Latest Odisha News

BREAKING NEWS

କଂଗ୍ରେସ ସଭାପତି ନିର୍ବାଚନ : ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଜି ଶେଷ ଦିନ

ଥରୁର, ଦିଗବିଜୟ, ମନିଷ ତିଓ୍ବାରୀ, ଅମ୍ବିକା ସୋନି, ଖାଡ଼ଗେଙ୍କ ନାମ ଚର୍ଚାରେ

ନୂଆଦିଲ୍ଲୀ : ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ନିର୍ବାଚନ ଲଢିବା ନିମନ୍ତେ  ସାଂସଦ ଶଶୀ ଥରୁର ଓ ଦିଗ୍‌ବିଜୟ ସିଂହ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଘୋଷଣା କରିଛନ୍ତି। ଅନ୍ୟମାନେ ନେଇଥିବା ପ୍ରାର୍ଥିପତ୍ର ସଂଗ୍ରହ କରି ରଖିଥିବାବେଳେ ଆଜି ଦାଖଲ କରିବେ କି ନାହିଁ ସ୍ପଷ୍ଟ ହୋଇନାହିଁ । ତେବେ ମଧ୍ୟାହ୍ନ ବେଳକୁ କିଏ କିଏ ନାମାଙ୍କନ ପତ୍ର ଭରିବେ ତାହା ଜଣାପଡିବ ।

ଦିଗବିଜୟଙ୍କ ପ୍ରାର୍ଥିପତ୍ରରେ ପ୍ରସ୍ତାବକ ଓ ସମର୍ଥକ ରହିବା ନିମନ୍ତେ ମଧ୍ୟପ୍ରଦେଶର କଂଗ୍ରେସ ନେତାମାନେ ଦିଲ୍ଲୀରେ ପହଞ୍ଚିଛନ୍ତି।  ଦିଗବିଜୟ କହିଛନ୍ତି ଯେ ନିର୍ବାଚନ ଲଢିବା ନିମନ୍ତେ ସେ ସୋନିଆ ଗାନ୍ଧୀଙ୍କୁ ଭେଟି ଜଣାଇଥିଲେ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି  । ଦଳ ତାଙ୍କୁ କହିନାହିଁ । ଯିଏ ଜିତୁ ଗାନ୍ଧୀ ପରିବାର ହିଁ କଂଗ୍ରେସର ମୁଖ୍ୟ । ଥରୁର ମଧ୍ୟ କହିଛନ୍ତି ଯିଏ ବି ଜିତିବ ଦଳର ବିଜୟ ହେବ ।

ଅକ୍ଟୋବର ୮ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି। ତେଣୁ ୮ ତାରିଖ ପରେ ହିଁ ନିର୍ବାଚନ ହେବା ନ ହେବା ସ୍ପଷ୍ଟ ହେବ। ଯଦି ଏକାଧିକ ପ୍ରାର୍ଥୀ ରୁହନ୍ତି ତେବେ ଅକ୍ଟୋବର ୧୭ରେ ଭୋଟ ଗ୍ରହଣ ହେବ। ଅକ୍ଟୋବର ୧୯ରେ ଭୋଟ ଗଣତି ହେବ।
ଶଶୀ ଥରୁର କେରଳ ତିରୁଅନନ୍ତପୁରମ୍‌ରୁ ତିନିଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏବେ ମଧ୍ୟ ସେ ସାଂସଦ ଅଛନ୍ତି। କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ ନିମନ୍ତେ ଦାବି କରିଥିବା ଦଳର ୨୩ ବିଦ୍ରୋହୀ ନେତାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଥରୁର।  ଦିଗବିଜୟ ସିଂହ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ଏହା ସହିତ ସେ ଦୁଇଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ସହିତ ଲୋକସଭାକୁ ଦୁଇଥର ଓ ବିଧାନସଭାକୁ ୫ଥର ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ ମନୀଷ ତିଓ୍ବାରୀ ଏବଂ ଅମ୍ବିକା ସୋନୀ, ମଲ୍ଲିକାର୍ଜୁନ ଖାଡ଼ଗେ ନାମ ମଧ୍ୟ ଚର୍ଚାରେ ରହିଛି । କାରଣ କଂଗ୍ରେସର ଏହି ବରିଷ୍ଠ ନେତା ମଧ୍ୟ ଫର୍ମ ନେଇଛନ୍ତି । ତାଙ୍କ ସମର୍ଥକମାନେ କହିଛନ୍ତି ମଧ୍ୟାହ୍ନ ବେଳକୁ ନାମାଙ୍କନ ପତ୍ର ଦାଖଲ କରିବେ ।

ତେବେ ତୃତୀୟ ପ୍ରାର୍ଥୀପତ୍ର ମୁକୁଲ ୱାସନିକ୍‌ ଦାଖଲ କରିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ମହାରାଷ୍ଟ୍ରର ଜଣେ ଦଳିତ ନେତା ଭାବେ  ୱାସନିକଙ୍କ ଦବଦବା ରହିଛି ।  ତାଙ୍କର  ରାଜନୈତିକ ଏବଂ ପ୍ରଶାସନିକ ଅଭିଜ୍ଞତା ରହିଥିବା କାରଣରୁ ସେ ମଧ୍ୟ ଏହି ବଡ଼ ପଦ ପାଇଁ ଆଗ୍ରହୀ ଅଛନ୍ତି। ଦେଶର ଅନ୍ୟତମ କନିଷ୍ଠ ସାଂସଦ ଭାବେ ସେ ନରସିଂହ ରାଓ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରି କ୍ରୀଡା, ଯୁବ ବ୍ୟାପାର ଏବଂ ସଂସଦୀୟ ବ୍ୟାପାର ବିଭାଗ ପରିଚାଳନା କରିଥିଲେ। ପରେ, ମନମୋହନ ସିଂଙ୍କ ନେତୃତ୍ୱରେ ୟୁପିଏ ସରକାର ସମୟରେ ସେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ରହିଥିଲେ।

Leave A Reply

Your email address will not be published.