ଭୁବନେଶ୍ୱର : ମମିତା ମେହେରକୁ ନ୍ୟାୟ ଦାବିରେ ଆନ୍ଦୋଳନ କରିଥିବା ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କୁ ପୋଲିସ ଆକ୍ରମଣ କରିଛି । ଅନ୍ୟପଟେ ପୁରୀର ଜନୈକ ଯୁବକ ଚିତ ରଞ୍ଜନ ପଲାଇ ହତ୍ୟାକାଣ୍ଡରେ ପରିବାର ପକ୍ଷରୁ ଯାହାଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ କରାଯାଇଛି ସେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟର କାର୍ଯ୍ୟାଳୟ ସଂପାଦକ । ଯଦି ଦମ୍ ଅଛି ଓଡିଶା ପୋଲିସର ତେବେ ବିଜୁ ଜନତା ରାଜ୍ୟ କାର୍ଯ୍ୟାଳୟରେ ପଶି ସେହି ଅଭିଯୁକ୍ତକୁ ପାଟି ଅଫିସରୁ ଘୋଷାଡି ଆଣିବାକୁ ଆହ୍ୱାନ ଦେଇଛନ୍ତି ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମନୋଜ ମହାପାତ୍ର କହିଲେ ଯେ ଗତ ୧୦ ତାରିଖରେ ଓଡ଼ିଶା ପୋଲିସ କଂଗ୍ରେସ ଭବନ ଭିତରେ ପଶି ବହୁ ଲୋକଙ୍କୁ ଆକ୍ରମଣ କରିଥିଲା ଓ ବ୍ୟାପକ ଭଙ୍ଗାରୁଜା କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ପୋଲିସମାନଙ୍କ ବିରୋଧରେ ଏପର୍ଯ୍ୟନ୍ତ ହତ୍ୟା ଉଦ୍ୟମ ଅଭିଯୋଗ ସଂଗୀନ ଦଫାରେ ମାମଲା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।
ମମିତା ମେହେର ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ, ଏସିଏଫ ସୌମ୍ୟ ରଞ୍ଜନ ମାମଲାରେ ଜଙ୍ଗଲ ମନ୍ତ୍ରୀ ଓ ପରୀ ହତ୍ୟା ଘଟଣାରେ କୃଷି ମନ୍ତ୍ରୀଙ୍କ ସମ୍ପୃକ୍ତି ଯୋଗୁଁ ଆଜି ବିଜୁ ଜନତା ଦଳ ଓ ତାଙ୍କ ସରକାରରେ ଅନେକ ଅଭିଯୁକ୍ତ ଆଶ୍ରୟ ନେଇଛନ୍ତି । ବିଜୁ ଜନତା ଦଳ ଓ ରାଜ୍ୟ ସରକାର ଅପରାଧିଙ୍କ ଚରାଭୂଇଁ ହୋଇଥିଲେ ମଧ୍ୟ ଓଡ଼ିଶା ପୋଲିସ ଓ କ୍ରାଇମବ୍ରାଂଚ ତଦନ୍ତ କରି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜନୈତିକ ପ୍ରତିଦ୍ୱନ୍ଦି, ବିରୋଧି ନେତା ମାନଙ୍କ ବିରୋଧରେ ଗୁଇନ୍ଦାଗିରୀ କାର୍ଯ୍ୟ କରୁଛି । । ପୋଲିସକୁ ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଛି । ଯାହା ଆଜି ସତ୍ୟ ପ୍ରମାଣିତ ହୋଇଛି କଂଗ୍ରେସ ଭବନ ଆକ୍ରମଣ ଘଟଣା ଉପରେ ସ୍ପେସାଲ ବ୍ରାଂଚରେ ଏହି ଗୁଇନ୍ଦା ରିପୋର୍ଟ ଉପରେ ସ୍ପଷ୍ଟି କରଣ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।
ଉତରପ୍ରଦେଶ ଲଖୀମପୁର ଖେରୀ ଘଟଣାରେ ସୁପ୍ରିମ କୋର୍ଟଙ୍କ ତତ୍ୱାବଧାନରେ ଗଠିତ ଏସଆଇଟି ଯେଭଳି ଭାବେ ଯୋଜନା ବଦ୍ଧ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ସଂପର୍କରେ ପର୍ଦାଫାସ କରିପାରିଲେ ଓଡ଼ିଶାରେ ମଧ୍ୟ ସେଭଳି ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ଗଠନ କରି ଏ ସବୁ ଅପରାଧ ଘଟଣାର ତଦନ୍ତ କରାଯାଏ ତାହାହେଲେ ବିଜୁ ଜନତା ଦଳ ଓ ରାଜ୍ୟ ସରକାରଙ୍କର ମନ୍ତ୍ରୀ ମାନଙ୍କର ଅସଲ ମୁଖା ଖୋଲିବ । । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଶାନ୍ତନୁ ସାହୁ ଓ ସନ୍ତୋଷ କୁମ୍ଭାର ଉପସ୍ଥିତ ଥିଲେ ।
Comments are closed.