Latest Odisha News

BREAKING NEWS

କଣ୍ଟ୍ରାକ୍ଟ ଫାର୍ମିଂ ନାଁରେ ଠକେଇ; ଟଙ୍କା ନେଇ କମ୍ପାନୀ ଫେରାର୍, ଏଫଆଇଆର୍ ରୁଜୁ ପାଇଁ ଚାଷୀ ନାକେଦମ୍

ଭୋପାଳ: କେନ୍ଦ୍ରର କୃଷି ଆଇନକୁ ନେଇ ୮୦ ଦିନରୁ ଊର୍ଦ୍ଧ୍ୱ ଦିନ ହେଲା କୃଷକ ଆନ୍ଦୋଳନ କରୁଛନ୍ତି । ଆଇନରେ ଯେଉଁ କଥାକୁ ନେଇ ଚାଷୀ ଡରୁଛନ୍ତି ତା’ର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ବିଜେପି ଶାସିତ ମଧ୍ୟପ୍ରଦେଶରେ । ଯାହା କଣ୍ଟ୍ରାକ୍ଚ ଫାର୍ମିଂ ଲାଗୁ ହେଲେ କୃଷକଙ୍କ ଆୟ ବଢ଼ିବା ସହ ଅଧିକାଂଶ ସମସ୍ୟା ଦୂର ହେବା ନେଇ କେନ୍ଦ୍ର ସରକାର କରୁଥିବା ଦାବି ଉପରେ ପ୍ରଶ୍ନ ଚିହ୍ନ ଛିଡ଼ା କରିଛି ।

ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ କୃଷକ ସଜନା ଚାଷ ଲାଗି ୨୦୧୮ ମସିହାରେ ଏକ କମ୍ପାନୀ ସହ ବୁଝାମଣା କରିଥିଲେ । ଏବେ ଉକ୍ତ କମ୍ପାନୀ କୃଷକଙ୍କୁ ଧୋକା ଦେଇ ଗାଏବ ହୋଇଯାଇଛି । କୃଷକ କମ୍ପାନୀ ସହ ଯୋଗାଯୋଗ କରିପାରୁ ନାହାଁନ୍ତି । ଆଉ କମ୍ପାନୀ ବିରୋଧରେ ମାମଲା ରୁଜୁ କରିବାକୁ ଚାଷୀଙ୍କୁ ହୀନସ୍ତା ହେବାକୁ ପଡ଼ୁଛି । ଏଫଆଇଆର୍ ରୁଜୁ ପାଇଁ ସଂଘର୍ଷ କରୁଛନ୍ତି ଶତାଧିକ ଚାଷୀ ।

ବୈତୁଲ ଜିଲ୍ଲାର ଭୈସଦେହିରେ ନଦୀମ ଖାନଙ୍କ ୫ ଏକର ଜମି ରହିଛି । ସେ ରାଜ୍ୟ ଉଦ୍ୟାନକୃଷି ବିଭାଗ ଠାରୁ ୟୁଡବ୍ଲୁଇଜିଓ ଆଗ୍ରି ସଲ୍ୟୁସନ୍ସ ପ୍ରା.ଲି ନାମକ କମ୍ପାନୀ ବିଷୟରେ ଜାଣିବାକୁ ପାଇଥିଲେ ।

