Latest Odisha News

ଏମପିରେ ମୋଦିଙ୍କ ଆଶୀର୍ବାଦ ସହ ରାହୁଲଙ୍କ ଆକ୍ରୋଶ ଲଢେଇ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି। କ୍ଷମତା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଏଠାରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ଦଳ ଲୋଭନୀୟ ଯୋଜନା ଓ ପ୍ରତିଶ୍ରୁତି ମାଧ୍ୟମରେ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ କରିଛନ୍ତି।

କ୍ଷମତାରେ ଥିବା ବିଜେପି ବିଭିନ୍ନ ଯୋଜନା ସହ ଜନ ଆଶୀର୍ବାଦ ଯାତ୍ରା ଦ୍ୱାରା ଦଳ ସପକ୍ଷରେ ବଡ଼ ବାତାବରଣ ତିଆରି କରିବା ଉଦ୍ୟମକୁ ଜୋରଦାର କରୁଛି। ରାଜ୍ୟବ୍ୟାପି ବିଜେପି ପକ୍ଷରୁ ଚାଲିଥିବା ଜନ ଆଶୀର୍ବାଦ ଯାତ୍ରାରେ ବିଜେପିର ପ୍ରମୁଖ କେନ୍ଦ୍ରୀୟ ନେତୃତ୍ୱ ସାମିଲ ହେଉଛନ୍ତି।

ଯାତ୍ରାର ଶେଷରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ବିଜେପିର ଏହି ଯାତ୍ରାକୁ କାଉଣ୍ଟର କରିବାକୁ କଂଗ୍ରେସ ଜନ ଆକ୍ରୋଶ ଯାତ୍ରା କରିବ। ଶିବରାଜ ସିଂ ସରକାରଙ୍କ ବିଫଳତାକୁ ନେଇ ଦଳ ଏହି ଯାତ୍ରା କରିବ।

ବିଜେପିର ଜନ ଆଶୀର୍ବାଦ ଯାତ୍ରା ତୁଳନାରେ କଂଗ୍ରେସର ଜନ ଆକ୍ରୋଶ ଯାତ୍ରା ଅଧିକ ୧୯ ଟି ବିଧାନସଭା କ୍ଷେତ୍ର କଭର କରିବ। କଂଗ୍ରେସର ଏହି ଆକ୍ରୋଶ ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସାମିଲ ହେବେ।

ଜନ ଆଶୀର୍ବାଦ ଯାତ୍ରା ମାଧ୍ୟମରେ ବିଜେପି ରାଜ୍ୟର ପାଞ୍ଚୋଟି ଅଲଗା ଅଲଗା ସ୍ଥାନରୁ ଯାତ୍ରା ବାହାର କରିବା ସହ ୧୦ ହଜାର କିଲୋମିଟରରୁ ଅଧିକ କଭର କରିବ। ତେଣୁ ଏହାର ଜବାଵ ଦେବାକୁ କଂଗ୍ରେସ ଜନ ଆକ୍ରୋଶ ଯାତ୍ରାକୁ ସଫଳ କରିବାକୁ ଲାଗି ପଡିଛି।

ସୂଚନା ଅନୁଯାୟୀ ଚଳିତ ମାସ ୧୫ କିମ୍ବା ୧୭ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ଅଧୀନରେ ରାଜ୍ୟର ସମସ୍ତ ବିଧାନସଭା ସିଟକୁ କଭର କରାଯିବ ବୋଲି ଏମପି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ କେ କେ ମିଶ୍ର କହିଛନ୍ତି।

ଯାତ୍ରା ବେଳେ ନିଯୁକ୍ତି ପରୀକ୍ଷାରେ ହୋଇଥିବା ଜାଲିଆତି, ମହାକାଳ ଲୋକରେ ସପ୍ତଋଷିଙ୍କ ମୂର୍ତ୍ତି ଖଣ୍ଡିତ ହେବା ପ୍ରସଙ୍ଗ ତଥା ବିଜେପି ସରକାରର ଭ୍ରଷ୍ଟାଚାରକୁ ଦଳ ମୁଖ୍ୟ ପ୍ରସଂଗ କରିବ। ଏପରିକି ପୂର୍ବରୁ ମଧ୍ୟ କଂଗ୍ରେସ ପକ୍ଷରୁ ମଧ୍ୟପ୍ରଦେଶରେ ଶିବରାଜ ସରକାର ବିରୋଧରେ ୫୦ ପ୍ରତିଶତ କମିଶନ ଓ ଫୋନ ପେ ଭଳି ଅଭିଯାନ କଂଗ୍ରେସ ଆରମ୍ଭ କରିସାରିଛି।

ତେଣୁ ଏବେ ଜନ ଆଶୀର୍ବାଦ ବନାମ ଜନ ଆକ୍ରୋଶ ଲଢେଇ ମଧ୍ୟରେ କିଏ ଲୋକଙ୍କ ନିକଟତର ହୋଇପାରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Comments are closed.