Latest Odisha News

BREAKING NEWS

ପାଣ୍ଡିଆନ୍ ଆଉଥରେ କୋରାପୁଟ ଯାଆନ୍ତୁ ବୋଲି ତାରା ବାହିନୀପତି ଚାହାଁନ୍ତି; କାହିଁକି ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘୫-ଟି’ ଅନୁଯାୟୀ ଶାସନ ପରିଚାଳନା ବ୍ୟବସ୍ଥାକୁ ଜାତୀୟସ୍ତରରେ ପ୍ରଶଂସା କରାଯାଇଛି । ସେମିତି କହିବାକୁ ଗଲେ ସୋମବାର ଦିନ ବିଧାନସଭାରେ ସମସ୍ତ ବିଜେଡ଼ି ବିଧାୟକମାନେ ମନେ ମନେ ନିଶ୍ଚିତ ରୂପେ ଖୁସି ଅନୁଭବ କରୁଥିବେ । କଥାହେଲା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଣୁ ଶାସକ ବିଜେଡ଼ି ଦଳ ହେଉ ବା ରାଜ୍ୟ ସରକାରଙ୍କୁ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ବିଭିନ୍ନ ପ୍ରସଙ୍ଗରେ ଘନଘନ ଘେରିବାକୁ ଚେଷ୍ଟା କରିଥିଲେ । ବିରୋଧୀମାନେ ନିଜ ରଣନୀତି ଅନୁଯାୟୀ ଧିରେ ଧିରେ ଗୃହରେ ଜମି ଆସୁଥିବା ବେଳେ ହଠାତ୍ ସବୁକିଛି ଫସର ଫାଟିଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ବିଜୁ ଜନତା ଦଳ (ବିଜେଡ଼ି)କୁ ଭୁରିଭୁରି ପ୍ରଶଂସା କରିବା ଏବେ ରାଜ୍ୟ ବିଜେପି ମଙ୍ଗୁଆଳଙ୍କୁ ଏହା ଭଲ ନ’ଲାଗିବା ସ୍ୱାଭାବିକ ।

ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ସହିତ ବିଜେପି ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିଲା । ସବୁଠାରୁ ବଡ଼କଥା ହେଲା କେବଳ ଜାତୀୟସ୍ତରରେ ୫-ଟି ପ୍ରଶଂସିତ ହେଉନାହିଁ ବରଂ ରାଜ୍ୟ ବିଧାନସଭାରେ ମଧ୍ୟ ବିରୋଧୀ ସଦସ୍ୟ ସରକାରଙ୍କ ଏହି ୫-ଟି ଅଭିଯାନର ଗୁଣଗାନ କରିବାକୁ ପଛାଇନାହାନ୍ତି ।

କୋରାପୁଟରେ ୫-ଟି ଅଭିଯାନ ଏକରକମ ସଫଳ ହେବାରେ ଲାଗିଛି ଏହାକୁ ବିରୋଧୀ ଦଳମାନେ ମଧ୍ୟ ହୃଦୟଙ୍ଗମ କରିବାକୁ ଲାଗିଲେଣି । ପୂର୍ବରୁ କୋରାପୁଟରେ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେବା ପରେ ଏହି ଆଦିବାସୀ ବହୁଳ ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ନିଶ୍ଚିତ ବିକାଶ ଘଟିବା ସହିତ ହଜାର ହଜାର ଗରୀବ ରୋଗୀ ଉପକୃତ ହୋଇପାରୁଛନ୍ତି ।

