Latest Odisha News

BREAKING NEWS

ହିମାନୀ ନରୱାଲ କିଏ? ବନ୍ଦ ସୁଟକେସରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ନିର୍ମମ ଭାବେ ହତ୍ୟା କରିବା ଘଟଣା ହରିୟାଣାରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶୁକ୍ରବାର ରୋହତକର ସାମ୍ପଲା ବସ୍ ଷ୍ଟାଣ୍ଡ ନିକଟରେ ତାଙ୍କ ମୃତଦେହ ଏକ ସୁଟକେସ୍‌ରୁ ମିଳିଥିଲା। ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ଏହି ଘଟଣା ଘଟିଛି। ଏହି ଘଟଣା ରାଜ୍ୟରେ ରାଜନୈତିକ ବିବାଦ ସୃଷ୍ଟି କରିଛି। କଂଗ୍ରେସ ଏହି ହତ୍ୟାକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ତେବେ ଆସନ୍ତୁ ଜାଣିବା ହିମାନୀ ନରୱାଲ କିଏ ?

କଂଗ୍ରେସ କର୍ମୀ ହିମାନୀ ନରୱାଲ ସୋନିପତର କଥୁରା ଗାଁର ବାସିନ୍ଦା ଥିଲେ। ସେ ଯୁବ କଂଗ୍ରେସ ରୋହତକ ଗ୍ରାମୀଣର ଜିଲ୍ଲା ଉପାଧ୍ୟକ୍ଷ ମଧ୍ୟ ଥିଲେ। ତାଙ୍କୁ କଂଗ୍ରେସର ଜଣେ ସାହସୀ, ସଚେତନ ଏବଂ ସକ୍ରିୟ କର୍ମୀ ଭାବରେ ଗଣନା କରାଯାଉଥିଲା। ଭାରତ ଯୋଡ ଯାତ୍ରା ହେଉ କିମ୍ବା କଂଗ୍ରେସର ଅନ୍ୟ କୌଣସି ଅଭିଯାନ, ହିମାନୀ ପ୍ରତ୍ୟେକ ଦାୟିତ୍ୱକୁ ବହୁତ ଭଲ ଭାବରେ ନିର୍ବାହ କରିଥିଲେ। ଭାରତ ଯୋଡ଼ ଯାତ୍ରାରେ ତାଙ୍କୁ ରାହୁଲ ଗାନ୍ଧୀଙ୍କ ସହ ଦେଖିବାକୁ ମିଳିଥିଲା।ସେ ଆଇନ ବିଷୟରେ ପଢ଼ିଥିଲେ ଏବଂ ରୋହତକରେ ଭଡ଼ାରେ ରହୁଥିଲେ।

ହିମାନୀ ପ୍ରାୟତଃ ରୋହତକ ସାଂସଦ ଦୀପେନ୍ଦର ହୁଡାଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ। ସେ କଂଗ୍ରେସ ରାଲି ଏବଂ ସାମାଜିକ କାର୍ଯ୍ୟକ୍ରମରେ ହରିୟାଣଭି ଲୋକ କଳାକାରଙ୍କ ସହିତ ପ୍ରଦର୍ଶନ କରିବା ପାଇଁ ମଧ୍ୟ ଜଣାଶୁଣା ଥିଲେ।। ଗତକାଲି ହରିୟାଣାର ରୋହତକରେ ଏକ ସୁଟକେସ୍ ଭିତରେ ଏହି ୨୨ ବର୍ଷୀୟା କଂଗ୍ରେସ କର୍ମୀଙ୍କ ମୃତଦେହ ରହିଥିବାର ଦେଖିବାକୁ ମିଳିଥିଲା। ତେବେ ମୃତଦେହ ମିଳିବା ପରେ ତଦନ୍ତ ଜାରି ରହିଛି। ଏହି ମୃତଦେହକୁ ଦେଖିବାପରେ ଏହା ଏକ ହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଝିଅଟିକୁ ଗଳାକାଟି ହତ୍ୟା କରାଯାଇଛି। ଏହାପରେ ମୃତଦେହକୁ ଏକ ସୁଟକେସରେ ରଖି ଫୋପାଡ଼ି ଦିଆଯାଇଛି। ପୋଲିସ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏବିଷୟରେ ଜଣାଇବା ପରେ ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ୍ କହିବାନୁଯାୟୀ, ପୀଡିତାଙ୍କ ବେକରେ ଓଢ଼ଣୀ ଗୁଡ଼ାଯାଇଥିଲା ଏବଂ ପୀଡିତାଙ୍କ ହାତରେ ମେହେନ୍ଦି ଲାଗିଥିଲା। ଯାହାକୁ ପୋଲିସ ସନ୍ଦେହ କରୁଛି ଯେ ନରୱାଲଙ୍କୁ ଓଢ଼ଣୀରେ ହତ୍ୟା କରାଯାଇ ଥାଇପାରେ। ପୋଲିସ ପୋଷ୍ଟମର୍ଟମ୍ ପାଇଁ ତାଙ୍କ ମୃତଦେହକୁ ପିଜିଆଇଏମଏସ୍ ରୋହତକକୁ ପଠାଇଥିଲା। ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ସହ ଘଟଣାର ଏସ୍‌ଆଇଟି ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ ।

 

Comments are closed.