Latest Odisha News

BREAKING NEWS

ଶୀଘ୍ର ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କଂଗ୍ରେସ ସଭାପତି ଖଡ଼ଗେ

ନୂଆଦିଲ୍ଲୀ : ଜନଗଣନା ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଖଡ଼ଗେ ଚିଠିରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଛନ୍ତି । ମଲ୍ଲିକାର୍ଜୁନ ଚିଠିରେ ଲେଖିଛନ୍ତି ଯେ, ଆମେ ସଂସଦରେ ଅନେକ ଥର ଏହି ପ୍ରସଙ୍ଗ ଉଠାଇଛୁ ଓ ମୋର ସହକର୍ମୀମାନେ ଏହା ପୂର୍ବରୁ ସଂସଦର ଉଭୟ ଗୃହରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। ଅନେକ ବିରୋଧୀ ଦଳର ନେତା ସମାନ ପ୍ରସଙ୍ଗ ଉଠାଇଛନ୍ତି । ମୋଦିକୁ ଖଡ଼ଗେ କହିଛନ୍ତି, ଆପଣ ଜାଣନ୍ତି ଯେ ୟୁପିଏ ସରକାର ପ୍ରଥମ ଥର ପାଇଁ ୨୦୧୧ ରେ ସାମାଜିକ, ଅର୍ଥନୈତିକ ଏବଂ ଜାତି (SECC) ଜନଗଣନା କରିଥିଲେ । ଏଥିରେ ପ୍ରାୟ ୨୫ କୋଟି ପରିବାର ଅନ୍ତର୍ଭୁକ୍ତ ହୋଇଥିଲେ । କିନ୍ତୁ ବିଭିନ୍ନ କାରଣରୁ ଜାତିଗତ ତଥ୍ୟ ପ୍ରକାଶିତ ହୋଇପାରିଲା ନାହିଁ ।

ଉଲ୍ଲେଖଯୋଗ୍ୟ, ରବିବାର ଦିନ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୧୧ ଜାତି ଭିତ୍ତିକ ଜନଗଣନା ପରିସଂଖ୍ୟାନକୁ ସାର୍ବଜନୀନ କରିବାକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ସଂରକ୍ଷଣ ଉପରେ ୫୦ ପ୍ରତିଶତ ସୀମା ହଟାଇବାକୁ ଦାବି କରିଥିଲେ। ଆସନ୍ତା ୧୦ରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କୋଲାରରେ ଅନୁଷ୍ଠିତ ‘ଜୟ ଭାରତ’ ନିର୍ବାଚନ ରାଲିରେ ସେ ଏହି ଦାବି ଉଠାଇଛନ୍ତି। ରାହୁଲ ଗାନ୍ଧୀ ଏହା ମଧ୍ୟ କହିଥିଲେ, ସବୁଠାରୁ ବଡ ପ୍ରଶ୍ନ ହେଉଛି ଭାରତରେ କେତେ ଓବିସି, ଆଦିବାସୀ ଏବଂ ଦଳିତ ଅଛନ୍ତି। ଯଦି ଆମେ ଧନ ଏବଂ ଶକ୍ତି ବଣ୍ଟନ ବିଷୟରେ ଆଲୋଚନା କରିବା, ତେବେ ପ୍ରଥମ ପଦକ୍ଷେପ ହେଉଛି ସେମାନଙ୍କ ଜନସଂଖ୍ୟାର ଆକାର ଜାଣିବା। ମାନେ ଦେଶରେ କେତେ ଓବିସି, ଦଳିତ ଓ ଆଦିବାସୀ ଅଛନ୍ତି ତାହା ଦେଶକୁ ସରକାର କୁହନ୍ତୁ। ପ୍ରତ୍ୟେକ ସମ୍ପ୍ରଦାୟର ଜନସଂଖ୍ୟା ଜାଣିବା ଆବଶ୍ୟକ। ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି,ଯଦି ଆପଣ ଏହା କରନ୍ତି ନାହିଁ, ଏହା ଓବିସି ପାଇଁ ଅପମାନ। ଏଥିସହ ସଂରକ୍ଷଣ ଉପରେ ୫୦ ପ୍ରତିଶତ ସୀମା ହଟାନ୍ତୁ ବୋଲି ରାହୁଲ କହିଛନ୍ତି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସଂରକ୍ଷଣର ସୀମା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। କାରଣ କୋର୍ଟଙ୍କ କହିବା କଥା, ବିଭିନ୍ନ ସମ୍ପ୍ରଦାୟ ପାଇଁ ସରକାରୀ ଚାକିରୀ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣର ସୀମା ଅତିକ୍ରମ କରିବା ଉଚିତ ନୁହେଁ।

Leave A Reply

Your email address will not be published.