Latest Odisha News

BREAKING NEWS

ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଚ୍ୟାଲେଞ୍ଜ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଯେଉଁ 30 ହଜାର କଂଗ୍ରେସର ଭୋଟ୍ ବ୍ୟାଙ୍କ ଥିଲା ତାହା ଏବେ ଖସିଆସି 3 ହଜାର ହୋଇଛି। ଏପରି ଭୋଟ୍ ବ୍ୟାଙ୍କ କମିବା ପଛରେ ବିଜେଡି ଓ କଂଗ୍ରେସର ଡିଲ୍ ବୋଲି କହି ଆସୁଛି ବିଜେପି। ଯାହାକୁ ପୂର୍ବରୁ ସମର୍ଥନ କରିଥିଲେ କଂଗ୍ରେସର ଜଟଣି ବିଧାୟକ ସୁରେଶ ରାଉତରାୟ। ଦଳର ସମୀକ୍ଷା ବୈଠକ ଚାଲିଥିବା ବେଳେ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି, ଯେଉଁ ଦଳୀୟ କର୍ମୀ ଡିଲ୍ କଥା ଉଠାଇଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାପରେ କଂଗ୍ରେସର ଫାୟାର ବ୍ରାଣ୍ଡ ନେତା ସୁର ରାଉତରାୟ ଚେଲ୍ଲା କୁମାରଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଆଉ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆହ୍ବାନ କରିଛନ୍ତି।

ସେ କହିଛନ୍ତି, ପଦ୍ମପୁର ଉପନିର୍ବାଚନ ବେଳେ ଡିଲ୍ ହୋଇଛି। କେଇ ମାତ୍ର ହଜାର ଟଙ୍କାରେ କଂଗ୍ରେସ ଭୋଟ୍ ବିକ୍ରି ହୋଇଛି। ଏଥିପାଇଁ ଦଳରେ ରହି ଦଳ ବିରୋଧୀଙ୍କୁ ଚିହ୍ନଟ କରିବା ଦରକାର। ଏପରି ନେତା ରହିଲେ ଦଳ ବଦନାମ ହୋଇଯିବ। ସେ ନିଜେ ଏବଂ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା ପ୍ରଚାର ପାଇଁ ଯାଇଥିଲେ। ସମସ୍ତେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବହୁ ପରିଶ୍ରମ କରିଛନ୍ତି। ଏବେ ପ୍ରଭାରୀ କହିବା ଦରକାର ଭୋଟ୍ କୁଆଡେ ଗଲା ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ଦଳରେ ଥାଇ କଂଗ୍ରେସ ବିରୋଧରେ ମନ୍ତବ୍ୟ ଦେଉଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ଉଲ୍ଲେଖଯୋଗ୍ୟ, ପଞ୍ଚାୟତ ନିର୍ବାଚନ ହେଉ ଅବା ଧାମନଗର, ବିଜେପୁର ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ଆତ୍ମସମୀକ୍ଷା ହେବ ବୋଲି ଦଳ କହିଛି। ହେଲେ ଆତ୍ମସମୀକ୍ଷା କେତେ ହୋଇଛି କଣ ନିଷ୍କର୍ସ ହୋଇଛି ସେ ନେଇ ଦଳର ନେତା ମଧ୍ୟ ଜାଣିନଥିବା ସୂଚନା ରହିଛି।

 

Leave A Reply

Your email address will not be published.