ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ କଂଗ୍ରେସର ଜୟ ବାପୁ,ଜୟ ଭୀମ, ଜୟ ସମ୍ବିଧାନ ରାଲି । ସମସ୍ତ ବ୍ଲକ, ଜିଲ୍ଲା ଓ ରାଜ୍ୟରେ ହେବ କାର୍ଯ୍ୟକ୍ରମ। ଆସନ୍ତା ଜାନୁଆରୀ ୨୬ରେ ଭୀମରାଓ ଆମ୍ବେଦକରଙ୍କ ଜନ୍ମସ୍ଥାନ ମଧ୍ୟପ୍ରଦେଶର ମହୁ ସହରରେ ହେବ ବିଶାଳ ରାଲି। ଏହି କାର୍ଯ୍ୟକ୍ରମ ଡିସେମ୍ବର ୨୭ରୁ ଆରମ୍ଭ ହେବାର ଥିଲା। ମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।
ଜାନୁଆରୀ ୨୬ ହେଉଛି ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ତମ ବାର୍ଷିକୀ। କଂଗ୍ରେସ ପକ୍ଷରୁ କୁହାଯାଇଛି- ସମ୍ବିଧାନ ମୂଲ୍ଯବୋଧର ସୁରକ୍ଷା ଲାଗି ଦଳ ସଂଗ୍ରାମ କରିବ । ଏହା ସହ ଭାରତୀୟ ସ୍ବାଧୀନତା ସଂଗ୍ରାମର ଆଦର୍ଶର ସୁରକ୍ଷା ଦିଗରେ କଂଗ୍ରେସ କାର୍ଯ୍ୟ କରିବ।
କଂଗ୍ରେସର କାର୍ଯ୍ୟକ୍ରମ ସାରା ଜାନୁଆରୀରେ ଚାଲିବ ଏବଂ ଜାନୁଆରୀ ୨୬ରାଲି ପାଇଁ ପ୍ରସ୍ତୁତି କରାଯିବ। କଂଗ୍ରେସ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୨୦୨୫ ଜାନୁଆରୀ ୨୬ରୁ ୨୦୨୬ ଜାନୁଆରୀ ୨୬ ଯାଏଁ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ସମ୍ବିଧାନ ବଚାଓ ରାଷ୍ଟ୍ରୀୟ ପଦଯାତ୍ରା ଜାରି ରହିବ। ଗାଁରୁ ଗାଁକୁ, ସହରରୁ ସହରକୁ ଏହି କାର୍ଯ୍ୟକ୍ରମ ଚାଲିବ। ଆସନ୍ତା ଏପ୍ରିଲରେ ଗୁଜରାଟରେ ହେବ ଏଆଇସିସି ଅଧିବେଶନ।
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଥିଲେ ଯେ ତାଙ୍କ ଦଳ ଜାନୁଆରୀ ୩ ପରେ ଜୟ ବାପୁ, ଜୟ ଭୀମ ଏବଂ ଜୟ ସମ୍ବିଧାନ ଅଭିଯାନ ଆରମ୍ଭ କରିବ। ଏହି ଅଭିଯାନ ଅଧୀନରେ କଂଗ୍ରେସ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିବ। କଂଗ୍ରେସ ଅଭିଯୋଗ କରିଛି ଯେ ଅମିତ ଶାହା ନିକଟରେ ସଂସଦରେ ଭାଷଣ ଦେବାବେଳେ ଡକ୍ଟର ଆମ୍ବେଦକରଙ୍କୁ ଅପମାନିତ କରିଥିଲେ।ଆମର ଦାବି ହେଉଛି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କ୍ଷମା ମାଗନ୍ତୁ ଏବଂ ଇସ୍ତଫା ଦିଅନ୍ତୁ।
ସୂଚନାଯୋଗ୍ୟ, ଶୀତ ଅଧିବେଶନରେ ରାଜ୍ୟ ସଭାରେ ତାଙ୍କ ଅଭିଭାଷଣରେ ଅମିତ ଶାହା କହିଥିଲେ ଯେ ଆଜିକାଲି କଂଗ୍ରେସ ଲୋକମାନେ ଆମ୍ବେଦକରଙ୍କ ନାମ ବହୁତ ନେଉଛନ୍ତି, ଯଦି ସେମାନେ ଭଗବାନଙ୍କ ଏତେ ନାମ ନେଇଥାନ୍ତେ ତେବେ ସେମାନେ ସ୍ବର୍ଗ ପାଇଥାନ୍ତେ। କଂଗ୍ରେସ ଏହାକୁ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଅପମାନ ବୋଲି କହିଛି ଏବଂ ଏହି ପ୍ରସଙ୍ଗରେ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି।
Comments are closed.