ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ବିଧାୟକଙ୍କ ଧାରଣା। ଗତକାଲି ରାତିରୁ ରାସ୍ତା ଉପରେ ଶୋଇ ଧାରଣା ଦେଇଛନ୍ତି। ବିଧାନସଭାରେ ବିରୋଧ କରାଯାଉଥିବାବେଳେ ପୋଲିସ ଜୋର ଜବରଦସ୍ତି ବିଧାୟକଙ୍କୁ ବିଧାନସଭାରୁ ବାହାର କରିଦେଇଛନ୍ତି ବୋଲି କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି।
ବିଧାନସଭାରୁ କଂଗ୍ରେସ ବିଧାୟକଙ୍କୁ ବାହାରକୁ ଅଣାଗଲା ଓ ବସ୍ ଯୋଗେ କଂଗ୍ରେସ ଭବନରେ ଛାଡିଲେ ବିଧାନସଭା ସୁରକ୍ଷାକର୍ମୀ। ଏହାକୁ ପ୍ରତିବାଦ କରି ମାଷ୍ଟରକ୍ୟାଣ୍ଟିନ ଛକରେ ରାଜରାସ୍ତାରେ ବସିଛନ୍ତି କଂଗ୍ରେସ ବିଧାୟକ। ବିଧାୟକଙ୍କ ସହ ଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ। ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନକୁ ପ୍ରତିବାଦ କରି ଧାରଣାରେ ବସିଛନ୍ତି କଂଗ୍ରେସ ନେତା।
ଗତକାଲି ଓଡିଶା ବିଧାନସଭାରୁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି। ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ମୋଟ ୧୪ ବିଧାୟକ ମଧ୍ୟରୁ ୧୨ ଜଣ ନିଲମ୍ବିତ ହୋଇଛନ୍ତି। ତେବେ ଉକ୍ତ ବିଧାୟକଙ୍କ ନିଲମ୍ବନ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିବା ବେଳେ ୭ଟି କାର୍ଯ୍ୟଦିବସ ପାଇଁ ନିଲମ୍ବିତ ହୋଇଛନ୍ତି ୧୨ କଂଗ୍ରେସ ବିଧାୟକ।
ବିଧାନସଭାକୁ କଂଗ୍ରେସ ମୋଟ ୧୪ ବିଧାୟକ ନିର୍ବାଚିତ ହୋଇ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସସପେଣ୍ଡ କରାଯାଇଛି। ଜୟପୁର ବିଧାୟକ ତାରା ବାହିନୀ ପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଛାଡି ସମସ୍ତ ସଦସ୍ୟ ନିଲମ୍ବିତ ହୋଇଥିବା ସୂଚନା ରହିଛି। ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ, ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲା ସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ରହିଛନ୍ତି।
ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଅଚଳ ପଡିଛି ଗୃହ। କେତେବେଳେ ମିନିଟ ଟିଏ ତ ଆଉ କେତେବେଳେ ଘଣ୍ଟାଏ ପାଇଁ ଚାଲି ମୁଲତବୀ ହେଉଛି ବିଧାନସଭା। ଶେଷ ଥର ପାଇଁ ଗତ ୧୮ ତାରିଖରେ ସୁରୁଖୁରୁରେ ଚାଲିଥିଲା ଗୃହ। ଏହା ପରେ ଯେବେ ଯେବେ ଗୃହ କାର୍ଯ୍ୟକ୍ରମ ରହିଛି, ସେତେବେଳେ ବିରୋଧୀ ବିଜେଡି ଏବଂ କଂଗ୍ରେସଙ୍କ ପ୍ରତିବାଦରେ କମ୍ପିଛି ଗୃହ। ଯେଉଁଥିରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରନ୍ତି ।