Latest Odisha News

BREAKING NEWS

କରୋନା ସଚେତନତା କ୍ୟାମ୍ପେନରେ ଓଡ଼ିଆ ସେଲିବ୍ରିଟି, କିଏ କ’ଣ କହୁଛନ୍ତି ?

କରୋନା ସହ ଲଢ଼େଇ । ଏବେ ସମୟ ହାରିବାର, ନୁହେଁ ହରାଇବା ପାଇଁ ଆଗେଇ ଆସିବାର ବେଳ । ଘଡିସନ୍ଧି ମୁହୂର୍ତ୍ତରେ ଜନସଚେତନତା ହିଁ ଆମକୁ ଏହି ଲଢେଇରେ ଜିତାପଟ ଆଣିଦେବ । ଲୋକଙ୍କୁ ସଚେତନ କରାଇବା ପାଇଁ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି ସେଲିବ୍ରିଟି । ସଂକ୍ରମଣ ରୋକିବା ଦିଗରେ ଜନ ସଚେତନତା ସୃଷ୍ଟି କରିବାକୁ ସୋସିଆଲ ମିଡିଆରେ ଆଗେଇ ଆସିଛନ୍ତି ଓଲିଉଡ ଷ୍ଟାର ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ।
ଲୋକଙ୍କୁ ଘର ଭିତରେ ରହିବା ତଥା ସରକାରଙ୍କ ଲକ୍‌ଡାଉନ ନିୟମାବଳୀ ମାନିବା ନେଇ ପୁରୀ ବେଳା ଭୂମିରେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଓଲିଉଡ କଳାକାରଙ୍କ ମଧ୍ୟରେ ଚୁଲବୁଲି ଅର୍ଚ୍ଚିତାଙ୍କଠାରୁ ଆରମ୍ଭ କରି ଲଭର ବଏ ବାବୁସାନ, ଆକ୍ସନ ହିରୋ ବୁଦ୍ଧାଦିତ୍ୟ, ସବ୍ୟସାଚୀ, ଅଭିନେତାରୁ ଅଭିନେତାରୁ ନେତା ପାଲଟିଥିବା ଆକାଶ, ଅଭିନେତ୍ରୀ ତମନ୍ନା, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ସୋସିଆଲ ମିଡିଆରେ କରୋନା ସଚେତନତା ବାର୍ତ୍ତାର ଭିଡିଓ ସେୟାର କରିଛନ୍ତି । ସେହିପରି ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ବି ଏଥିରେ ସାମିଲ ହୋଇଛନ୍ତି ।

ସୋସିଆଲ ମିଡିଆରେ ଅଭିନେତ୍ରୀ ଅର୍ଚ୍ଚିତା ‘କରୋନା ଭାଇରସ୍ ରୋକିବାରେ ସହାୟ ହେବି’ ବୋଲି ଗୀତଟିଏ ଗାଉଛନ୍ତି । ଯେଉଁଥିରେ ସେ ନିହାତି ଦରକାର ନ ପଡିଲେ ବାହାରକୁ ଯିବାନି, ହାତକୁ ହ୍ୟାଣ୍ଡୱାସ୍‌ରେ ଧୋଇବା, କରୋନାକୁ ନେଇ ମିଛ ଖବର ପ୍ରଚାର କରିବାନି, ଓ ଦୂରତା ବଜାୟ ନେଇ ବର୍ଣ୍ଣନା ହୋଇଛି ।

ଅଭିନେତା ଆକାଶ କହିଛନ୍ତି ମୁହଁରେ ମାସ୍କ ବାନ୍ଧିବାଠୁ ଜରୁରୀ ହାତକୁ ଭଲରେ ଧୋଇବା । ଏଥି ସହ ହାତକୁ କିପରି ଭଲ ଭାବେ ଧୋଇବେ ସେ ନେଇ ଏକ ଭିଡିଓ ସେ ଅପଲୋଡ କରିଛନ୍ତି । ସେହିପରି ବାବୁସାନ କହିଛନ୍ତି କରୋନାକୁ ନେଇ ସଚେତନ ହୁଅନ୍ତୁ, ନିଜ ସମ୍ପର୍କୀୟଙ୍କୁ ସଚେତନ କରାନ୍ତୁ, ସୁସ୍ଥ ରହନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି । ନିର୍ଦ୍ଦେଶକ ନୀଳମାଧବ ପଣ୍ଡା କରୋନା ନେଇ ଡରି ରହିବାର ଠିକ୍ ଉପାୟ ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି । ଅଳ୍ପ କିଛି ଦିନ ସଚେତନ ରହିଲେ ଏସବୁକୁ ଦୂର ହୋଇପାରିବ ବୋଲି ସେ କହିଛନ୍ତି । ସେହିଭଳି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ବି କରୋନାକୁ ନ ଡରିବା ପାଇଁ ବାର୍ତ୍ତା ଦେଇଛନ୍ତି ।
କ୍ରୀଡା ତାରକାଙ୍କ ମଧ୍ୟରେ ଭାରତର ଶ୍ରେଷ୍ଠତମ ଧାବିକା ଦୂତୀ ଚାନ୍ଦ ବି ଟ୍ୱିଟ ଜରିଆରେ ଭିଡିଓ ବାର୍ତ୍ତା ଦେଇଛନ୍ତି । ଦେଶ ବିଦେଶର ଖେଳାଳିମାନଙ୍କୁ ଚ୍ୟାଲେଂଜ କରୁଥିବା ବେଳେ କରୋନାକୁ ଚ୍ୟାଲେଜ କରିବାକୁ ସାହାସ କରିପାରୁନ ଥିବା ସେ କହିଛନ୍ତି । ଏହି ସମୟରେ ସେ କ୍ରୀଡାଭ୍ୟାସ ବନ୍ଦ କରି ଘରେ ରହୁଥିବା କହିଛନ୍ତି । ସମସ୍ତେ ଘରେ ରହିବା ପାଇଁ ସେ ଭିଡିଓରେ ନିବେଦନ କରିଛନ୍ତି ।

Leave A Reply

Your email address will not be published.