Latest Odisha News

BREAKING NEWS

ମୋଦିଙ୍କ ଶାସନର ୯ ବର୍ଷ, କଂଗ୍ରେସର ୯ ପ୍ରଶ୍ନ

ଭୁବନେଶ୍ୱର: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ନଅ ବର୍ଷ ପୂର୍ତ୍ତି ପାଇଁ ବିଜେପି ଦେଶବ୍ୟାପୀ ପ୍ରଚାର ପ୍ରସାର କରିବାକୁ ବଡ଼ ଯୋଜନା କରିଛି। ମୋଦିଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକୁ ନେଇ ଦେଶବ୍ୟାପୀ ବିଜେପି ପକ୍ଷରୁ ଜନସମ୍ପର୍କ ଅଭିଯାନ କରାଯିବ। ମେ ୩୦ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାପକ ଭାବେ କାର୍ଯ୍ୟକ୍ରମ କରାଯିବ।

କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସମେତ ବିଜେପିର ପ୍ରଭାବଶାଳୀ ନେତା ଯୋଗ ଦେବେ। ମୋଦୀଙ୍କ ନଅ ବର୍ଷକୁ ଦମଦାର ଢଙ୍ଗରେ ବିଜେପି ପାଳନ କରିବାକୁ ପ୍ରସ୍ତୁତି ଶେଷ କରିଥିବା ବେଳେ କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରିଛି।

୯ ବର୍ଷ ପାଇଁ ୯ ଟି ପ୍ରଶ୍ନ ପଚାରିଛି ଦଳ। ଦଳୀୟ ନେତାମାନେ ମୋଦୀଙ୍କ ଶାସନ ସମୟର ବିଭିନ୍ନ ପ୍ରସଙ୍ଗକୁ ନେଇ ୯ ଟି ପ୍ରଶ୍ନ ପଚାରିଛନ୍ତି। ଦେଶର ଦରଦାମ ବୃଦ୍ଧି ଓ ବେରୋଜଗାର ଆକାଶଛୁଆଁ ହେଉଛି। ଧନୀ ଅଧିକ ଧନୀ ହେଉଛି ଗରିବ ଅଧିକ ଗରିବ ହେଉଛି। ଏହାର କାରଣ କଣ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ସେହିଭଳି ବିଗତ ୯ ବର୍ଷ ମଧ୍ୟରେ କୃଷକଙ୍କ ଆୟ ଦ୍ବିଗୁଣିତ କାହିଁକି ହେଲାନି, ଆଦାନୀଙ୍କୁ ଫାଇଦା ଦେବା ପାଇଁ ଏସବିଆଇ ଓ ଏଲଆଇସି ଟଙ୍କା ବାଜିରେ ଲଗାଇଦିଅଗଲା କାହିଁକି ଓ ଆଦାନୀଙ୍କ ସେଲ କମ୍ପାନୀରେ ୨୦ ହଜାର କୋଟି କାହାର ବୋଲି ପ୍ରଶ୍ନ କରିିଛି ଦଳ।

ଚୀନକୁ କାହିଁକି କ୍ଲିନ ଚିଟ ଦିଆଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ। ରାଜନୈତିକ ଫାଇଦା ପାଇଁ ସମାଜରେ ଡ଼ର କାହିଁକି ସୃଷ୍ଟି କରାଯାଉଛି ଓ ବିଭାଜନ କାହିଁକି କରାଯାଉଛି। ଦେଶର ମହିଳା, ଦଳିତ ଓ ଗରିବ ଶ୍ରେଣୀୟ ଲୋକଙ୍କ ଉପରେ ଅତ୍ୟାଚାର ବଢି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଚୁପ କାହିଁକି।

ବିଭିନ୍ନ ସାମ୍ବିଧାନିକ ସଂସ୍ଥାକୁ ବ୍ୟବହାର କରି କାହିଁକି ବିରୋଧୀ ଦଳ ନେତାଙ୍କୁ ଡ଼ରାଯାଉଛି। ନରେଗା ଯୋଜନାକୁ କାହିଁକି ଦୁର୍ବଳ କରାଗଲା ଓ କରୋନା ସମୟରେ କାହିଁକି ଲକଡାଉନ କରି ଲୋକଙ୍କୁ କର୍ମକ୍ଷେତ୍ରରୁ ଘରକୁ ଯିବାକୁ ବାଧ୍ୟ କରାଗଲା ଓ ତା ପରେ ତାଙ୍କ ସମସ୍ୟା କାହିଁକି ବୁଝାଗଲାନି। ଏମିତି ୯ ଟି ପ୍ରଶ୍ନ କଂଗ୍ରେସ ମୋଦିଙ୍କୁ ପଚାରିଛି।

ଏପରିକି ଖାଲି ସେତିକି ନୁହେଁ ମୋଦିଙ୍କ ଶାସନର ୯ ବର୍ଷକୁ କଂଗ୍ରେସ ନାକାମି କେ ୯ ସାଲ କହି ଏକ କାର୍ଡ ପ୍ରସ୍ତୁତ କରିଛି। ଯେଉଁଥିରେ ବିମୁଦ୍ରିକରଣ, କୃଷକଙ୍କ ବିରୋଧରେ ଆଇନ, ମଣିପୁର ଘଟଣା, ଗଣମାଧ୍ୟମ ଉପରେ ନିୟନ୍ତ୍ରଣ, ସାମ୍ବିଧାନିକ ସଂସ୍ଥାର ଅପବ୍ୟବହାର, ଘୃଣା ରାଜନୀତି, କାଶ୍ମୀର ପଣ୍ଡିତଙ୍କୁ ଅବହେଳା, କୋଭିଡ ୧୯ କୁପରିଚାଳନା ଓ ସରକାରୀ ପଦ ପୂରଣ ନ କରିବା ଆଦି ୯ ଟି ପ୍ରସଙ୍ଗ କରି ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

ଏପରିକି ବାର୍ଷିକ ୨ କୋଟି ଚାକିରିର କଥା କହିଥିବା ବିଜେପି ୧୮ କୋଟି ଚାକିରୀ ଦେଇଛି କି ବୋଲି ପ୍ରଶ୍ନ କରାଯାଇଛି। ବେରୋଜଗାର ୪୫ ବର୍ଷରେ ସର୍ବାଧିକ ବୋଲି କୁହାଯାଇଛି।

ଏପରିକି ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତି ୨୦୨୨ ସୁଦ୍ଧା ମୁମ୍ବାଇରୁ ଅହମଦାବାଦ ବୁଲେଟ ଟ୍ରେନ ଚାଲିବା ଓ ୨୦୨୨ ସୁଦ୍ଧା ପ୍ରତି ଭାରତୀୟଙ୍କ ନିକଟରେ ନିଜ ଘର କୁଆଡେ ଗଲା ବୋଲି ପ୍ରଶ୍ନ କରାଯାଇଛି।

ସେହିଭଳି ଗଙ୍ଗାଙ୍କୁ ସମ୍ପୂର୍ଣ୍ଣ ସଫା କରାଯିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି ତାକୁ ନେଇ ପ୍ରଶ୍ନ ଉଠିଛି। ତେଣୁ ଏହାକୁ ନେଇ ଏବେ ଦେଶର ରାଜନୀତି ତୀଵ୍ର ହେବାରେ ଲାଗିଛି। ଆଗକୁ ନିର୍ବାଚନ ଥିବାବେଳେ କଂଗ୍ରେସ ଏଭଳି ଢଙ୍ଗରେ ଆକ୍ରମନାତ୍ମକ ହେବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.