Latest Odisha News

BREAKING NEWS

ଏମପିରେ କଂଗ୍ରେସକୁ ଜିତାଇଦେବ ଲୋଭନୀୟ ‘ବଚନପତ୍ର’!

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ନିଜର ବହୁ ପ୍ରତୀକ୍ଷିତ ଇସ୍ତାହାର ଜାରି କରିଛି। ବଚନ ପତ୍ର ନାଁ ରେ କଂଗ୍ରେସ ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ଜାରି କରାଯାଇଛି।

ଭୋପାଳରେ ପିସିସି ସଭାପତି କମଳନାଥ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳ ନିଜର ବଚନପତ୍ର ଜାରି କରିଛି। କର୍ଣ୍ଣାଟକ ନିର୍ବାଚନରେ ଗ୍ୟାରେଣ୍ଟିକୁ ନେଇ ଦଳକୁ ବଡ଼ ସଫଳତା ମିଳିବା ପରେ ନିଜର ଇସ୍ତାହାରକୁ ଦଳ ସର୍ବାଧିକ ଗୁରୁତ୍ୱ ଦେଉଛି।

ଏହି କ୍ରମରେ ଏମପିରେ ନିଜର ବଚନ ପତ୍ରରେ ଦଳ ସମସ୍ତ ବର୍ଗଙ୍କ ପାଇଁ ଲାଭଜନକ ଯୋଜନା ଘୋଷଣା କରିଛି। କଂଗ୍ରେସ ଶାସନକୁ ଆସିଲେ ଏମପିର ଯୁବ ବର୍ଗ, ମହିଳା, କୃଷକଙ୍କ ପାଇଁ ବହୁ ଯୋଜନା ସମ୍ପର୍କରେ ବଚନ ପତ୍ରରେ ଉଲ୍ଲେଖ କରାଯାଇଛି।

ରାଜ୍ୟରେ ଖାଲି ପଡିଥିବା ଚାରି ଲକ୍ଷ ସରକାରୀ ପଦ ଛଅ ମାସରେ ଭରିବାକୁ କୁହାଯାଇଛି। ଏଥିସହିତ ସରକାର ହେବାକ୍ଷଣି ଯୁବ ବର୍ଗଙ୍କ ପାଇଁ ସ୍ୱାଭିମାନ ଯୋଜନା ଆରମ୍ଭ କରିବାକୁ ଉଲ୍ଲେଖ କରାଯାଇଛି।

ଏହି ଯୋଜନା ଅନୁଯାୟୀ ଗ୍ରାଜୁଏଟ ଯୁବକ ମାନଙ୍କୁ ପ୍ରତି ମାସରେ ତିନି ହଜାର ଟଙ୍କା ଦିଆଯିବ। ସେହିପରି ଡିପ୍ଲୋମା ଧାରୀଙ୍କୁ ୧୫୦୦ ଟଙ୍କା, ଦୁଇ ଲକ୍ଷ ଯୁବକଙ୍କୁ କୌଶଳ ପ୍ରଶିକ୍ଷଣ ମାଧ୍ୟମରେ ୮ ରୁ ୧୦ ହଜାର ପ୍ରତି ମାସରେ ଦିଆଯିବାର ବ୍ୟବସ୍ଥା କରାଯାଇଛି।

ମତଦାତାଙ୍କୁ ଆକର୍ଷିତ କରିବା ଲାଗି ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କରିବାକୁ ବଚନ ପତ୍ରରେ ଘୋଷଣା କରାଯାଇଛି। କୃଷକ ମାନଙ୍କର ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବ। ନାରୀ ସମ୍ମାନ ନିଧି ଯୋଜନା ମାଧ୍ୟମରେ ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ଦିଆଯିବ ବୋଲି କୁହାଯାଇଛି।

ଘରୋଇ ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କା, ଗୃହ ଜ୍ୟୋତି ଯୋଜନାରେ ବିଜୁଳି ବିଲ ୧୦୦ ୟୁନିଟ ପର୍ଯ୍ୟନ୍ତ ଛାଡ଼ ୨୦୦ ୟୁନିଟ ଅଧା ବିଲ ନିଆଯିବ। କଂଗ୍ରେସ ଇସ୍ତାହାରରେ ରାଜ୍ୟର ପ୍ରାୟ ସମସ୍ତ ବର୍ଗଙ୍କ ପାଇଁ ଲୋଭନୀୟ ଯୋଜନା ଘୋଷଣା କରାଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆସନ୍ତା ନଭେମ୍ବର ୧୭ ତାରିଖରେ ଏମପିରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସର ଇସ୍ତାହାରକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି।

ଏପରିକି ପଛୁଆ ବର୍ଗଙ୍କ ପ୍ରସଙ୍ଗକୁ ଦଳ ଗୁରୁତ୍ୱ ଦେଉଥିବା ବେଳେ ସରକାର ଆସିଲେ ଏମପିରେ ଜାତିଗତ ଜନଗଣନା ହେବ ବୋଲି ଇସ୍ତାହାରରେ କୁହାଯାଇଛି।

ବହୁ ପୂର୍ବରୁ ଦଳ ବିଭିନ୍ନ ନିର୍ବାଚନ ଗ୍ୟାରେଣ୍ଟି ଘୋଷଣା କରିବା ସହ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିଆସୁଛି।

କର୍ଣ୍ଣାଟକରେ ଯେଭଳି ଗ୍ୟାରେଣ୍ଟି ଦେଇ ସରକାର ଆସିବା କ୍ଷଣି ପୂରଣ କରିଛି ତାକୁ ଉଦାହରଣ ଭାବେ ଦଳ ଏମପିରେ ପ୍ରଚାର ପ୍ରସାରକୁ ଜୋରଦାର କରିଛି। ତେଣୁ କଂଗ୍ରେସ ପକ୍ଷରୁ ଘୋଷିତ ଏହି ଇସ୍ତାହାରର ଏମପିବାସୀଙ୍କୁ କିଭଳି ଆକର୍ଷୀତ କରିବ ତା ଉପରେ ନଜର ।

Leave A Reply

Your email address will not be published.