Latest Odisha News

BREAKING NEWS

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ‘ସତ୍ୟର ବିଜୟ’ ବୋଲି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବା ସହ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏଥିସହ ରଦ୍ଦ ହୋଇଥିବା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ମିଳିଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଥମ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ କହିଛନ୍ତି, ‘ସତ୍ୟର ବିଜୟ ସବୁ ବେଳେ ହୁଏ ।’

ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀ କହିଛନ୍ତି, ‘ଆଜି ନ ହେଲେ କାଲି, କାଲି ନ ହେଲେ ପରଦିନ ସତ୍ୟର ସବୁବେଳେ ବିଜୟ ହୁଏ । ମୋତେ କଣ କରିବା ଦରକାର, ମୋର କାମ କଣ ? ମୋ ମୁଣ୍ଡରେ ସବୁକିଛି ଅଛି । ଯେଉଁମାନେ ଆମକୁ ସାହାଯ୍ୟ କରିଛନ୍ତି, ଲୋକେ ଯେଉଁ ଭଲ ପାଇବା ଓ ସମର୍ଥନ ଦେଇଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।’

ଆୟୋଜିତ ସାମ୍ବାଦିକ ସମ୍ମିଳନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ କେସି ବେଣୁଗୋପାଳ, ଜୟରାମ ରମେଶ ଉପସ୍ଥିତ ଥିଲେ । ପ୍ରେସମିଟରେ ଖଡ଼ଗେ ଅନେକ ଟିପ୍ପଣୀ କରିଥିବା ବେଳେ ରାହୁଲ ଗାନ୍ଧୀ ବେଶ୍ ନମ୍ରତାର ସହ ମତ ରଖିଥିଲେ ।

ମଲ୍ଲିକାର୍ଜୁନ ଖଡ଼ଗେ ଆଜିର ଦିନକୁ ଖୁସିର ଦିନ କହିବା ସହ ଗଣତନ୍ତ୍ରର ବିଜୟ ହୋଇଥିବା କହିଛନ୍ତି । ସେ ଆହୁରି କହିଛନ୍ତି, ଏହା କେବଳ ରାହୁଲ ଗାନ୍ଧୀଙ୍କ ବିଜୟ ନୁହେଁ । ଏ ବିଜୟ ହେଉଛି ସାଧାରଣ ଲୋକଙ୍କର । ଗଣତନ୍ତ୍ର ଓ ଜନତାଙ୍କ ବିଜୟ ହୋଇଛି ।

୨୦୧୯ ଏପ୍ରିଲ୍ ୧୩ରେ କର୍ଣ୍ଣାଟକର କୋଲାରରେ ରାହୁଲ ଗାନ୍ଧୀ ନିର୍ବାଚନ ରାଲି ବେଳେ କହିଥିଲେ, ‘ସମସ୍ତ ଚୋରଙ୍କ ସାଙ୍ଗିଆ କେମିତି ମୋଦି ହୋଇପାରେ ?’ ଯାହାକୁ ନେଇ ଗୁଜରାଟ ସରକାରର ପୂର୍ବତନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦି ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ ।

ଉକ୍ତ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀ କରିଥିବା ଆବେଦନର ଆଜି ଶୁଣାଣି ହୋଇଥିଲା ।

Comments are closed.