Latest Odisha News

BREAKING NEWS

ବନ୍ଧୁମିଳନ ନା ନିର୍ବାଚନ ପ୍ରସ୍ତୁତି ?

ଭୁବନେଶ୍ୱର: ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ମହଲରେ ହୋଲିର ନିଆରା ଚମକ ଦେଖିବାକୁ ମିଳିଛି। ବିଭିନ୍ନ ଦଳର ରାଜନୈତିକ ନେତା ହୋଲିର ରଙ୍ଗରେ ରଙ୍ଗୀନ ହୋଇଥିବାବେଳେ ସେଥିରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୋଲି ପାଳନ ପୂର୍ବ ସନ୍ଧ୍ୟାରେ ଧର୍ମେନ୍ଦ୍ରଙ୍କ ବନ୍ଧୁମିଳନକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି। ହୋଲି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ବନ୍ଧୁମିଳନକୁ ନେଇ ଏବେ ରାଜନୈତିକ ସ୍ତରରେ ଆଲୋଚନା ହେଉଛି।

ଦଳ ପକ୍ଷରୁ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ଡକାଯାଇଥିଲା। କେବଳ ପ୍ରମୁଖ ନୁହଁନ୍ତି ଯୁବ ସାମ୍ବାଦିକ ତଥା ବିଭିନ୍ନ ବର୍ଗର ସାମ୍ବାଦିକ ମାନଙ୍କୁ ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ବନ୍ଧୁମିଳନରେ ସାମ୍ବାଦିକମାନେ ଯୋଗ ଦେଇଥିବାବେଳେ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ଗଣମାଧ୍ୟମର ସମ୍ପାଦକ, ରିପୋର୍ଟର ଓ ଅନ୍ୟ ସାମ୍ବାଦିକମାନଙ୍କ ସହ ଦୀର୍ଘ ସମୟ ଧରି ବନ୍ଧୁଭାବାପନ୍ନ ଭାବେ ଆଲୋଚନା କରୁଥିବା ଦେଖାଯାଇଛି।

ଏପରିକି କେନ୍ଦ୍ରମନ୍ତ୍ରୀଙ୍କୁ କିଛି ସାମ୍ବାଦିକ ଅବିର ଲଗାଇ ହୋଲିର ଅଭିନନ୍ଦନ ଜଣାଇଥିଲେ। ବିଜେପି ପକ୍ଷରୁ ବନ୍ଧୁମିଳନ କିଛି ନୂଆ ନୁହେଁ। କିନ୍ତୁ ଏଥର ବନ୍ଧୁମିଳନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ପାଖରେ ବସି ସାମ୍ବାଦିକ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ଚର୍ଚ୍ଚାକୁ ବଢ଼ାଇ ଦେଇଛି। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏଥର ଧର୍ମେନ୍ଦ୍ର ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବେ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି।

ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ହେଉ କିମ୍ବା ସମ୍ପୃକ୍ତ ଅଞ୍ଚଳର କୌଣସି ଏକ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ଧର୍ମେନ୍ଦ୍ର ଲଢ଼ିପାରନ୍ତି। ଏଭଳି ସ୍ଥିତିରେ ହୋଲି ଅବସରରେ ବିଜେପିର ବନ୍ଧୁମିଳନ ଆୟୋଜନ ସହ ବହୁ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରି ବନ୍ଧୁଭାବାପନ୍ନ ଭାବେ ଆଲୋଚନା କରିବା କଥାର ଗୁରୁତ୍ୱକୁ ବଢ଼ାଇ ଦେଇଛି।

ଆଗାମୀ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ସହ ବିଜେପିକୁ ରାଜ୍ୟରେ କ୍ଷମତାକୁ ଆଣିବାକୁ ଏହା ଦଳର ଯୋଜନାର କିଛି ଅଂଶ କି ବୋଲି ଚର୍ଚ୍ଚା ହେଉଛି। ଆଗାମୀ ସାଧାରଣ ନିର୍ବାଚନ ବେଶ ରୋଚକ ହେବ ବୋଲି କୁହାଯାଉଛି। ବିଜେଡି ଶାସନ ବ୍ୟବସ୍ଥାରେ ଦୀର୍ଘ ଦିନ ଧରି ଥିଲେ ମଧ୍ୟ ଦଳରେ ବହୁ ଆଶାୟୀ ଏବେ ଟିକେଟ ଆଶାରେ ଚାହିଁ ବସିଛନ୍ତି। ଯାହାକୁ ନେଇ ଦଳ ଯଦି କିଛି ଅସୁବିଧାରେ ପଡେ ତେବେ ଦ୍ଵିତୀୟ ଦଳ ଭାବେ ବିଜେପି ଫାଇଦା ନେଇପାରେ ବୋଲି କୁହାଯାଉଛି।

ତେଣୁ ଏଭଳି ସ୍ଥିତିରେ ବିଜେପି ବିଭିନ୍ନ ପ୍ରକାର ପନ୍ଥା ଆପଣାଉଥିବା କୁହାଯାଉଛି। ଏପରିକି ରାଜ୍ୟରେ ରାଜନୈତିକ ସମିକରଣ ମଧ୍ୟ ବଦଳୁଛି। ବିଆରଏସ ଓଡ଼ିଶାରେ ଏଣ୍ଟ୍ରି କରିବା ସହ ଆଗାମୀ ନିର୍ବାଚନ ପାଇଁ ସଜବାଜ ହେଉଛି। ସେପଟେ କଂଗ୍ରେସ ଏଥର କିଭଳି ପ୍ରଦର୍ଶନ କରିବ ତାର କିଛି ସ୍ପଷ୍ଟ ଚିତ୍ର ମିଳୁ ନାହିଁ। ତେଣୁ ରାଜ୍ୟର ଏଭଳି ରାଜନୈତିକ ଚିତ୍ର ମଧ୍ୟରେ ଧର୍ମେନ୍ଦ୍ର କିଛି ନୂଆ ପ୍ଲାନ କରୁଛନ୍ତି କି ବୋଲି ଚର୍ଚ୍ଚା ହେଉଛି।

ସେପଟେ ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମୁଖ୍ୟ ଚେହେରା ବୋଲି କୁହାଯାଏ। ଏପରିକି ଦଳର ପ୍ରମୁଖ ନିଷ୍ପତ୍ତି ଧର୍ମେନ୍ଦ୍ର ନିଅନ୍ତି ବୋଲି ଆଲୋଚନା ହୁଏ। କିନ୍ତୁ 2019 ନିର୍ବାଚନ ପରେ ଭୁବନେଶ୍ୱର ସାଂସଦ ଭାବେ ଅପରାଜିତା ଷଡଙ୍ଗୀ ଜିତିବା ପରେ ସେ ଦଳର ଅନ୍ୟତମ ପ୍ରମୁଖ ଚେହେରା ଭାବେ ଗଣାଯାଉଛନ୍ତି। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନ ରେ ରାଜ୍ୟ ବିଜେପିର ଚେହେରା କିଏ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେଣୁ ଏହି ସମୟରେ ଏଭଳି ବନ୍ଧୁମିଳନ ରାଜ୍ୟରେ ଚର୍ଚ୍ଚାର ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.