Latest Odisha News

ବିଜ୍ଞପ୍ତି ପ୍ରକାଶ ପାଉଛି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଜାଣିନି.. ସରକାରରେ ସମନ୍ୱୟ ରହିଛି ତ?

ଭୁବନେଶ୍ୱର: ଶୁକ୍ରବାର କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖାରଜ କରିବା ଏବେ ସରକାରର ଆଭ୍ୟନ୍ତରୀଣ ସମନ୍ୱୟ ନେଇ ପ୍ରଶ୍ନ ଉଠାଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢିଛି ବିଜେପି। ତେଣୁ ଏବେର ବିରୋଧୀ ଦଳ ବିଜୁ ଜନତା ଦଳ ତଥା ପୂର୍ବତନ ଶାସକ ଦଳ କ୍ଷମତାରେ ଥିବା ବେଳେ କ୍ରୀଡା ପାଇଁ ଘୋଷଣା କରିଥିବା ‘ବିଜୁ ପଟ୍ଟନାୟକ ଉଲ୍ଲେଖନୀୟ କ୍ରୀଡ଼ା ପୁରସ୍କାର’କୁ ପରିବର୍ତ୍ତନ କରି ବିଜେପି ସରକାର ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ କରିଛି ବୋଲି ଶନିବାର ଜଣାପଡିଥିଲା।

ରବିବାର କିନ୍ତୁ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସର୍ବଦଳୀୟ ବୈଠକରେ ଯୋଗଦେବାକୁ ଆମନ୍ତ୍ରଣ କରିବାକୁ ଯିବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଯେ, ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ର ନାମ ପରିବର୍ତ୍ତନ ନେଇ ତାଙ୍କ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବଭଳି ଜାରି ରହିବ । ନାମ ପରିବର୍ତ୍ତନ ନେଇ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇନାହିଁ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ପାଖରେ ନାମ ପରିବର୍ତ୍ତନ ବିଷୟରେ ପୂର୍ବରୁ କୌଣସି ସୂଚନା ନଥିଲା। ସେ ଗଣମାଧ୍ୟମରୁ ଏ ବିଷୟରେ ଜାଣିବାକୁ ପାଇଥିଲେ। ତାଙ୍କ ସରକାର ମାଟିର ବରପୁତ୍ରଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ବିଜୁ ବାବୁ ଉଭୟ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଓଡ଼ିଶା ତଥା ଦେଶ ପାଇଁ ତାଙ୍କର ଅବଦାନ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ସେ କହିଛନ୍ତି।

ଆଉ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କ୍ରୀଡାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି, ଓଡ଼ିଶାର ବରପୁତ୍ରମାନଙ୍କୁ ସମ୍ମାନ ଦେବାକୁ ଚେଷ୍ଟା କରୁଛି କ୍ରୀଡ଼ା ବିଭାଗ। କିନ୍ତୁ ନିଜ ବିଭାଗ ତରଫରୁ ଦୁଇ ଦିନ ପୂର୍ବରୁ କେଉଁ ଆଧାରରେ ପୁରସ୍କାର ନାମ ପରିବର୍ତ୍ତନ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହା ଏବେ ବଡ ପ୍ରଶ୍ନ।

ଗତକାଲି ପୁରସ୍କାରର ନାମ ପରିବର୍ତ୍ତନକୁ ନେଇ ବିରୋଧୀ ବର୍ଷିଥିଲେ। ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ ସରକାରଙ୍କ ହାତରେ ଛୁରୀ ଓ କାକୁଡି ସେ ଯେମିତି ଚାହିଁବେ ସେମିତି କାଟିବେ। କିନ୍ତୁ ବିଜୁ ପଟ୍ଟନାୟକ ଜଣେ ବରପୁତ୍ର। ତାଙ୍କୁ ନାମରେ ଥିବା ପୁରସ୍କାରକୁ ବଦଳାଇବା ଗ୍ରହଣୀୟ ନୁହେଁ। ଆଉ ବିରୋଧୀଙ୍କ ସମାଲୋଚନାର ଚବିଶ ଘଣ୍ଟା ନପୁରୂଣୁ ମୁଖ୍ୟମନ୍ତ୍ରୀ ନିଜେ ପୁରସ୍କାର ନିଷ୍ପତ୍ତି ବାବଦରେ ସ୍ପଷ୍ଚୀକରଣ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ,୨୪ ବର୍ଷ ପରେ କ୍ଷମତାରୁ ଯିବା ପରେ ଏବେ ବିରୋଧୀ ଭୂମିକାର ବିଜେଡି। କିନ୍ତୁ ସରକାରକୁ ଜଗିବା ପାଇଁ ବ୍ରିଟେନ ଷ୍ଟାଇଲରେ ଏକ ‘ଛାୟା କ୍ୟାବିନେଟ୍’ ଗଢିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରି କରି ସରକାରଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ଛାୟା କ୍ୟାବିନେଟ୍। ଆଉ ସରକାରରେ ଯେଉଁଭଳି ନିଷ୍ପତି ନିଆଯାଉଛି ଓ ପରେ ପ୍ରତ୍ୟାହାର ହେଉଛି ତାହା ବିଜେପି ସରକାରରେ କାର୍ଯ୍ୟକାରିତା ଏବଂ ସମନ୍ୱୟ ଅଭାବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତିକୁ ନେଇ ଅନ୍ଧାରରେ ରଖାଯାଉଛି ବୋଲି ଜଣାପଡୁଛି।

ଏହାପୂର୍ବରୁ ରାଜ୍ୟରେ ମଦ ବନ୍ଦ ହେବ, ରେଡ୍ ଲାଇଟ୍ ଟ୍ରାଫିକରୁ ହଟିବ ଭଳି ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଫୋରମରେ ଦେଇଥିବା ମନ୍ତବ୍ୟ ପରେ ବିଭାଗ ତରଫରୁ ରଖାଯାଇଥିବା ସ୍ପଷ୍ଚୀକରଣ ମଧ୍ୟ ସରକାରର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇ ସାରିଛି।

Comments are closed.