ଭୁବନେଶ୍ୱର: ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୧୯ଟି ବୁଥରେ ଭୋଟ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଅଞ୍ଜଳି ପ୍ରଧାନ । ସିଂଲା ଥାନାର ଭାରପ୍ରାପ୍ତ ଅଧିକାରୀ ଓ ବସ୍ତା ଈଊଙଙ୍କ ଅବହେଳା ଓ ସଂପୃକ୍ତି ରହିଥିବା ସେ ଅଭିଯୋଗ କରି ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାକୁ ନେଇ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ଅଞ୍ଜଳି ପ୍ରଧାନ ଏବଂ ପିସିସି ମୁଖପାତ୍ର ମନୋଜ ମହାପାତ୍ର ଆଜି ନିର୍ବାଚନ କମିଶନଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ।
ଜିଲ୍ଲାର ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର କାଦ୍ରୟାନ ଓ କରୁଆ ପଞ୍ଚାୟତର ୧୯ ଟି ବୁଥରେ ଗତ ୧୮ ତାରିଖରେ ଅନୁଷ୍ଠିତ ନିର୍ବାଚନ ସମୟରେ ବ୍ୟାପକ ଜାଲିଆତି, ବୁଥ ଦାଖଲ, ବିଭିନ୍ନ ପ୍ରକାରର ଅନିୟମିତତା ହୋଇଥିବା କହିଛନ୍ତି କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଅଞ୍ଜଳି ପ୍ରଧାନ । ଏହାକୁ ନେଇ ରବିବାର ନିର୍ବାଚନ କମିଶନଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଞ୍ଜଳି ଅଭିଯୋଗ କରିଛନ୍ତି ଯେ ସେଠାରେ ଶାସକ ଦଳର ନେତା ତଥା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସ୍ବାମୀ ଓ ପୋଲିସ ଅଫିସରଙ୍କ ଭିତରେ ସମ୍ପର୍କ ଖୁବ୍ ମଧୁର । ସେଥିପାଇଁ ଶାସକ ଦଳ ବୁଥ ରାଗିଂ କରିବାକୁ ସଫଳ ହେଲା ବୋଲି ପ୍ରଧାନ କମିଶନଙ୍କ ସାମ୍ନାରେ ଅଭିଯୋଗ ଆଣିଛନ୍ତି । ପୋଲିସ ସହିତ ଶାସକ ଦଳ ମଧୁଚନ୍ଦ୍ରିକା ପାଇଁ ନିର୍ବାଚନ ଦିନ ସେଠାରେ ପୋଲିସ ଫୋର୍ସ ମୁତୟନ କରାଗଲା ନାହିଁ କିମ୍ବା ଭିଡିଓ ରେକର୍ଡ କରାଗଲା ନାହିଁ । ଅବାଧରେ ଭୋଟରେ ଜାଲିଆତି କରିବାର ସୁଯୋଗ ଦିଆଗଲା । ଜଣେ ଦୁଇ ଜଣ ଅନ୍ୟ ସମସ୍ତଙ୍କ ପାଇଁ ଭୋଟ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି।
Comments are closed.