Latest Odisha News

ଜୋରଦାର ହେଲା ସ୍ବାଧିକାର ଭଙ୍ଗ ରାଜନୀତି

ଭୁବନେଶ୍ବର: ତେଜିଲା ସ୍ବାଧିକାର ଭଙ୍ଗ ରାଜନୀତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ କଂଗ୍ରେସ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛି । ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ଆଜି ବିଧାନସଭା ଶୂନ୍ୟକାଳରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଥିଲେ । ତେବେ ଗୃହ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଗୃହ ଭିତରେ ମନ୍ତ୍ରୀ ଦୁଇ ଦିନପରେ ଘୋଷଣା କରିବାକୁ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଣିଛି ସ୍ବାଧିକାର ଭଙ୍ଗ ନୋଟିସ୍ ।

କାହିଁକି କଂଗ୍ରେସ ଆଣିଲା ସ୍ବାଧିକାର ଭଙ୍ଗ ନୋଟିସ୍?

ଗତ ୨୬ତାରିଖରେ ବିଧାନସଭା ଚାଲିଥିବା ବେଳେ ଅଗ୍ନିବୀରଙ୍କ ପାଇଁ ଚାକିରିରେ ୧୦ପ୍ରତିଶତ ସଂରକ୍ଷଣ ଓ ୫ବର୍ଷ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହ ବାହାରେ ଘୋଷଣା କରିଥିଲେ । ବିଧାନସଭା ନିୟମ ଅନୁସାରେ ଗୃହ ଚାଲିଥିବା ବେଳେ କୌଣସି ନୀତିଗତ ନିଷ୍ପତ୍ତି ଗୃହ ବାହାରେ ଘୋଷଣା କରାଯାଇପାରିବ ନାହିଁ। ପ୍ରଥମେ ଏହାକୁ ଗୃହରେ ଆଗତ କରିବା ଆବଶ୍ୟକ । ହେଲେ ମୁଖ୍ୟମନ୍ତ୍ରୀ ଏହି ନିୟମ ଭାଙ୍ଗିଥିବା ଦର୍ଶାଇ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଗୃହ ବାହାରେ କରିଥିବା ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦୁଇ ଦିନ ପରେ ଗୃହ ଭିତରେ ଘୋଷଣା କରିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ଏହାକୁ ନେଇ କଂଗ୍ରେସର ସ୍ବାଧିକାର ଭଙ୍ଗ ନୋଟିସ୍ ଗ୍ରହଣ କରିବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ତାରା ।

ବିଜେପି ଆଣିଲା କାଉଣ୍ଟର ନୋଟିସ୍

କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଲା ତ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ବିଧାନସଭାକୁ ଆସିବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ କଂଗ୍ରେସ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିବା ନେଇ ପ୍ରକାଶ ପାଇଥିଲା । ଏହା ସଂସଦୀୟ ନିୟମର ଉଲ୍ଲଂଘନ । ତେଣୁ ନୋଟିସ୍ ଆଣିଥିବା ଇରାଶିଷ କହିଛନ୍ତି । ଗୃହ ଭିତରେ କଣ ଘଟିବାକୁ ଯାଉଛି, ବାଚସ୍ପତିଙ୍କ ବିନା ଅନୁମତିରେ ଏନେଇ ପ୍ରକାଶ କରିବା ସ୍ବାଧିକାର ଭଙ୍ଗ ପରିସର ଭିତରକୁ ଆସୁଛି । ଓଡିଶା ବିଧାନସଭା ରୁଲସ ଓ ପ୍ରୋସିଡ୍ୟୁର ବହିରେ ଏନେଇ ଉଲ୍ଲେଖ ରହିଥିବା ଇରାଶିଷ କହିଛନ୍ତି ।

ଗୃହକୁ ବିଶ୍ବାସକୁ ନେଲେନି ମୁଖ୍ୟମନ୍ତ୍ରୀ !

କଂଗ୍ରେସର ସ୍ବାଧିକାର ଭଙ୍ଗ ନୋଟିସକୁ ନେଇ ଗୃହରେ ଜୋରଦାର ହଟ୍ଟଗୋଳ ହୋଇଥିଲା । କଂଗ୍ରେସ ସହ ବିରୋଧୀ ବିଜେଡି ବି ହୋହଲ୍ଲା କରିଥିଲା । ମୁଖ୍ୟମନ୍ତ୍ରୀ ଗୃହକୁ ବିଶ୍ବାସକୁ ନନେଇ ଘୋଷଣା କରିଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ଗୃହ ଚାଲିଥିବା ବେଳେ ସରକାର ଗୃହରେ ହିଁ ଘୋଷଣା କରିବା କଥା । ହେଲେ ଗୃହ ବାହାରେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ପ୍ରମିଳା କହିଥିଲେ ।

ବିରୋଧୀଙ୍କ ହୋହଲ୍ଲା ପରେ ବାଚସ୍ପତି ସୁରମା ପାଢୀ ସ୍ବାଧିକାର ଭଙ୍ଗ ନୋଟିସ୍ ଗ୍ରହଣ କରିଛନ୍ତି । ଉଭୟ ନୋଟିସକୁ ତର୍ଜମା କରିବେ ବୋଲି ବାଚସ୍ପତି କହିଛନ୍ତି । ତେବେ ଏହାପରେ ବି ବିଜେଡି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ପ୍ରିଭିଲେଜ କମିଟିକୁ ପଠାଇବା ପାଇଁ ଦାବି କରିଥିଲେ ।

Comments are closed.