ଭୁବନେଶ୍ୱର: ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇ ଭଳି ଭୁବନେଶ୍ୱରରେ ମଧ୍ୟ ଦିନକୁ ଦିନ କରୋନା ପଜିଟିଭି ସଂଖ୍ୟା ବଢ଼ିବାରେ ଲାଗିଛି, ହେଲେ ଆମର ସତର୍କତା କମିଛି । ଆଗକୁ ଆହୁରି କରୋନା କେସ୍ ବଢ଼ିବାରେ । ତେଣୁ ଆମକୁ ସତର୍କ ରହିବାକୁ ହେବ ବୋଲି ଭୁବନେଶ୍ୱର କୋଭିଡ ଅବଜରଭର ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏହା କହିଛନ୍ତି।
ସେ କହିଛନ୍ତି, ଭୁବନେଶ୍ୱରରେ କୋଭିଡ ମୁକାବିଲା ପାଇଁ ୬୭ଟି ଓ୍ଵାର୍ଡରେ ଓ୍ଵାର୍ଡ ସଚେତକ କମିଟି ଗଠନ ହୋଇଛି। ଏହି କମିଟି ଗୁଡ଼ିକରେ ୨୫ ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ଏଥିରେ ସ୍ୱେଚ୍ଛାସେବୀ, ବରିଷ୍ଠ ଅଧିକାରୀ, ଅବସରପ୍ରାପ୍ତ ଡାକ୍ତର ନିଜର ଓ୍ଵାର୍ଡରେ କୋଭିଡ ମୁକାବିଲା ପାଇଁ କାମ କରିବେ। ଏହି କମିଟିକୁ କିଟ, ଥର୍ମାଲ ସ୍କାନର ଦିଆଯାଇଛି। ପ୍ରତି ଓ୍ଵାର୍ଡରେ ହ୍ଵାଟସ୍ଆପ୍ ଗ୍ରୁପ କରାଯାଇଛି। ୫ଟି ଓ୍ଵାର୍ଡରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏମାନଙ୍କୁ ତାଲିମ ଦିଆଯାଇଛି।
ଭୁବନେଶ୍ୱରରେ ଯେଉଁମାନେ କରୋନାରୁ ସୁସ୍ଥ ହୋଇଯାଇଛନ୍ତି, ସେମାନଙ୍କ ପାଇଁ ଏକ ଟ୍ରାଞ୍ଜିଟ ହୋମ୍ କରାଯାଇଛି। ହୋମ୍ କ୍ୱାରେଣ୍ଟାଇନକୁ ଅନୁମତି ଦିଆଯାଇଛି। ବୃଦ୍ଧ ଲୋକ ଓ କୋମର୍ବିଡିଟି ଥିବା ରୋଗୀ ଚିହ୍ନଟ କରାଯାଉଛି। ଏତଦ୍ ବ୍ୟତୀତ ୬୨୦୦ ଲୋକ ‘ସଚେତକ’ ଆପ୍ ଡାଉନଲୋଡ କରିଛନ୍ତି। ଆପ୍ରେ ସମସ୍ତ ସୂଚନା ମଧ୍ୟ ମିଳିପାରିବ।
ଆମେ ସତର୍କ ରହିଲେ କରୋନା ମୁକାବିଲା କରିପାରିବା। ଆମେ ମାସ୍କ ପିନ୍ଧି ବାହାରକୁ ଯିବା। ନିହାତି ଆବଶ୍ୟକ ନ ପଡ଼ିଲେ ବାହାରକୁ ଯିବା ନାହିଁ। ସମସ୍ତେ ହାତ ଧୋଇବୁ ଓ ସାମାଜିକ ଦୂରତ୍ୱ ରକ୍ଷା କରିବୁ ଆଦି ଚିନ୍ତାଧାରା ରଖିବା ଦରକାର। କୋଭିଡ-୧୯ ଗାଇଡଲାଇନକୁ ପାଳନ କରନ୍ତୁ ବୋଲି ଅନୁ ଗର୍ଗ କହିଛନ୍ତି ।
Comments are closed.