମିତ ପାତ୍ର । ସେହିପରି ଯଦି ବିରୋଧୀଙ୍କ ନିକଟରେ ପ୍ରମାଣ ଅଛି, ତେବେ ସେମାନେ କୋର୍ଟକୁ ଯାଇ ଦାଖଲ କରନ୍ତୁ ବୋଲି କହିଛି ବିଜେଡି ।

Leave A Reply

Your email address will not be published.