Latest Odisha News

ମଉକା ‘ହାତ’ରୁ ଖସିଲା

ଭୁବନେଶ୍ବର: ରାଜ୍ୟରେ ଏଥର ଦୁଇ ଅଙ୍କ ଛୁଇଁଛି କଂଗ୍ରେସ । ୯ରୁ ୧୪ ଆସନରେ ପହଞ୍ଚିଛି କଂଗ୍ରେସର ସଂଖ୍ୟା। ଅନ୍ତକନ୍ଦଳ, ଟିକେଟ୍ ଅସନ୍ତୋଷ ସାଙ୍ଗକୁ ହେଭିଓ୍ବେଟ୍ ନେତା ଦଳ ଛାଡିବାକୁ ନେଇ ନିର୍ବାଚନ ପୂର୍ବରୁ ହିଁ ରାଜ୍ୟ କଂଗ୍ରେସ ଦୁର୍ବଳ ହୋଇଥିବା କୁହାଯାଉଥିଲା । ୯ରୁ ୯୦ ଆସନରେ ବିଜୟ ହାସଲ କରିବାକୁ ନାରା ଦେଉଥିଲେ ବି ୯ସିଟ୍ ଜିତିବା ନେଇ ବି ଆଶଙ୍କା ରହିଥିଲା। ଏକଜିଟ୍ ପୋଲରେ ସମାନ ସନ୍ଦେଶ ରହିଥିଲା। ହେଲେ ଆଶାଠୁ ଅଧିକ ପ୍ରଦର୍ଶନ କରିଛି ଦଳ । ୧୪ଟି ସିଟ ଜିତିବା ପରେ ଦଳକୁ କିଛିଟା ଆଶ୍ବସ୍ତି ଆସିଛି । ତେବେ ଏଥର ଆହୁରି ଭଲ କରିପାରିଥାନ୍ତା କଂଗ୍ରେସ । ପ୍ରଥମେ ବିଜେଡି, ବିଜେପି ମେଣ୍ଟ ଚର୍ଚ୍ଚା ଓ ପରେ ବିଜେଡିକୁ ନେଇ ବଢୁଥିବା ଜନ ଅସନ୍ତୋଷର ଫାଇଦା ନେଇପାରିଥାନ୍ତା ଦଳ । ଯେଉଁଥିଲେ କଂଗ୍ରେସ ଫେଲ୍ ମାରିଛି ।

କଂଗ୍ରେସର ପ୍ରସଙ୍ଗ ହାଇଜାକ୍ !

ଓଡିଆ ଅସ୍ମିତାକୁ ନିର୍ବାଚନୀ ପ୍ରସଙ୍ଗ କରି ରାଜ୍ୟରେ କ୍ଷମତାକୁ ଆସିଲା ବିଜେପି । ତେବେ ବିଜେପିର ବହୁ ଆଗରୁ ଏହି ପ୍ରସଙ୍ଗ ଉଠାଇଥିଲା କଂଗ୍ରେସ । କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଓଡିଆ ବନାମ ଅଣଓଡିଆ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଓଡିଶାରେ ଅଣଓଡିଆ ଠିକାଦାରଙ୍କୁ କାମ ଦିଆଯାଉଥିବା ବେଳେ ଓଡିଆ ଠିକାଦାର କାମ ପାଉନଥିବା କହିଥିଲେ । ହେଲେ ବିଜୟ ପଟ୍ଟନାୟକ ଉଠାଇଥିବା ଏହି ପ୍ରସଙ୍ଗକୁ ଧରି ରଖିପାରିଲାନି କଂଗ୍ରେସ । ଯେବେକି ସମାନ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ନିର୍ବାଚନ ଜିତିଗଲା ବିଜେପି ।

ହଜିଗଲା ବିଜେଡି-ବିଜେପି ସଂପର୍କ ପ୍ରସଙ୍ଗ

ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମେଣ୍ଟ ନେଇ ସରଗରମ ହୋଇଥିଲା ଚର୍ଚ୍ଚା। ପରେ ଯଦିଓ ମେଣ୍ଟ ହୋଇପାରିନଥିଲା, ହେଲେ ଉଭୟ ଦଳ ମଧ୍ୟରେ ଭିତିରି ବୁଝାମଣାକୁ ପ୍ରସଙ୍ଗ କରିଥିଲା କଂଗ୍ରେସ । ବିଜେଡି ଓ ବିଜେପି ବାହାଘର କରାଇ ପ୍ରତିବାଦ କରିଥିଲା ଦଳ । ହେଲେ ଓଡିଆ ଅସ୍ମିତା ଭଳି ଏହି ପ୍ରସଙ୍ଗ ବି ଦିନ କେଇଟାରେ ଥଣ୍ଡା ପଡିଗଲା । ପ୍ରସଙ୍ଗକୁ ଲୋକଙ୍କ ପାଖରେ ଠିକରେ ପହଞ୍ଚାଇ ପାରିଲାନି କଂଗ୍ରେସ। ବିଜେଡି, ବିଜେପି ପ୍ରଚାର ମଇଦାନରେ ମୁହାଁମୁହିଁ ହୋଇ ଭିତିରି ବୁଝାମଣା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲଗାଇଦେଲେ ।

