ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସର ବଡ଼ ପ୍ଲାନ। ପୂର୍ବରୁ ପାରମ୍ପରିକ ଢଙ୍ଗରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଏବେ ଷ୍ଟ୍ରାଟେଜିରେ ବହୁ ଆଗରେ ରହୁଥିବା ଦେଖିବାକୁ ମିଳୁଛି।
ଏପରିକି କର୍ଣ୍ଣାଟକରେ କଂଗ୍ରେସ ୧୩୫ ସିଟ ଜିତିଥିବା ବେଳେ ଏ ନେଇ ଦଳର ରଣାନୀତିକାର ଆଗରୁ ଆକଳନ କରିସାରିଥିବା କୁହାଯାଇଥିଲା।ଏବେ ମଧ୍ୟପ୍ରଦେଶରେ ଆସନ୍ନ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେଭଳି ଯୋଜନା ପ୍ରସ୍ତୁତ ହେଉଛି।
ମଧ୍ୟପ୍ରଦେଶରେ କଂଗ୍ରେସ ପକ୍ଷରୁ ଏକ ଚାର୍ଜସିଟ ପ୍ରସ୍ତୁତ ହେଉଛି। ରାଜ୍ୟରେ ବିଜେପି ସରକାର ଦ୍ୱାରା ହୋଇଥିବା ୪୦୦ କେଶକୁ ନେଇ ଏହି ଲିଷ୍ଟ ପ୍ରସ୍ତୁତ ହେଉଛି। ଏଥିରେ ବିଜେପି ସରକାର ଦ୍ୱାରା ହୋଇଥିବା ଆର୍ଥିକ ଅନିୟମିତତାଠୁ ଆରମ୍ଭ କରି ମିସଗଭର୍ଣ୍ଣସ ଓ ମିସମ୍ୟାନେଜମେଣ୍ଟକୁ ସ୍ଥାନ ଦିଆଯାଉଛି।
ବହୁ ଦୃଷ୍ଟିରୁ କର୍ଣ୍ଣାଟକଠୁ ଭିନ୍ନ ହେଲେ ମଧ୍ୟ ଲୋକଙ୍କ ମୂଳ ସମସ୍ୟା ଦୁର୍ନୀତିକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିବାକୁ ଦଳ ପ୍ରସ୍ତୁତ ହେଉଛି। ସିନ୍ଧିଆ ନିଜ ସମର୍ଥକ ବିଧାୟକ ମାନଙ୍କୁ ସାଙ୍ଗରେ ନେଇ ବିଜେପିରେ ମିଶିବାରୁ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା। ତେଣୁ ଏଥର ନିର୍ବାଚନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି କମଲନାଥଙ୍କ ପାଇଁ ସମ୍ମାନର ଲଢେଇ ବୋଲି କୁହାଯାଉଛି।
ସେପଟେ ଆଗକୁ ଦେଶର ସାଧାରଣ ନିର୍ବାଚନ ଥିବାରୁ ମଧ୍ୟପ୍ରଦେଶ ଭଳି ରାଜ୍ୟକୁ ହରାଇବାକୁ ବିଜେପି ଚାହୁଁ ନାହିଁ। କିନ୍ତୁ ମଧ୍ୟପ୍ରଦେଶରେ କର୍ଣ୍ଣାଟକ ଭଳି ସାମାଜିକ ଗଣମାଧ୍ୟମ, ଘରକୁ ଘର ବୁଲି ପ୍ରଚାର, ରାଜ୍ୟରେ ହୋଇଥିବା ସ୍କାମ, ଦୁର୍ନୀତି ଓ ଅନ୍ୟାନ୍ୟ କାର୍ଯ୍ୟକୁ ତଥ୍ୟଭିତିକ ଭାବେ ଉପସ୍ଥାପିତ କରିବା ଦେଖାଯାଉଛି।
୨୦୨୨ ମସିହାରେ ସିଏଜି ରିପୋର୍ଟରେ ରାଜ୍ୟର ନ୍ୟୁଟ୍ରିସନ ପ୍ରୋଗ୍ରାମରେ ବଡ଼ ଦୁର୍ନୀତିର ଖୁଲାସା ହୋଇଥିଲା। ଦୁର୍ନୀତି ହୋଇଥିବା ବିଭାଗ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧୀନରେ ଯାଉଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ୪୯ ଲକ୍ଷ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣର ଯୋଜନା ଥିଲା।
ତେଣୁ ଏ ସବୁ ପ୍ରସଙ୍ଗକୁ ଚାର୍ଜସିଟ ଆକାରରେ ପ୍ରସ୍ତୁତ କରି ତଥ୍ୟ ପ୍ରମାଣ ସହ ପ୍ରଚାର ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯାଉଛି ଦଳ। ସେହିଭଳି ଦରଦାମ ବୃଦ୍ଧି ଦାଉରୁ ଲୋକଙ୍କୁ ରକ୍ଷା କରିବାକୁ ମହିଳାଙ୍କୁ ୧୫୦୦ ଟଙ୍କା ଓ ଗ୍ୟାସ ସିଲିଣ୍ଡର ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି।
ସେପଟେ ବିଜେପି ମଧ୍ୟ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିବାକୁ ଯୋଜନା କରିଛି। କିନ୍ତୁ ନିଜ ଦଳର ନେତାଙ୍କ ମଧ୍ୟରେ ଲଢେ଼ଇ ଦଳର ଚିନ୍ତାକୁ ବଢ଼ାଇ ଦେଇଛି। ତେଣୁ ଆଗକୁ ଉଭୟ ଦଳର ଉଦ୍ୟମ ମଧ୍ୟରୁ ଲୋକେ କାହାକୁ ଗ୍ରହଣ କରିବେ ତା ଉପରେ ନଜର।
Comments are closed.