Latest Odisha News

ଛୁଟି ନ ମିଳିଲେ ପତ୍ନୀଙ୍କ ସହ ଖରାପ ହୋଇଯିବ ସମ୍ପର୍କ, ଅଧିକାରୀଙ୍କୁ ଚିଠି ଲେଖିଲେ କନେଷ୍ଟବଳ

ଜୟପୁର: ‘ବାହାଘରକୁ ୩ ମାସ ଚାଲିଛି । ଆଉ ପରମ୍ପରା ମୁତାବକ ବିବାହର ପ୍ରଥମ ବର୍ଷ ହୋଲି ଶ୍ୱଶୁରଘରେ ପାଳନ କରିବା ଉଚିତ । ତେଣୁ ଏହି ବର୍ଷ ହୋଲି ଶ୍ୱଶୁରଘରେ ପାଳନ କରିବାକୁ ଦିଆଯାଉ । ଏଭଳି ନ କଲେ ପାରିବାରିକ ସମସ୍ୟା ହୋଇପାରେ । ଆଉ ଭବିଷ୍ୟତରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭାଙ୍ଗିଯାଇପାରେ’ । ଉପରିସ୍ଥ ଅଧିକାରୀଙ୍କୁ ଜଣେ କନେଷ୍ଟବଳ ଚିଠିରେ ଏଭଳି କିଛି ଲେଖିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନର କୋଟା ସହରରୁ ଏହି ମାମଲା ସାମ୍ନାକୁ ଆସିଛି । ସୂଚନା ମୁତାବକ ଛୁଟି ପାଇଁ ଆବେଦନ କରିଥିବା କନେଷ୍ଟବଳଙ୍କ ନାମ ହେଉଛି ସତପାଲ ଚୌଧୁରୀ । ସେ ରାଜସ୍ଥାନ କୋଟାରେ ଥିବାବେଳେ ତିନି ମାସ ପୂର୍ବେ ସତପାଲଙ୍କର ବିବାହ ହୋଇଥିଲା । ଆଉ ପତ୍ନୀଙ୍କ ସହ ଶ୍ୱଶୁର ଘର ଯିବାକୁ ସତପାଲ ଏଭଳି ଆବେଦନ କରିଥିଲେ । ତେବେ କନେଷ୍ଟବଳଙ୍କ ଅସୁବିଧାକୁ ବୁଝି ତାଙ୍କୁ ସାତଦିନର ଛୁଟି ଦିଆଯାଇଛି ।

ଉଲ୍ଲେଖ ଥାଉ କି କିଛିଦିନ ତଳେ ଉତ୍ତରପ୍ରଦେଶର ଫରୁଖାବାଦ ଜିଲ୍ଲାର ଜଣେ ପୋଲିସ ଇନ୍ସପେକ୍ଟର ମଧ୍ୟ ଛୁଟି ପାଇଁ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଥିଲେ । ସ୍ପେଶାଲ୍ ତଦନ୍ତ ସେଲର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଅଶୋକ କୁମାର ଚିଠିରେ ଲେଖିଥିଲେ ଯେ “ବିବାହର ୨୨ ବର୍ଷ ମଧ୍ୟରେ ମୋ ପତ୍ନୀ ତାଙ୍କ ବାପଘରକୁ ଯାଇପାରିନାହାଁନ୍ତି । ମୋତେ ଛୁଟି ମିଳୁନଥିବାରୁ ତାଙ୍କୁ ତାଙ୍କ ବାପଘରକୁ ନେଇ ଯାଇପାରୁନାହିଁ । ଏହି କାରଣରୁ ସେ ମୋ ଉପରେ ଅଭିମାନ କରିଛନ୍ତି । ହୋଲି ଅବସରରେ ସେ ଓ ମୁଁ ତାଙ୍କ ବାପଘରକୁ ଯାଇ କିଛି ଦିନ ରହିବାକୁ ଜିଦ୍ ଧରିଛନ୍ତି। ଏହି କାରଣରୁ, ନମ୍ରତା ପୂର୍ବକ ଅନୁରୋଧ କରୁଛି ଯେ ମୋତେ ୧୦ ଦିନ ଛୁଟି ଦିଆଯାଉ’ । ଏହାପରେ ତାଙ୍କୁ ପାଞ୍ଚ ଦିନ ଛୁଟି ଅନୁମୋଦନ କରାଯାଇଥିଲା ।

Leave A Reply

Your email address will not be published.