Latest Odisha News

BREAKING NEWS

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କଥା କହି ବିଜେଡି ଉପରେ ବର୍ଷିଲା କଂଗ୍ରେସ

ଯାଜପୁର: ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାରେ ବ୍ୟାପକ ଅନିୟମିତତା ଦର୍ଶାଇ ଯାଜପୁର ବଡଚଣାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପଦଯାତ୍ରା ହୋଇଛି। କଂଗ୍ରେସ ନେତା ରାଜନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ପଦଯାତ୍ରା ପରେ ସମର୍ଥକମାନେ ବଡଚଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ପଦଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପ୍ରଭାରୀ ଏ ଚେଲ୍ଲା କୁମାର ଏବଂ ନୂଆ ଭାବେ କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବିଜେଡି ଉପରେ ବର୍ଷିଥିଲେ।

ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଶରତ ପଟ୍ଟନାୟକ କହିଛନ୍ତି, ଯାଜପୁରରେ କଂଗ୍ରେସର ବିଶାଳ ଜନସମର୍ଥନ ଦେଖି ମୁଁ ଅଭିଭୂତ। କଂଗ୍ରେସ ଦଳକୁ ଅଶେଷ ସମର୍ଥନ ଦେଇଥିବାରୁ ବଡଚଣାବାସୀଙ୍କୁ ଧନ୍ୟବାଦ। ବିଜେଡିର ୨୨ ବର୍ଷର ଶାସନ ଆଗାମୀ ନିର୍ବାଚନରେ ଶେଷ ହେବ। ଓଡ଼ିଶାରେ କେହି ସୁରକ୍ଷିତ ନୁହନ୍ତି। ଏପରିକି ମନ୍ତ୍ରୀ ମଧ୍ୟ ନୁହନ୍ତି। ମହିଳାଙ୍କ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି।

ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାର କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସବୁଠୁ ଖରାପ ସ୍ଥିତିରେ ରହିଛି। ଦିନ ଦ୍ୱିପ୍ରହରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜଣେ ପୁଲିସ ଏଏସ୍ଆଇ ତାଙ୍କୁ ଗୁଳି କରିଛନ୍ତି। ହେଲେ ଏହାକୁ ତଦନ୍ତକାରୀ ଟିମ୍ ପ୍ରମାଣିତ କରିପାରୁ ନାହିଁ। କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ବିଜେଡି ଜୋରଦାର ଉଦ୍ୟମ ଚଳାଇଛି। କାରଣ ସେମାନେ ଜାଣନ୍ତି, ଆମେ କ୍ଷମତାକୁ ଆସିଲେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ପ୍ରତ୍ୟେକ ଅପରାଧିକ ମାମଲାର ତଦନ୍ତ କରିବୁ।

ବଡଚଣା କଂଗ୍ରେସ ନେତା ରାଜନାରାୟଣ ମହାପାତ୍ର କହିଛନ୍ତି, ବଡ଼ଚଣାରେ ବିଜେଡିର ଗୁଣ୍ଡାରାଜ, ଦୁର୍ନୀତିକୁ ବିରୋଧ କରି ଏଠାରେ ୧୫ ହଜାରରୁ ଅଧିକ ଲୋକ ଏକାଠି ହୋଇଛନ୍ତି। ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ତାଲିକାରେ କେବଳ ବଡଚଣା ବ୍ଲକରେ ୧୫୦୦-୧୭୦୦ ଅଭିଯୋଗ ରହିଛି। ହିତାଧିକାରୀ ତାଲିକାରେ ନାଁ ସାମିଲ କରିବା ପାଇଁ ଲୋକଙ୍କ ଠାରୁ ଟଙ୍କା ନେଉଥିବା ୫-୬ ଜଣ ଦଲାଲ ବିଜେଡି ସହ ଜଡିତ। ଆଗାମୀ ନିର୍ବାଚନରେ ଲୋକମାନେ ଏହାର ଜବାବ ଦେବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

 

 

Leave A Reply

Your email address will not be published.