ପୋଲିସି ଡିଜିଙ୍କ ଉପରେ ବର୍ଷିଲା କଂଗ୍ରେସ, କାର୍ଯ୍ୟାନୁଷ୍ଠାନ ପାଇଁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି
ଭୁବନେଶ୍ୱର: କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଶୁକ୍ରବାର ଦିନ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ଚିଠି ଲେଖି ଓଡ଼ିଶାର ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ସଂସଦୀୟ ପରମ୍ପରାର ଉଲ୍ଲଂଘନର ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ନିଜର ଏକ୍ସ ପୋଷ୍ଟରେ ସଂପୃକ୍ତ ଚିଠିକୁ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଓଡ଼ିଶା ଡିଜିପି ଓ ଭୁବନେଶ୍ୱର ଡିସିପି ତାଙ୍କୁ ହଇରାଣ କରିବା ସହ ଶାରୀରିକ ଆକ୍ରମଣ କରିଛନ୍ତି, ବଳପୂର୍ବକ ଅଟକାଇଛନ୍ତି ଏବଂ ଭୁବନେଶ୍ୱର ରିଜର୍ଭ ଅଫିସରେ ୩ ଘଣ୍ଟାରୁ ଅଧିକ ସମୟ ଅବୈଧ ଭାବେ ଅଟକ ରଖିଥିଲେ, ଯାହା ତାଙ୍କୁ ସଂସଦୀୟ କାର୍ଯ୍ୟ ସମ୍ପାଦନରେ ବାଧା ସୃଷ୍ଟି କରିଛି।
ଦୁଇ ଥର ନିର୍ବାଚିତ ଏହି ସାଂସଦ ତାଙ୍କ ଚିଠିରେ ଅଭିଯୋଗ କରିଛନ୍ତି ଯେ, ଗତ ମାର୍ଚ୍ଚ ୨୬ ତାରିଖ ସକାଳ ପ୍ରାୟ ୧୦:୩୦ରେ ସେ ରାଜ୍ୟ ବିଧାନସଭା ପରିସରକୁ ପ୍ରବେଶ କରୁଥିବା ବେଳେ ଡିଜିପି ୱାଇ ବି ଖୁରାନିଆ ଓ ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ତାଙ୍କୁ ଅବୈଧ ଭାବେ ଅଟକ ରଖାଯାଇଥିଲା। ଏହି ଘଟଣା ଯୋଗୁଁ ସେ ସେଦିନ ସଂସଦରେ ଉପସ୍ଥିତ ହୋଇ ପାରି ନ ଥିଲେ। ସାଂସଦ ଭାବେ ନିଜର ପରିଚୟ ଦେଇ ବିଧାନସଭା ପରିସରକୁ ପ୍ରବେଶ କରିବାର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଦାବି କରିଥିଲେ ମଧ୍ୟ ତାଙ୍କୁ ହଇରାଣ କରାଯାଇଥିଲା । ଶାରୀରିକ ଆକ୍ରମଣ କରାଯାଇଥିଲା ଏବଂ ୩ ଘଣ୍ଟାରୁ ଅଧିକ ସମୟ ରିଜର୍ଭ ଅଫିସରେ ଅଟକ ରଖାଯାଇଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।
ଉଲାକା କହିଛନ୍ତି ଯେ, ଏହା ସମ୍ବିଧାନର ଅନୁଚ୍ଛେଦ ୧୦୫ ଏବଂ ଲୋକସଭା କାର୍ଯ୍ୟ ପରିଚାଳନା ନିୟମାବଳୀର ନିୟମ ୨୨୨ ଅନୁସାରେ ସଂସଦୀୟ ସୁବିଧାର ଗୁରୁତର ଉଲ୍ଲଂଘନ। ଜଣେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟ ସମ୍ପାଦନରେ ବାଧା ସୃଷ୍ଟି କରିବା ସହ ଏହା ସଂସଦର ମର୍ଯ୍ୟାଦାକୁ ଚ୍ୟାଲେଞ୍ଜ କରୁଛି। ସେ ଲୋକସଭା ଅଧ୍ୟକ୍ଷଙ୍କୁ ଏହି ମାମଲାକୁ କମିଟିକୁ ପଠାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୬ରେ କଂଗ୍ରେସ ବିଧାୟକଙ୍କ ନିଲମ୍ବନ ବିରୋଧରେ ଆୟୋଜିତ ଏକ ବିକ୍ଷୋଭ ସମୟରେ ଉଲାକା ବିଧାନସଭାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ କଂଗ୍ରେସ କର୍ମୀମାନେ ମହାତ୍ମା ଗାନ୍ଧୀ ମାର୍ଗରେ ଲାଗିଥିବା ନିଷେଧାଜ୍ଞାକୁ ଉଲ୍ଲଂଘନ କରି ବିଧାନସଭାର ୩ ନମ୍ବର ଗେଟ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଏହା ପରେ ପୋଲିସ ସହ ତାଙ୍କର ୪୫ ମିନିଟର ସଂଘର୍ଷ ହୋଇଥିଲା।
ପରଦିନ ଅର୍ଥାତ୍ ମାର୍ଚ୍ଚ ୨୭ରେ ଉଲାକା ଦିଲ୍ଲୀରେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟି ବିଧାନସଭା ଘେରାଓ କାର୍ଯ୍ୟକ୍ରମ ସମୟରେ ବିକ୍ଷୋଭକାରୀ କଂଗ୍ରେସ କର୍ମୀଙ୍କ ଉପରେ ପୋଲିସର ଅତ୍ୟାଚାର ବିଷୟରେ ଅବଗତ କରାଇଥିଲେ।
Comments are closed.