Latest Odisha News

BREAKING NEWS

ନାରୀ ନିର୍ଯ୍ୟାତନା ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭୁବନେଶ୍ୱର: ଓଡ଼ିଶାର ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ବିଶ୍ଵଜିତ ଦାସଙ୍କ ନେତୃତ୍ୱରେ ଏହା ଆୟୋଜିତ ହୋଇଛି ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଶ୍ରୀ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ରାମମନ୍ଦିର ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା କରିଥିଲେ । ରାମ ମନ୍ଦିର ଛକ ଅବରୋଧ କରି ସେଠାରେ ଧାରଣା ମଧ୍ୟ ଦିଆଯାଇଥିଲା ।

ଏହି ପ୍ରସଙ୍ଗରେ ଶ୍ରୀ ଦାସ କହିଛନ୍ତି ଯେ, ବିଜେପି ଦଳ କ୍ଷମତାସୀନ ହେବା ପୂର୍ବରୁ ଓଡ଼ିଶାର ମହିଳାଙ୍କୁ ସୁରକ୍ଷା ଦେବା ସହ ମହିଳା ନିର୍ଯ୍ୟାତନା ନିୟନ୍ତ୍ରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଆଜି ଓଡ଼ିଶାର ମହିଳା ନିର୍ଯ୍ୟାତିତା, ଅତ୍ୟାଚାରିତା, ଅବହେଳିତା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟାର ଶିକାର । ସ୍କୁଲ, କଲେଜ, ୟୁନିଭରସିଟିର ପରିସରରେ ମହିଳାମାନେ ସୁରକ୍ଷିତ ନାହାନ୍ତି । ବିଶେଷ କରି ମହିଳା ହଷ୍ଟେଲ ଓ କନ୍ୟାଶ୍ରମରେ ଛାତ୍ରୀମାନେ ଗର୍ଭବତୀ ହୋଇପଡୁଛନ୍ତି ଓ ପିଲା ଜନ୍ମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଜ ଜିଲ୍ଲାରେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଭୁବନେଶ୍ଵରରେ ମହିଳାମାନେ ଅସୁରକ୍ଷିତ। ପୋଲସ ପ୍ରଶାସନ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । ୬୪,୮୨୩ ମହିଳା ନିଖୋଜ ହୋଇଥିବାବେଳେ ବିଜେପି ସରକାର ଚୁପ୍ ହୋଇ ବସିଛି । ବିଧାନସଭା ଭିତରେ ଓ ବାହାରେ କଂଗ୍ରେସ ବିଧାୟକ ତଥା କଂଗ୍ରେସ ନେତୃବର୍ଗ ମହିଳାମାନଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ କରିବାରୁ ପୋଲିସ ଅତ୍ୟାଚରରେ ଶିକାର ହୋଇଛନ୍ତି ବୋଲି ସେ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ।

ଗତ ମାର୍ଚ୍ଚ ୨୭ ତାରିଖରେ ପିସିସି ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ ମହିଳାମାନଙ୍କ ସୁରକ୍ଷା ପାଇଁ ଯେଉଁ ନାରୀ ନ୍ୟାୟ ଆନ୍ଦୋଳନ ହୋଇଥିଲା ସେହି ଆନ୍ଦୋଳନକାରୀଙ୍କୁ ପୋଲିସ୍ ଲାଠିଚାର୍ଜ ଓ ପାଣି ମାଡ କରି ଲହୁ ଲୁହାଣ କରିଛି । ଏବେ ୫ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ ସଂଗ୍ରାମଙ୍କ ଉପରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଇଛି । ଆନ୍ଦୋଳନକାରୀଙ୍କୁ ପୋଲିସ୍ ଗିରଫ କରୁଛି । ରାଜ୍ୟ ବିଜେପି ସରକାର କଂଗ୍ରେସର ଶାଣିତ ସ୍ୱରକୁ ଚାପି ପାରିବ ନାହିଁ । ଆଗକୁ ଆନ୍ଦୋଳନ ତିବ୍ରତର ହେବ ବୋଲି ଶ୍ରୀ ଦାସ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନିପତି ଯୋଗଦେଇ କହିଲେ ଯେ, ସାରା ରାଜ୍ୟରେ ମହିଳାମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ରାଜ୍ୟରେ ଦୁଃଶାସନ ଓ ରାବଣର ଶାସନ ଚାଲିଛି । ଗ୍ୟାସ ଦର କମାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଏବେ ଗ୍ୟାସ ଦର ୫୦ ଟଙ୍କା ବୃଦ୍ଧି କରିଛି ।

Comments are closed.