Latest Odisha News

BREAKING NEWS

ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍ଏଚବି କୋଚ୍ କରାଯାଉ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଲିଙ୍କ୍ ହଫମେନ୍ ବୁଶ (ଏଲଏଚବି) କୋଚରେ ପରିଣତ କରାଯାଉଛି । ଏହି ଦାବିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାତ୍ରୀଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଚିଠିରେ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି, ନିକଟରେ ଓଡ଼ିଶା ଗସ୍ତରେ ସେ ଭୁବନେଶ୍ୱରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ପୁରୀ-ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସରେ ଯାତ୍ରା କରିଥିଲେ ।

ଏହି ସମୟରେ ସେ ଅନେକ ସହଯାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଯାତ୍ରୀମାନେ ଏହି ଟ୍ରେନରେ ଏଲ୍ଏଚବି କୋଚ୍ ଆରମ୍ଭ କରିବା ପାଇଁ ଦୀର୍ଘ ଦିନର ଦାବି ଥିବା ଜଣାଇଥିଲେ । ଏଥିସହ ସେ କହିଛନ୍ତି, ଉନବିଂଶ ଶତାବ୍ଦୀରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଲୋକପ୍ରିୟ ମହାକାବ୍ୟ ତପସ୍ୱିନୀ ନାମରେ ଏହି ଟ୍ରେନକୁ ନାମିତ କରାଯାଇଥିଲା ।

ଏହି ଟ୍ରେନ୍ ୧୯୯୬ ମସିହାରୁ ପୁରୀ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢେ଼ଙ୍କାନାଳ, ତାଳଚେର, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡ଼ା, ରାଜଗାଙ୍ଗପୁର, ରାଉରକେଲା, ନୂଆଗାଁ ଏବଂ ହାଟିଆ ଦେଇ ଓଡ଼ିଶା ଓ ଝାଡ଼ଖଣ୍ଡକୁ ସଂଯୋଗ କରୁଛି । ନିକଟରେ ନୂଆ ଅତ୍ୟାଧୁନିକ ଏଲଏଚବି ରେକ୍ ସହ ଭୁବନେଶ୍ୱର-ଜଗଦଲପୁର-ଭୁବେନଶ୍ୱର ସ୍ୱତନ୍ତ୍ର ହୀରାଖଣ୍ଡ ଏକ୍ସପ୍ରସକୁ ଉଭୟଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି ।

ଏଲ୍ଏଚବି ରେକରେ ଆରାମଦାୟକ ଯାତ୍ରା ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି କୋଚ୍ ଅଧିକ ଯାତ୍ରୀ ବସିବା କ୍ଷମତା ବିଶିଷ୍ଟ ଏବଂ ଏଥିରେ କମ୍ ଶବ୍ଦ ସହ ଉଚ୍ଚ କ୍ଷମତା ସମ୍ପନ୍ନ କୁଲିଂ ସୁବିଧା ଭଳି ଆନୁସଙ୍ଗିକ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।

ତପସ୍ୱିନୀ ଏକ୍ସପ୍ରେସରେ ଏଚଏଚବି କୋଚ୍ ଆରମ୍ଭ କରାଗଲେ ଯାତ୍ରୀମାନେ ସୁରକ୍ଷିତ ଭାବରେ ଆରାମଦାୟକ ଯାତ୍ରା କରିପାରିବେ । ତେଣୁ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ତଥା କଲ୍ୟାଣକୁ ଦୃଷ୍ଟି ରଖି ପୁରୀହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଏଲଏଚବି ରେକରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.