ଭୁବନେଶ୍ବର: ‘ଚାଲିଛି ଗୃହ । ଆଗରେ ବସିଛନ୍ତି ବାଚସ୍ପତି । ଜଣେ ଜଣେ କରି ପ୍ରଶ୍ନକର୍ତ୍ତାଙ୍କ ନାଁ ନେଇ ନିଜ ପ୍ରଶ୍ନ ରଖିବାକୁ ଅନୁରୋଧ କରୁଛନ୍ତି ବାଚସ୍ପତି । ଏହାରି ଭିତରେ ମୁଁ କହିବି, ମୁଁ କହିବି ନେଇ ନିଜ ମର୍ଯ୍ୟାଦା ଭୁଲିଗଲେ କଂଗ୍ରେସ ବିଧାୟକ । ଆଉ ତା ପରେ ପରସ୍ପର ମଧ୍ୟରେ ହିଁ ଲଢିବାକୁ ଆରମ୍ଭ କଲେ ।’
ପ୍ରକୃତରେ ଯେତେବେଳେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗୋଙ୍କୁ ପ୍ରଶ୍ନକାଳରେ ବାଚସ୍ପତି ପ୍ରଶ୍ନ କରିବା ପାଇଁ କହିଥିଲେ, ସେଥିରେ ସଙ୍ଗେ ସଙ୍ଗେ ହସ୍ତକ୍ଷେପ କରିଥିଲେ କଂଗ୍ରେସ ମୁଖ୍ୟ ସଚେତକ ସି.ଏସ ରାଜନ ଏକ୍କା । ବିଧାୟକ ଗମାଙ୍ଗୋ ଉଠିବା ବେଳେ ତାଙ୍କୁ ଟୋକି ମୁଖ୍ୟ କହିବି ବୋଲି ଯୁକ୍ତି ବାଢିଥିଲେ । ଏହା ପରେ ଗମାଙ୍ଗୋ, ମୁଁ କହିବି, ଆପଣ ସବୁବେଳେ କହୁଛନ୍ତି । ମୁଖ୍ୟ ସଚେତକ ହିସାବରେ ଆପଣ ସବୁବେଳେ ସୁଯୋଗ ପାଉଛନ୍ତି । ମୋତେ କହିବାକୁ ସୁଯୋଗ ଦିଅନ୍ତୁ ବୋଲି ଦାବି କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା, ତା ପୁଣି ବିଧାନସଭା ଭିତରେ । ପରେ ବିଧାୟକ ତାରାବାହିନୀ ପତିଙ୍କ ସମେତ ଅନ୍ୟ ବିଧାୟକମାନେ ବୁଝାସୁଝା କରିବାରୁ ଚୁପ୍ ହୋଇଥିଲେ । ଆଉ ପରେ ରାଜନ ଏକ୍କା ଗମାଙ୍ଗୋଙ୍କ ସହ କରମର୍ଦ୍ଦନ କରି ମାମଲାକୁ ଥଣ୍ଡା କରିଥିଲେ ।
ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଗମାଙ୍ଗୋ କହିଛନ୍ତି, ରାଜନ ମୋତେ ଅସଭ୍ୟ ଭାଷାରେ ଗାଳି ଦେଇଛନ୍ତି। ଜଣେ ଉଚ୍ଚଶିଖିତ ହୋଇ ଖରାପ ଭାଷା କହିବା କ‘ଣ ଉଚିତ୍ ? ଏହା କେବଳ ମୋତେ ନୁହେଁ ଦଳକୁ ମଧ୍ୟ ଠେସ୍ ପହଞ୍ଛାଇଛି। ମୁଁ ଏହାକୁ ନେଇ ଦୁକ୍ଃଖିତ । କଂଗ୍ରେସ ବିଧାୟକ ଦଳ ନେତା ଏନେଇ କି ନିଷ୍ପତ୍ତି ନେଉଛନ୍ତି ମୁଁ ଅପେକ୍ଷା କରିଛି ।
ଅନ୍ୟପଟରେ ଏହାକୁ ଦୃଢ ନିନ୍ଦା କରିଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ତାରାବାହିନୀ ପତି । ଦଳରେ ଆଉ ଶୃଙ୍ଖଳା ନାହିଁ ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି । ଦଳର ବରିଷ୍ଠ ବିଧାୟକମାନେ ଏମିତି ହେଉଛନ୍ତି, ମୁଁ ସେଥିରେ କ’ଣ କହିବି ବୋଲି କହି ଚାଲିଆସିଲି ବୋଲି ସେ କହିଛନ୍ତି ।
Comments are closed.