ଭୁବନେଶ୍ୱର: ଓଡିଶାରେ ଯଦି ବିଦ୍ୟୁତ ଦେୟ ୧ ପଇସା ବୃଦ୍ଧି କରାଯିବ ତେବେ ରାଜ୍ୟବ୍ୟାପି ଆନ୍ଦୋଳନ ହେବେ । ସାଧାରଣ ବିଦ୍ୟୁତ ଖାଉଟିଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ପ୍ରତିଶୃତିବଦ୍ଧ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିଲେ ତୁରନ୍ତ ୩୦୦ ୟୁନିଟ୍ ବିଜୁଳି ମାଗଣା ଯୋଗାଇ ଦେବ ବୋଲି ନିର୍ବାଚନୀ ଘୋଷଣା କରାଯାଇଥିଲା । ପୁଣି ବିଜେପି ପକ୍ଷରୁ କୁହାଗଲା ଯେ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୋଫତ ବିଜୁଳି ଯୋଜନା” ମାଧ୍ୟମରେ ଖାଉଟିଙ୍କୁ ବିଜୁଳି ଯୋଗାଇ ଦିଆଯିବ । ୮ ମାସର ଶାସନ ପରେ ବି କ୍ଷମତାସୀନ ବିଜେପି ସରକାର ନିଜ ପ୍ରତିଶୃତିରେ ବିଫଳ ହୋଇଛନ୍ତି । ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବା ପରିବର୍ତ୍ତେ ଏବେ ବିଜୁଳି ଦେୟ ୟୁନିଟ୍ ପିଛା ୧୨.୪୨ ପଇସା ବୃଦ୍ଧି ପାଇଁ ଓଇଆରସିଙ୍କ ପାଖରେ ଟିପିସିଓଡିଏଲର ପ୍ରସ୍ତାବ ଦୁର୍ଭାଗ୍ୟଜନକ । ଏ ବାବଦରେ ରାଜ୍ୟ ସରକାର ଏବେବି ନିରୁତ୍ତର ।
ଟିପିସିଓଡିଏଲର ପକ୍ଷରୁ ଦର୍ଶାଯାଇଛି ଯେ ଆସନ୍ତା ବର୍ଷ ପାଇଁ ଗ୍ରୀଡ଼କୋ ଠାରୁ ଅଧିକ ୧୩୧୦ ନିୟୁତ ୟୁନିଟ୍ ବିଜୁଳି ଅଧିକ କ୍ରୟ ହେବ । ସମୁଦାୟ ୧୩୮୨୩ ନିୟୁତ ୟୁନିଟ୍ ବିଜୁଳି କ୍ରୟ କରିବାକୁ ୪୬୮୮.୩୬ କୋଟି ଟଙ୍କା ପୈଠ ହେବ । ଟାଟା ପାୱାର ପକ୍ଷରୁ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ବିତରଣ କ୍ଷତି ୨୩୭୪ ୟୁନିଟ ହେବ ଯାହାକି ୧୭.୧୭ ପ୍ରତିଶତ ଅଟେ । ଅବଶିଷ୍ଟ ୧୧୪୪୯ ନିୟୁତ ୟୁନିଟ ଉପଭୋକ୍ତାଙ୍କୁ ବିକ୍ରୟ କରାଯିବ ।
ଟିପିସିଓଡିଏଲର ପକ୍ଷରୁ କୁହାଯାଇଛି ଯେ ରାଜସ୍ୱ ଆବଶ୍ୟକତା ସମୁଦାୟ ୬୮୬୨.୫୪୨୦ କୋଟି ଟଙ୍କା ଆକଳନ ହୋଇଥିବା ବେଳେ ୬୭୨୦.୩୯ କୋଟି ଟଙ୍କା ଆଦାୟ ହେବ ବୋଲି ଜଣାପଡ଼ିଛି । ସୁତରାଂ ୧୪୨.୧୫ କୋଟି ଟଙ୍କା ରାଜସ୍ୱ ନିଅଂଟ ରହିବ ବୋଲି ଦର୍ଶାଇ କ୍ଷତି ଭରଣା ପାଇଁ ୟୁନିଟ୍ ପିଛା ୧୨.୪୨ ପଇସା ବଢ଼ାଇବା ପାଇଁ ପ୍ରସ୍ତାବ ଦିଆଯାଇଛି ।
ଶ୍ରୀ କାନୁନଗୋ ଅଭିଯୋଗ କରିଛନ୍ତି ଯେ, ୨୦୨୩-୨୪ ପାଇଁ ଆୟୋଗ ନିର୍ଦ୍ଧାରିତ କରିଥିବା ଶୁଳ୍କ ଠାରୁ ଟାଟା ୟୁନିଟ ପିଛା ପ୍ରାୟ ୨୮ ପଇସା ଅଧିକ ଆଦାୟ କରିଛି ଯାହା ଫଳରେ ୨୪୬.୪୭ ଲକ୍ଷ ଟଙ୍କା ଅଧିକ ପାଇଛି । ତେଣୁ ବିଦ୍ୟୁତ ଆଇନ ୨୦୦୩ ଧାରା ୬୨ (୬) ଅନୁସାରେ ଟାଟା ଉପଭୋକ୍ତା ମାନଙ୍କୁ ସୁଧ ସହ ଅର୍ଥ ଫେରସ୍ତ କରୁ । ଏଭଳି ପରିସ୍ଥିତି ସ୍ଥଳେ ଟିପିସିଓଡିଏଲର ବିଦ୍ୟୁତ ଦେୟ ପ୍ରସ୍ତାବ ଏକ କ୍ଷୋଭର ପ୍ରସଙ୍ଗ । ଶ୍ରୀ କାନୁନଗୋ ଦାବି କରିଛନ୍ତି ଯେ ରାଜ୍ୟ ସରକାରଙ୍କର ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ୩୦୦ ୟୁନିଟ ମାଗଣା ବିଜୁଳିର ବ୍ୟବସ୍ଥା କରନ୍ତୁ ଏବଂ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ ମନବୃତ୍ତିରୁ ସରକାର ନିବୃତ ରୁହନ୍ତୁ । ଗ୍ରୀଡ଼କୋ ରାଜ୍ୟ ସରକାରଙ୍କ ଅଧିନରେ ଥିବାରୁ ରାଜ୍ୟ ସରକାର ବିଜୁଳି ଦର ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ।
Comments are closed.