ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଆମ୍ବେଦକରଙ୍କ ବିଷୟରେ ମନ୍ତବ୍ୟକୁ ନେଇ ଆଜି ସଂସଦରେ ଜୋରଦାର ବିରୋଧ କରିଛି କଂଗ୍ରେସ । ଏହାକୁ ନେଇ ଆଜି କଂଗ୍ରେସ ସାଂସଦମାନେ ଅମିତ୍ ଶାହଙ୍କୁ ବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ତାଙ୍କ ଇସ୍ତଫା ଦାବି କରିଥିଲେ । ଏଭଳି ମନ୍ତବ୍ୟ ପାଇଁ ଶାହ କ୍ଷମା ମାଗନ୍ତୁ ବୋଲି କହିଛନ୍ତି କଂଗ୍ରେସ । ସେପଟେ କଂଗ୍ରେସର ଏଭଳି ବିରୋଧକୁ ଚିପ୍ ଟ୍ରାକ୍ ବୋଲି କହିଛି ବିଜେପି ।
ତେବେ ଲଗାତାର କିଛି ଦିନ ହେବ ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ କଂଗ୍ରେସ ଏବଂ ବିରୋଧୀ ନେତାମାନେ ଅନନ୍ୟ ଢଙ୍ଗରେ ସଂସଦରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଆଉ ଆଜି ଆମ୍ବେଦକରଙ୍କ ଉପରେ ଅମିତ୍ ଶାହାଙ୍କ ମନ୍ତବ୍ୟକୁ ନେଇ ପୁଣି ତାତିଛନ୍ତି । ହାତରେ ଆମ୍ବେଦକରଙ୍କ ଫଟୋ ଧରି ଜୟ ଭିମ୍ ଏବଂ ଅମିତ୍ ଶାହ କ୍ଷମା ମାଗନ୍ତୁ ବୋଲି ନାରାବାଜି କରିଥିଲେ । ଏଥିସହିତ ଏହା ବିଭିନ୍ନ ରାଜ୍ୟ ମାନଙ୍କରେ ମଧ୍ୟ ବିରୋଧର ସ୍ବର ଉତ୍ତୋଳନ କରିଛି ।
ତେବେ କହିରଖୁଛୁ, ରାଜ୍ୟସଭାରେ ନିଜର ଅଭିଭାଷଣ ରଖିବା ବେଳେ ଅମିତ୍ ଶାହା କହିଥିଲେ, କଂଗ୍ରେସ ପାଇଁ ଏବେ ଯେମିତି ଆମ୍ବେଦକରଙ୍କ ନାଁ ନେବା ଗୋଟେ ଫ୍ୟାସନ ହୋଇଗଲାଣି । ଯେତିକି ଥର ଆମ୍ବେଦକର, ଆମ୍ବେଦକର ହେଉଛନ୍ତି, ସେଥିକି ଥର ଯଦି ଭଗବାନଙ୍କ ନାମ ନେଇଥାନ୍ତେ, ତାହେଲେ ସାତ ଜନ୍ମ ପାଇଁ ସ୍ବର୍ଗରେ ଜାଗା ମିଳିଯାଇଥାନ୍ତା ।
ଯାହାକୁ ନେଇ ବିରୋଧ କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ତୀବ୍ର ସମାଲୋଚନା କରିବା ସହ ଶାହଙ୍କ ଇସ୍ତାଫା ଦାବି କରିଥିଲେ । ସେ କହିଥିଲେ, ଏପରି କହି ସମ୍ବିଧାନର ନିର୍ମାତାଙ୍କୁ ଶାହ ଅପମାନିତ କରିଛନ୍ତି । ତାଙ୍କ ଅନୁସାରେ ଆମ୍ବେଦକରଙ୍କ ନାଁ ନେବା ପାପ । ଏହାର ବିରୋଧରେ ମୁଁ ରାଜ୍ୟ ସଭାରେ ପାଇଁ ହାତ ଟେକିଥିଲି ହେଲେ ମୋତେ ସୁଯୋଗ ଦେଇନଥିଲେ । ଏଥିସହିତ ଏହାକୁ ନେଇ ରାହୁଲ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଯେଉଁମାନେ ମନୁସ୍ମୃତିରେ ବିଶ୍ୱାସ କରନ୍ତି, ସେମାନେ ନିଶ୍ଚିତ ଭାବରେ ଆମ୍ବେଦକରଙ୍କ ସହ ମତଭେଦ କରିବେ ।
ଅନ୍ୟପଟେ ଏହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ୍ । ଏପରି କହି ବିଜେପି ତାର ଗର୍ବ ଦେଖାଉଛି । ଆମ୍ବେଦକର ମଧ୍ୟ ଭଗବାନଙ୍କ ଠାରୁ କମ୍ ନୁହନ୍ତି ବୋଲି କହିଛନ୍ତି ଆପ୍ ମୁଖିଆ ।