ଆମେ ଆଜି ବିଧାନସଭାରେ ଏକ ଘଟଣା ସମ୍ପର୍କରେ କହୁଛୁ । କଂଗ୍ରେସ ସଦସ୍ୟ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି ନିଜର ଭାଷଣ ମାଧ୍ୟମରେ ହେଉ ନହେଲେ ମଜାଦାର ଟିପ୍ପଣୀ ଦେଇ ଗୃହରେ ହାସ୍ୟରୋଳ ସୃଷ୍ଟି କରିଥାଆନ୍ତି । ସେ ମଧ୍ୟ ତାଙ୍କର କୌତୁହଳ ପୂର୍ଣ୍ଣ ପ୍ରଶ୍ନରେ ସରକାରଙ୍କୁ ବେଳେ ବେଳେ କଠୋର ସମାଲୋଚନା କରିବାକୁ ପଛାଇ ନଥାନ୍ତି । ଆଜି ତାରା ଗୃହରେ କହିଥିଲେ, “ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭି କେ ପାଣ୍ଡିଆନ କୋରାପୁଟ ଗସ୍ତ କରିବା ପରେ ପରେ ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ବହୁତ ଉନ୍ନତି ଘଟିବାରେ ଲାଗିଛି ।”

ବିରୋଧୀଙ୍କ ମୁହଁରୁ ସରକାରଙ୍କ ପ୍ରଶଂସା ଶୁଣିବା ପରେ ଏବେ ଲାଗୁଛି ରାଜନୈତିକ ପାଣିପାଗ ବେଶ୍ ପରିବର୍ତ୍ତନ ହୋଇ ଆସୁଛି । ଏହାକୁ ନେଇ ଚର୍ଚ୍ଚା ଓ ଆଲୋଚନା ହେବା ତ ସ୍ୱାଭାବିକ ।

ଜିଲ୍ଲାରେ ଥିବା ମେଡ଼ିକାଲ କଲେଜ ଓ ହସ୍ପିଟାଲର ଆହୁରି ଉନ୍ନତି ଲାଗି ଏପରିକି ସ୍ୱାସ୍ଥ୍ୟସେବାର ବିକାଶ ଲାଗି ଶ୍ରୀ ପାଣ୍ଡିଆନ ଆଉଥରେ କୋରାପୁଟ ଗସ୍ତ କରନ୍ତୁ ବୋଲି ତାରା ପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ପରାମର୍ଶ ଦେଇଛନ୍ତି ।

କୋରାପୁଟ ଜିଲ୍ଲାରେ ଖାଲି ପଡ଼ିଥିବା ଡ଼ାକ୍ତରଙ୍କ ପଦବୀକୁ ନେଇ ତାରାଙ୍କ ଏକ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲାକୁ ସବୁବେଳେ ପ୍ରାଥମିକତା ଦେଇଥାଆନ୍ତି । ଯଥାଶିଘ୍ର ଏହି ଖାଲି ପଡ଼ିଥିବା ଡ଼ାକ୍ତର ପଦବୀ ଗୁଡ଼ିକ ପୂରଣ କରାଯିବାକୁ ମନ୍ତ୍ରୀ ତାରାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଗଣମାଧ୍ୟମ ଆଗରେ ଯେକୌଣସି ବାଇଟରେ ହେଉ ଅବା ବିଧାନସଭାର ଗୃହ ମଧ୍ୟରେ ସେ ଏପରି ଢଙ୍ଗରେ କଥା କହିଥାଆନ୍ତି ଯେ, ତାହା ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । ଖାଲି ସେତିକି ନୁହେଁ, ତାଙ୍କର ପଦୁଟିଏ କଥା ଲାଗି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଯେମିତିକି ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ପ୍ରବେଶ କରିବା ପରେ ସେ କହିଥିଲେ, “ସାର୍ ! ଆପଣ ଖୁସି ତ?” । ଏହିକଥାକୁ ନେଇ ଅନେକ ତାଙ୍କ୍ୁ ସମାଲୋଚନା କରିଥିଲେ ମଧ୍ୟ ସେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଯାହାବି ହେଉ, ଜୟପୁରର ଏହି ବରିଷ୍ଠ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତିଙ୍କ ଟିପ୍ପଣୀ ଓ ବକ୍ତବ୍ୟ ଯୋଗୁଁ ପାଟିଗୋଳ ହଟ୍ଟଗୋଳ ହେଉଥିବା ବିଧାନସଭାରେ ମଧ୍ୟ ବେଳେ ବେଳେ ହାସ୍ୟରୋଳ ସୃଷ୍ଟି ହୋଇଥାଏ ।

Leave A Reply

Your email address will not be published.