Latest Odisha News

BREAKING NEWS

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି, ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

କଳା, ସଂସ୍କୃତି, କ୍ରୀଡ଼ା, ଶିକ୍ଷା, ଆଇଟି ଆଦି ସବୁକ୍ଷେତ୍ରରେ ଦେଶ ତଥା ଦେଶ ବାହାରେ ରାଜଧାନୀ ଭୁବନେଶ୍ୱରର ସ୍ଥାନ ସ୍ୱତନ୍ତ୍ର । ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଭୁବନେଶ୍ୱରର ମହିଳାମାନଙ୍କ ପାଇଁ ସୁରକ୍ଷିତ ନଗରୀ ଭାବେ ପରିଚିତି ଅର୍ଜନ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଭାରତର ଜାତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍‌ ଦଳରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ୪ ଜଣ ଦିବ୍ୟାଙ୍ଗ କ୍ରିକେଟ୍‌ ଖେଳାଳୀ ଫୁଲ ସୋରେନ୍‌, ବାସନ୍ତି ହାଂସଦା, ପଦ୍ମିନୀ ଟୁଡ଼ୁ ଓ ଝିଲି ବିରୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବର ପ୍ରଥମ ଦିନରେ ଆୟୋଜିତ ପ୍ୟାରେଡ୍‌ରେ ବରିଷ୍ଠ ସ୍ତରରେ ରୟାଲ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି ପ୍ରଥମ, ପୋଲିସ ମିତ୍ର ଦ୍ୱିତୀୟ ଏବଂ ମହର୍ଷି କଲେଜ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ପବ୍ଲିକ୍‌ ସ୍କୁଲ ସ୍ତରରେ ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ ପ୍ରଥମ, ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍‌ ସ୍କୁଲ ଦ୍ୱିତୀୟ ଏବଂ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ୍‌ ସ୍କୁଲ ଏବଂ ଓଡ଼ିଏମ୍‌ ପବ୍ଲିକ୍‌ ସ୍କୁଲ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଶୃଙ୍ଖଳିତ ଦଳ ଭାବେ ସୈନିକ ସ୍କୁଲ ଏବଂ ଏନ୍‌ସିସି ଫାଷ୍ଟ ବାଟାଲିୟନ୍‌ (ବାଳିକା) ଦଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଦିନରେ ଆୟୋଜିତ ସାଂସ୍କୃତିକ ପ୍ରତିଯୋଗିତାରେ ମହାବିଦ୍ୟାଳୟ ସ୍ତରରେ ରାଜଧାନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଥମ, ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ ଏବଂ ମହର୍ଷି ମହାବିଦ୍ୟାଳୟ ତୃତୀୟ ସ୍ଥାନ ଓ ଉଚ୍ଚବିଦ୍ୟାଳୟ ସ୍ତରରେ ଚନ୍ଦ୍ରଶେଖର ଡିଏଭି ପବ୍ଲିକ୍‌ ସ୍କୁଲ ପ୍ରଥମ, ପୋଖରୀପୁଟ ଡିଏଭି ପବ୍ଲିକ୍‌ ସ୍କୁଲ ଦ୍ୱିତୀୟ ଏବଂ ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ ଏବଂ କପିଳପ୍ରସାଦ ସରକାରୀ (ମୁନିସିପାଲ) ଉଚ୍ଚ ବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

ଶ୍ରୀନିବାସ ଘଟୁଆରୀ ଏବଂ ସୁଲଗ୍ନା ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିବା ବେଳେ ଅନ୍ତିମ ଚରଣରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.