ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାରି ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ଦଳ ପ୍ରଥମ ପର୍ଯ୍ୟାୟରେ ୫୪ଟି ଆସନ ପାଇଁ ପାର୍ଥୀଙ୍କ ନାଁ ଘୋଷଣା କରିଛି । ଦିଲ୍ଲୀ ଚାନ୍ଦନୀଚୌକରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟିକାଙ୍କୁ ଏଥର ଟିକେଟ ଦେଇଛି କଂଗ୍ରେସ । ଏହି ଆସନରୁ ଗତ ବିଧାନସଭା ନିର୍ବାଚନରେ ଅଳକା ଲାମ୍ବା ଆପ୍ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ । ତେବେ ପରେ ସେ ଆପ୍ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ସେପଟେ ଏହି ଆସନରୁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ପ୍ରହ୍ଲାଦ ସିଂହ ଓ ବିଜେପିର ସୁମନ କୁମାର ଗୁପ୍ତା ଅଳକାଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ।
ସେହିପରି ପୂର୍ବ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦ ସିଂହ ଲଭଲିଙ୍କୁ ଗାନ୍ଧୀନଗରୁ ଟିକେଟ ଦେଇଛି କଂଗ୍ରେସ । କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ ଲିଲୋଠିଆଙ୍କୁ ମଙ୍ଗୋଲପୁରୀ, ପୂର୍ବତନ ମନ୍ତ୍ରୀ ହାରୁନ ୟୁସୁଫଙ୍କୁ ବଲ୍ଲିମାରନ, ପୂର୍ବ କେନ୍ଦ୍ର ମନ୍ତ୍ରୀ କୃଷ୍ଣା ତୀର୍ଥଙ୍କୁ ପଟେଲ ନଗର ଓ ଆଦର୍ଶ ଶାସ୍ତ୍ରୀଙ୍କୁ ଦ୍ୱାରକାରୁ କଂଗ୍ରେସ ପ୍ରାର୍ଥୀ କରିଛି ।
ଆଗାମୀ ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ । ତେବେ ଏପର୍ଯ୍ୟନ୍ତ କେବଳ ୫୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କିନ୍ତୁ ବାକି ୧୬ଟି ଆସନରେ କେଉଁମାନେ ପ୍ରାର୍ଥୀ ହେବେ ତାହା ଘୋଷଣା କରି ନାହିଁ । ତେଣୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଟିକେଟ ପାଇବା ନେଇ ଉତ୍କଣ୍ଠା ବଢ଼ିଛି ।
ସୂଚନା ମୁତାବକ ୧୬ଟି ଆସନରୁ ୪ଟି ଆସନ କଂଗ୍ରେସ ଆର୍ଜେଡିକୁ ଦେଇପାରେ । ବୁରାଡି, କରାୱଲ ନଗର, ପାଲମ ଓ ଉତ୍ତମ ନଗରର ଆସନ କଂଗ୍ରେସ ନିଜର ସହଯୋଗୀ ଆର୍ଜେଡିକୁ ଦେବା ନେଇ ସୂଚନା ମିଳିଛି । ବାକି ଅନ୍ୟ ୧୨ଟି ଆସନକୁ ନେଇ ରଣନୀତି ଚାଲିଥିବା ଯୋଗୁଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ ।
୭୦ଟି ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୮ରେ ମତଦାନ ହେବ । ଫେବୃଆରୀ ୧୧ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ତେବେ ଆମ ଆଦମୀ ପାର୍ଟି ତାର ସମସ୍ତ ୭୦ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ପ୍ରଥମ ପର୍ଯ୍ୟାୟରେ ୫୭ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି ।
Comments are closed.