ଜନଅସନ୍ତୋଷରୁ ନେଇପାରିଲାନି ଫାଇଦା

ବିଜେଡି ସରକାର ବିରୋଧରେ ଏଥର ଜବରଦସ୍ତ ଜନଅସନ୍ତୋଷ ରହିଥିଲା। ଓଡିଆ ଅସ୍ମିତା ସାଙ୍ଗକୁ ରତ୍ନଭଣ୍ଡାର, ଚିଟଫଣ୍ଡ ଭଳି ପ୍ରସଙ୍ଗ ଉଠାଇ ଏଥିରୁ ଭଲ ଫାଇଦା ନେଲା ବିଜେପି । ହେଲେ କେବଳ ଚାହିଁ ରହିଲା କଂଗ୍ରେସ। ଓଡିଆ ଲୋକଙ୍କ ସମସ୍ୟାକୁ ଅସ୍ତ୍ର କରି ନିଜ ସପକ୍ଷରେ ରାଜନୈତିକ ସମୀକରଣ କଷିବାରେ କେଉଁଠି ନା କେଉଁଠି ବିଫଳ ହେଲା କଂଗ୍ରେସ । ଜନତାଙ୍କ ପାଖରେ ପହଞ୍ଚି ପାରିଲାନି କଂଗ୍ରେସର ନିର୍ବାଚନୀ ପ୍ରସଙ୍ଗ, ଫଳରେ ଭଲ ପ୍ରଦର୍ଶନର ବଡ଼ ସୁଯୋଗ ହରାଇଛି ଦଳ ।

ଦେଶରେ ହିଟ୍ ଓଡିଶାରେ ଫ୍ଲପ୍

ଦେଶରେ ଏଥର ପୁଣି ମୋଦି ସରକାର ହୋଇଥିଲେ ବି ଇଣ୍ଡିଆ ମେଣ୍ଟର ପ୍ରଦର୍ଶନର ଚର୍ଚ୍ଚା ସବୁଠି । କଂଗ୍ରେସର ନ୍ୟାୟ ପତ୍ର ଉପରେ ଭରସା ଦେଖାଇଛନ୍ତି ଜନତା । ଦେଶର ବିଭିନ୍ନ ରାଜ୍ୟରେ ବିଜେପିକୁ ପାଣି ପିଆଇଛି କଂଗ୍ରେସ । ହେଲେ ଓଡିଶାରେ ସେଭଳି ପ୍ରଦର୍ଶନ କରିପାରିନି ଦଳ । କଂଗ୍ରେସ ଘୋଷଣାପତ୍ରରେ ଥିବା ୨୫ଟି ପ୍ରତିଶ୍ରୁତିକୁ ଓଡିଶା ଭୋଟରଙ୍କ ପାଖରେ ଠିକରେ ପହଞ୍ଚାଇ ପାରିଲେନି ଦଳର ନେତା । ନିଯୁକ୍ତିରୁ ଗରିବ ମହିଳାଙ୍କ ପାଇଁ ଥିବା ବ୍ୟବସ୍ଥା ସଂପର୍କରେ ଭଲରେ ପ୍ରଚାର ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ତାର ସିଧାସଳଖ ଫାଇଦା ପାଇପାରିଥାନ୍ତେ ।

କଂଗ୍ରେସକୁ କାଳ କନ୍ଦଳ

ନିର୍ବାଚନ ବେଳେ ହାତ ଛାଡିଲେ ଅନେକ ହେଭିଓ୍ବେଟ୍ ନେତା । ଅଧିରାଜ ପାଣିଗ୍ରାହୀ ହୁଅନ୍ତୁ କି ଚିରଞ୍ଜୀବ ବିଶ୍ବାଳ ଓ ଗଣେଶ୍ବର ବେହେରା, କଂଗ୍ରେସ ସହ ସଂପର୍କ ତୁଟାଇଲେ ଅନେକ ନେତା । ତେବେ ଦଳ ପକ୍ଷରୁ ସେମାନଙ୍କୁ ବୁଝାଇ ରଖାଗଲାନି । ବରିଷ୍ଠ ନେତା ସୁର ରାଉତରାୟ ପୁଅ ପାଇଁ ପ୍ରଚାର କଲେ, ତ ଜଟଣୀରେ କ୍ଷତି ସହିଲା କଂଗ୍ରେସ । ପାରାଦୀପରେ ବାପି ସର୍ଖେଲଙ୍କ ସମର୍ଥନ ବି ଶଙ୍ଖ ଶିବିରକୁ ରହିଲା । ଅଂଶୁମାନ ମହାନ୍ତି, ସୁରେନ୍ଦ୍ର ସିଂ ଭୋଇ ବିଜେଡିକୁ ଯିବା ପରେ କଂଗ୍ରେସର ସଂଗଠନ ପ୍ରଭାବିତ ହେଲା । ତେଣୁ ନିର୍ବାଚନ ଯୁଦ୍ଧ ଲଢିବା ଆଗରୁ କଂଗ୍ରେସ ନେତାଙ୍କୁ ଏକଜୁଟ୍ କରିବାରେ ଦଳୀୟ ନେତୃତ୍ବ ଫେଲ୍ ମାରିଲେ ।

ଗତଥର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସ ଏଥର ନିର୍ବାଚନରେ କିଛିଟା ସଂଖ୍ୟା ବଢାଇଛି । ବିଜେଡି ଗୋଟିଏ ବି ଲୋକସଭା ସିଟ୍ ଜିତିନଥିବା ବେଳେ କୋରାପୁଟ ହାତରେ ରଖିଛି କଂଗ୍ରେସ । ଏହାସହ ୧୪ ବିଧାନସଭା ସିଟ୍ ବି ଜିତିଛି । ତେବେ ବାରମ୍ବାର ଟିକେଟ୍ ପରିବର୍ତ୍ତନ, ପ୍ରଚାର ପାଇଁ ପାଣ୍ଠିର ଅଭାବ, ପ୍ରସଙ୍ଗରେ ଫୋକସ୍ ନରହିବାରୁ ରାଜ୍ୟରେ ବଡ଼ ସୁଯୋଗ ହରାଇଛି କଂଗ୍ରେସ ।

Comments are closed.