Latest Odisha News

ନିଆରା ଢଙ୍ଗରେ ଚା’ ପିଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ନିଆରା ଉପାୟରେ ଚା ଖଟିରେ ପ୍ରତିବାଦ କରିଛି କଂଗ୍ରେସ। ବିଧାନସଭାରୁ ନିଲମ୍ବିତ ହୋଇଥିବା କିଛି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା ଗତକାଲି ସଂଧ୍ୟାରେ ସ୍ବତନ୍ତ୍ର ଟି-ସାର୍ଟ ପିନ୍ଧି ଚା ପିଇ ପ୍ରତିବାଦ କରିଛନ୍ତି। ଅଗଣତାନ୍ତ୍ରିକ ଭାବେ ବାଚସ୍ପତି ନିଲମ୍ବିତ କଂଗ୍ରେସ ବିଧାୟକ ମାନେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ଗଞ୍ଜି ପରିଧାନ କରି ମେ ଫେୟାର ହୋଟେଲ ସମ୍ମୁଖରେ ଥିବା ଚା ଦୋକାନରେ ଚା ପି ସମୟ ଅତିବାହିତ କରିଛନ୍ତି।

ତେବେ ଏହି ଗଞ୍ଜିର ସାମ୍ନା ପଟେ ଲେଖାଯାଇଥିଲା କ୍ରାଇମ କ୍ୱଶ୍ଚିନ ଅନ୍ ଓମେନ ସେପ୍ଟି ଇନ୍ ଓଡିଶା। ଗଞ୍ଜି ପଛପଟେ କେତେ ମାସରେ କେତେ ଗଣଦୁଷ୍କର୍ମ ହୋଇଛି ଏବଂ ୫ ବର୍ଷରେ କେତେ ମହିଳା ଏବଂ ଶିଶୁ ନିଖୋଜ ହୋଇଛନ୍ତି ତାହା ଉଲ୍ଲେଖ ରହିଛି। ଅନ୍ୟପଟେ ମାଆ ଓ ଝିଅମାନଙ୍କର ସୁରକ୍ଷା ପାଇଁ ଆମେ ଦାବି କରୁଛୁ ବୋଲି କହିଛି କଂଗ୍ରେସ। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଛି। ସ୍କୁଲରେ ଝିଅମାନେ ପ୍ରସବ କଲେଣି, ଏହା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି।

ରାଜ୍ୟରେ ୫ ବର୍ଷରେ ୬୪ ହଜାର ଚାରିଶହ ଷାଠିଏ ଜଣ ମହିଳା ଓ ଶିଶୁ ନିଖୋଜ, ୮ ମାସରେ ୫୪ ଟି ଗଣଦୁଷ୍କର୍ମ ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି ସରକାର କିନ୍ତୁ ନିଦାବିଷ୍ଣୁ ସାଜିଛି। ଗୃହ କମିଟି ଗଠନ ପାଇଁ ଦାବି କରିବାରୁ କଂଗ୍ରେସ ବିଧାୟକମାନଙ୍କୁ ନିଲମ୍ବିତ କରିଛନ୍ତି ସରକାର। ତେଣୁ ଆମେ ଏକଛତ୍ରବାଦ ସରକାରଙ୍କ ବିରୋଧରେ ଜନ ସଚେତନା ସୃଷ୍ଟି କରୁଛୁ ବୋଲି କହିଛନ୍ତି କଂଗ୍ରେସ ନେତା। ସରକାରଙ୍କ ଦୋମୁହଁ ନୀତିକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତିବାଦ ଚାଲିଛି ଚାଲିବ। ବିଧାନସଭା ଘେରାଉରେ ଓଡ଼ିଶାର ହଜାର ହଜାର ମହିଳା ସାମିଲ ହେବାକୁ କଂଗ୍ରେସ ଆହ୍ବାନ ଦେଇଛି।

 

Comments are closed.