ନଦୀମଙ୍କ ଅନୁସାରେ, ରାଜ୍ୟ ଉଦ୍ୟାନକୃଷି ବିଭାଗର ସୁପାରିସ୍ ଅନୁସାରେ ସେ ୨୦୧୮ ମସିହାରେ କମ୍ପାନୀ ସହ ବୁଝାମଣା କରିଥିଲେ । ଚୁକ୍ତି ଅନୁସାରେ ଚାରାରୋପଣ ଲାଗି ସେ ଏକର ପିଛା ୨୦ ହଜାର ଟଙ୍କା ଦେଇଥିଲେ । ଏଭଳି ୨ ଏକର ଜମିରେ ସଜନା ଚାଷ ଲାଗି ୪୦ ହଜାର ଟଙ୍କା ଜମା କରିଥିଲେ । କମ୍ପାନୀ ଆରମ୍ବରେ ଚାରା ଓ ଚାଷ ସମ୍ପର୍କରେ ବୈଜ୍ଞାନିକ ଜ୍ଞାନକୌଶଳ ଅବଗତ କରାଇଥିଲା । ଏଥିସହ ଅମଳ ସଜନାକୁ କିଣିବା ଲାଗି ଭରସା ଦେଇଥିଲା କମ୍ପାନୀ । ତେବେ, ଏଯାଏ ନଦୀମଙ୍କୁ ଚାରା ହିଁ ମିଳିନାହିଁ । ଏନେଇ ସେ ୨୦୧୯ ସେପ୍ଟେମ୍ବର ୧୭ରେ ପ୍ରଥମେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଏହାପରେ ସେ ଅନେକ ଥର ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳିନାହିଁ ।

ନଦୀମଙ୍କ ପରି ବୈତୁଲ ଜିଲ୍ଲାରେ ଏମିତି ୨୦୦ ଜଣ ଚାଷୀ, ସଜନା ଚାଷ କରିବାକୁ ଯାଇ ଉକ୍ତ କମ୍ପାନୀ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ସେଥିରୁ ଅନେକ କୃଷକଙ୍କୁ ଚାରା ମିଳିନଥିବା ବେଳେ ଯାହାକୁ ମିଳିଛି ସେଥିରେ ଗଛ ଉଠୁନାହିଁ ।

ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ, କୃଷି ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଛି । ତେବେ, ତଦନ୍ତରୁ କିଛି ମିଳିନାହିଁ । ଯାଞ୍ଚ ଟିମରେ ଥିବା ଅଧିକାରୀ କହିଛନ୍ତି- ‘କୃଷକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ କରାଯାଉଛି । ଆମ ପାଖରେ ୯୭ ଜଣ କୃଷକଙ୍କ ତାଲିକା ରହିଛି, ଆମେ କମ୍ପାନୀକୁ ସମନ୍ ପଠାଇଛୁ ।’

କୃଷି ବିଭାଗ ଦ୍ୱାରା ତିଆରି ହୋଇଥିବା ତାଲିକା ଅନୁସାରେ, କମ୍ପାନୀ ୧୨୫ ଏକର ଜମିରେ ସଜନା ଚାଷ କରିବା ଲାଗି ଚୁକ୍ତି କରିଥିଲା । ଏଥିପାଇଁ ଏକର ପିଛା ୨୦ ହଜାର ଟଙ୍କା ଲେଖାଏଁ ଦେଇଥିଲେ କୃଷକ । ତେବେ, କମ୍ପାନୀର ଅଧିକାରୀ ଫୋନ୍ ଉଠାଉ ନଥିବା କୃଷକ ଅଭିଯୋଗ କରିଛନ୍ତି । କୃଷକ କମ୍ପାନୀର ଇନ୍ଦୋର କାର୍ଯ୍ୟାଳୟକୁ ପଠାଇଥିବା ଚିଠି ମଧ୍ୟ ଫେରିଆସୁଛି । ଯାଞ୍ଚରୁ ଜଣାପଡ଼ିଛି କମ୍ପାନୀ କେବେଠାରୁ ଇନ୍ଦୋର କାର୍ଯ୍ୟାଳୟ ବନ୍ଦ କରି ପଳାଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ ଘେରିଥିବା ବେଳେ ସରକାର କୌଣସି ସନ୍ତୋଷଜନକ ପଦକ୍ଷେପ ନେଇନାହାଁନ୍ତି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଖୁବଶୀଘ୍ର ଏଫଆଇଆର୍ ରୁଜୁ ହେବ ବୋଲି କହିଥିବା ବେଳେ ଚାଷୀଙ୍କ ଟଙ୍କା କେବେ ମିଳିବ ସେନେଇ କୌଣସି ଉତ୍ତର ଦେଇନାହାଁନ୍ତି ।

Leave A Reply

Your email address will not be published.