Latest Odisha News

ମା’ ସ୍କନ୍ଦମାତା

ନବରାତ୍ରର ନବସ୍ୱରୂପର ପଞ୍ଚମ ରୂପ ‘ମା’ ସ୍କନ୍ଦମାତା’

ଶାରଦୀୟ ନବରାତ୍ରର ପଞ୍ଚମ ସ୍ୱରୂପରେ ମା’ ସ୍କନ୍ଦମାତାଙ୍କର ଆରାଧନା କରାଯାଏ । ମା’ ସ୍କନ୍ଦଙ୍କୁ ନିଜ କୋଳରେ ଧରି ବସିଥିବାରୁ ମା’ଙ୍କର ଏହି ସ୍ୱରୂପକୁ ସ୍କନ୍ଦମାତା ଭାବରେ ଅବିହିତ କରାଯାଏ । ମାନ୍ୟତା ରହିଛି ଯେ ବିଧିବିଧାନର ମା’ଙ୍କର ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡେ ଏବଂ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତ ହୋଇଥାଏ ।

ପଞ୍ଚମେ ତୁମର ସ୍କନ୍ଦମାତା ବେଶ
ସ୍କନ୍ଦ ଅଙ୍କରେ ରଖିବ
ସୌରମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ
ହସ୍ତେ କମଳ ଧରିବ।

ପୌରାଣିକ କଥା ଅନୁସାରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ହେଉଛନ୍ତି ଭଗବାନ କାର୍ତ୍ତିକେୟ। ଏହାଙ୍କ ଅନ୍ୟ ନାମ ସ୍କନ୍ଦ। ଏକଦା ତାରକା- ସୁର ନାମରେ ଏକ ରାକ୍ଷସ ଥିଲା। ଯିଏ ତ୍ରିପୁରକୁ ନିଜର କଠୋର ସାଧନା ବଳରେ ଜୟ କରିପାରି ଥିଲା। କିନ୍ତୁ ଏହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ର କାର୍ତ୍ତିକେୟଙ୍କ ଦ୍ୱାରା ସମ୍ଭବ ଥିଲା। ଏହା ଜାଣିବା ପରେ ମା’ ପାର୍ବତୀ ପୁତ୍ର କାର୍ତ୍ତିକେୟଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ ସ୍କନ୍ଦ ମାତାଙ୍କ ରୂପ ଧାରଣ କରିଥିଲେ। ସ୍କନ୍ଦମାତାଙ୍କଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକା ସୁରର ବଦ୍ଧ କରିଥିଲେ।

ଅନ୍ୟ ଏକ ପୌରାଣିକ କଥା ଅନୁସାରେ ଥରେ ଇନ୍ଦ୍ର କାର୍ତ୍ତିକେୟଙ୍କୁ ଉପହାସ କରି କହିଥିଲେ ଯେ ତୁମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହଁ । ଏହାଦ୍ୱାରା କୁମାର କାର୍ତ୍ତିକେୟ ବହୁତ ଦୁଃଖି ହୋଇଥିଲେ। ଏହାପରେ ମାତା କାର୍ତ୍ତେକେୟଙ୍କ ଦୁଃଖ ବୁଝିପାରିଥିଲେ ଏବଂ ସିଂହ ଉପରେ ବିରାଜମାନ କରି ପ୍ରକଟ ହୋଇ ନିଜ କୋଳରେ କାର୍ତ୍ତିକେୟଙ୍କୁ ଉଠାଇ ନେଇ ବସାଇଥିଲେ। ଏହାପରେ ଦେବରାଜ ଇନ୍ଦ୍ରଙ୍କ ଗର୍ବ ଚୂର୍ଣ୍ଣ ହେବା ସହିତ ଭଗବାନ କାର୍ତ୍ତିକେୟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ।

ମା’ ସ୍କନ୍ଦମାତା ବିଶୁଦ୍ଧ ଚକ୍ରର ଅଧିଷ୍ଠାତ୍ରି ଦେବୀ। ନବରାତ୍ର ବ୍ରତ ରଖିଥିବା ସାଧକଙ୍କ ମନ ଏହିଦିନ ବିଶୁଦ୍ଧ ଚକ୍ରରେ ସ୍ଥିର ରହିଥାଏ। ସ୍କନ୍ଦମାତାଙ୍କୁ ମଧ୍ୟ ବିଦ୍ୟବାସିନୀ ମଧ୍ୟ କୁହାଯାଇଥାଏ।

ମା ସ୍କନ୍ଦମାତାଙ୍କ ସାଧନା କେବଳ ସନ୍ତାନ ସୁଖ ପାଇଁ ନୁହେଁ ବରଂ ରୋଗରୁ ମୁକ୍ତି ହେବା ପାଇଁ ମଧ୍ୟ ପୂଜା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ମତରେ ମା’ ସ୍କନ୍ଦମାତାଙ୍କ ସମ୍ବନ୍ଧ ବୃହସ୍ପତି ନାମକ ଗ୍ରହ ସହିତ ଜଡିତ। ବୃହସ୍ପତି ଗ୍ରହଙ୍କୁ ଶାନ୍ତ କରିବାକୁ ହେଲେ ମା’ ସ୍କନ୍ଦମାତାଙ୍କ ଶରଣାପନ୍ନ ହେବା ଉଚିତ। ମା’ ସ୍କନ୍ଦମାତାଙ୍କ ଆରାଧନା ସାଧକକୁ ସର୍ବ ସୌଭାଗ୍ୟ ପ୍ରଦାନ କରିଥାଏ।

Leave A Reply

Your email address will not be published.