Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ”ଅଗର କଂଗ୍ରେସ ନା ହୋତି”କୁ ନେଇ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ‘କଂଗ୍ରେସ ନା ହୋତି’ କୁ ନେଇ କଂଗ୍ରେସ ବିଜେପି ଉପରେ ବର୍ଷିଛି । ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଆଜି କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗର କଂଗ୍ରେସ ନା ହୋତି ଭାଷଣ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦଳର ପୂର୍ବଜ ମାନେ ବ୍ରିଟିସର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଦେଶର ସ୍ୱାଧିନତା ପାଇଁ ଆରସେସ୍ ବା ଜନସଂଘର ଟିକିଏ ମାତ୍ର ଅବଦାନ ନାହିଁ ।

BjdElectrycity

କଂଗ୍ରେସ ଏକ ଦଳ ନୁହେଁ, କଂଗ୍ରେସ ଏକ ବିଚାରଧାରା । ଦେଶର ଜନସାଧାରଣ କଂଗ୍ରେସର ବିଚାର ଧାରାରେ ଅନୁପ୍ରାଣିତ ହୋଇ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ବୋଷଙ୍କ ନେତୃତ୍ୱରେ ଦେଶରୁ ବ୍ରିଟିଶ ରାଜକୁ ବିଲିନ କଲେ । କଂଗ୍ରେସ ଭାରତ ଗଠନ କରିଛି ।

କାରଣ ଆଜିର ବିଜେପି ଦଳର ମୂଳ ମଞ୍ଜି ଯେଉଁ ଦଳ ଥିଲା ଏବଂ ତାର ନେତାମାନେ ଏ ଦେଶରେ ବ୍ରିଟିଶରାଜ ରହୁ ବୋଲି ଚାହୁଁଥିଲେ ଏବଂ ବ୍ରିଟିଶ ଶାସନ ରହୁ ବୋଲି କାର୍ଯ୍ୟ ମଧ୍ୟ କରୁଥିଲେ । ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ, ବିଜ୍ଞାନ କାରିଗରୀ ଓ ସାମରିକ କ୍ଷେତ୍ରରେ ଦେଶକୁ ଶକ୍ତିଶାଳୀ କରିବା କଂଗ୍ରେସର ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦି ଉପେକ୍ଷା କରିବା ଦୁର୍ଭାଗ୍ୟଜନକ ।

କଂଗ୍ରେସରୁ ସୃଷ୍ଟ ନେହେରୁ, ଇନ୍ଦିରା, ରାଜୀବ ଓ ମନମୋହନଙ୍କ ପରି ପ୍ରଧାନମନ୍ତ୍ରୀ ଦେଶପାଇଁ ଯେଉଁ ସଂପତି ସୃଷ୍ଟିକରିଥିଲେ ତାହାକୁ ନରେନ୍ଦ୍ର ମୋଦି ଏବେ ବିକ୍ରୀ କରିଚାଲିଛନ୍ତି । ୧୯୭୧ ମସିହାରେ ଇନ୍ଦିରା ପାକିସ୍ଥାନକୁ ଦୁଇଭାଗ କରିଦେଇଥିବା ଘଟଣାକୁ କ’ଣ ମୋଦି ପାସୋରି ଗଲେଣକି ବୋଲି ଶ୍ରୀ ରାୟ ପ୍ରଶ୍ନ କରିଛନ୍ତି ।

ନରେନ୍ଦ୍ର ମୋଦୀ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ଯଜେ୍ଞଶ୍ୱର ବାବୁ, ଉପସଭାପତି, ପ୍ରଦେଶ କଂଗ୍ରେସ କମିଟି ଏଠାରେ ଉପସ୍ଥିତ ରହି କହିବା ସହ ମୋଦୀଙ୍କର “ଅଗର କଂଗ୍ରେସ ନା ହୋତି”ଭାଷଣରୁ ସ୍ପଷ୍ଟ ହେଉଛି ଯେ ମୋଦି ନିଜର ଅପକର୍ମ ଓ କୁଶାସନ ପାଇଁ ଜନସାଧାରଣଙ୍କ ବିଶ୍ୱାସନୀୟତା ହରାଇଛନ୍ତି ।

ମୁଖ୍ୟ ପ୍ରସଙ୍ଗରୁ ଓହରିଯାଇ ଏକ ବାଚଳା ଏବଂ ଷଡ଼କଛାପର ପରି ଭାଷଣ ଦେଉଛନ୍ତି ବୋଲି କହିଛନ୍ତି। ଏତଦ୍ୱାରା ନିଜର ପ୍ରଧାନମନ୍ତ୍ରୀ ପଦମର୍ଯ୍ୟାଦା ଏବଂ ସଂସଦର ଗରିମା ନଷ୍ଟ କରିଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ବାବୁ ପ୍ରଶ୍ନ କରିଛନ୍ତି ଯେ ଦେଶରେ କରୋନା ମହାମାରୀ ବ୍ୟାପିଲା, ଅମ୍ଳଜାନ ବିନା ଲୋକ ମଲେ, ଗଙ୍ଗାନଦୀରେ ହଜାର ହଜାର କରୋନା ଜନିତ ମୃତକଙ୍କ ଶବ ଭାଷିଲା, ବିମୁଦ୍ରୀକରଣ ବିଫଳହେଲା, କଳାଟଙ୍କା ଆସିଲା ନାହିଁ, ଲୋକଙ୍କ ଖାତାରେ ୧୫ଲକ୍ଷ ପଡ଼ିଲା ନାହିଁ, ଦେଶରେ ବେକାରୀଙ୍କ ସଂଖ୍ୟା ଉତ୍କଟ ହେଲା, ଦେଶରେ ଅର୍ଥନୀତି ରସାତଳଗାମୀ ତଥା ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ହେବା ପାଇଁ କ’ଣ କଂଗ୍ରେସ ଦାୟୀକି?

ମୋଦିଙ୍କର ଦଳର ପୂର୍ବଜମାନେ ଭାରତଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିନଥିଲେ ବରଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଧରାଇଦେବା ପାଇଁ ବ୍ରିଟିଶର ଚାମଚାଗିରି କରୁଥିଲେ । ସୁତରାଂ ୫ଟି ରାଜ୍ୟରେ ସାଧାରଣ ନିର୍ବାଚନରେ ମୋଦିଙ୍କ ଦଳ ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖାନ କରୁଥିବା ଜାଣି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ “ଅଗର କଂଗ୍ରେସ ନା ହୋତି” ଭାଷଣ ତାଙ୍କର ନୈରାଶ୍ୟର ପ୍ରତିଫଳନ । ଶ୍ରୀ ଜଙ୍ଗେଶ୍ୱର ବାବୁ ଙ୍କ ସମେତ ଏହି ସାମ୍ବାଦିକ ସମ୍ମିଳନୀରେ ଶିବାନନ୍ଦ ରାୟ,ମନୋରଞ୍ଜନ ଦାସ, ଚିନ୍ମୟ ସୁନ୍ଦର ଦାସ, ରବି ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.