Latest Odisha News

BREAKING NEWS

ଲକ୍‌ଡାଉନରେ ନୂଆବର୍ଷ; କରୋନାର କରୁଣ ଚିତ୍ର…

ଆମର ବଙ୍ଗଳା ନୂଆ ବର୍ଷ ହଉଚି ପଇଲା ବୈଶାଖ ଯାହା ପ୍ରାୟତଃ ପଡେ ଏପ୍ରିଲ ୧୪। ସମସ୍ତଙ୍କ ଶୁଭେଚ୍ଛା ଜଣାଇବା ଆଉ ମନ୍ଦିରରେ ମଙ୍ଗଳମନାସୀ ଦୀପ ଦାନ କରି ନୂଆବର୍ଷକୁ ଆଦରି ନିଏ। କିନ୍ତୁ, ଏବର୍ଷ ଥିଲା ଏକ ନୂଆ ଢଂଗର ବର୍ଷର ପ୍ରାରମ୍ଭ।
ପ୍ରାୟ ମାସେକାଳ ଘରବନ୍ଦୀ ଆମେ, ସେଥିରୁ ଆମର ଈଶ୍ୱର ବା ଦେବାଦେବୀ ବି ଛାଡ଼ ପାଇନାହାନ୍ତି। ଯେଉଁଠି ମନ୍ଦିରର ଦେବା ଦେବୀଙ୍କର  ସାହସ ନାହିଁ ମନ୍ଦିର ଫାଟକ ଖୋଲି ବସିବା ପାଇଁ, ଆମେ କୋଉ ଛାର ଯେ ! ଏବେ ତ ଈଶ୍ୱର ପାଲଟିଛନ୍ତି ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ପରିବେଶ ସଫାଇ କର୍ମୀ। ଏମାନେ ସମସ୍ତେ ଆମର ବନ୍ଦକବାଟ ବାହାରେ ଆମ ଭଲ ପାଇଁ ଦିନ ରାତି ଏକ କରି କାମ କରିଚାଲିଛନ୍ତି।
ଜାଣିଲି, ଏମାନେହି ହେଉଛନ୍ତି ଆମର ସେଇ ମଙ୍ଗଳକାରୀ ଈଶ୍ୱର ବା ଭଗବାନ। ଆଉ ମନ୍ଦିରଯିବା କଣ ପାଇଁ ? ଯେଉଁଠି ଇଶ୍ୱର ହି ବାହାରିଛନ୍ତି ଆମର ଭଲ ପାଇଁ ମନ୍ଦିର ବାହାରକୁ ।
ଏଣୁ ଦୀପନୁହଁ, ଏକ ବ୍ୟାଗରେ କିଛି ଆଳୁ ପିଆଜ ସହିତ ପନି ପରିବା ଓ ଏକ ହାତ ଧୋଇବା ସାବୁନ ନେଇକି ସକାଳୁ ସକାଳୁ ସେମାନଙ୍କ କାର୍ଯ୍ୟ ସମୟରେ ମୋ ଘର ସାମନାରେ ଡାକି ତିନି ଜଣଙ୍କୁ ଉପହାର ସ୍ୱରୂପ ଦେଇ ତାଙ୍କର ହସ-ଖୁସି ର ମୁହଁ ଦେଖି ନିଜର ନୂଆ ବର୍ଷକୁ ଆହ୍ୱାନ କରିଲି।
ମୋତେ ଲାଗିଲା ଯେମିତି, ମୁଁ ନୂଆ ବର୍ଷରେ ଏହି ଜଗତର ମଙ୍ଗଳକାରୀ ତିନି ଠାକୁରଙ୍କୁ ପୂଜା ଅର୍ପଣ କରିଲି। ସେଥିରୁ, ଜଣେ ମା ସୁଭଦ୍ରା ସ୍ୱରୂପ ଜଣେ ମହିଳା ସଫାଇ କର୍ମୀ ତାଙ୍କର ଘରେ ଛୋଟ ପିଲା କୁ କେମିତି ଆହାର ଟିକେ ଦେଇ ନପାରିବା କଥା କହିଲେ। ତାହାର ବି-ପି-ଏଲ କାର୍ଡ ଗାଁରେ, ଏଠି ସେ ଏତେ ଦାମରେ ଚାଉଳ କିଣି ପାରୁନାହାନ୍ତି କି ଗାଁକୁ ଯାଇ ପାରୁନାହାନ୍ତି। ଛୋଟ ପିଲାର ଭୋକିଲା ପେଟ କଥା ମୁଣ୍ଡରେ ନେଇକି ସେ ଆମ ଭଲ ପାଇଁ ସବୁଦିନ କାମ କରିଚାଲିଛି। ସେହି ମା ସୁଭଦ୍ରା ରୂପୀ ମହିଳା କୁ ମଧ୍ୟ କିଛି ମୁଦ୍ରା ଦେଇ ତାହାର ପିଲା ପାଇଁ ସହଯୋଗ କରିଲି।
ଏମିତି ନୂଆ ବର୍ଷ ‘ବୋଧେ ମୁଁ କେବେ ଦେଖିନଥିଲି, ଯୋଉଦିନ ତିନି ଠାକୁର ଦାଣ୍ଡ ଦୁଆରେ ଠିଆ ହେଇ ମୋର ପୂଜା ପାଇଲେ।
ଧନ୍ୟ ଏ ଜଗତ, ଧନ୍ୟ ଏହି ଜଗତର ନାଥ। ଧନ୍ୟ ତମରି ଏହି ଲୀଳା।
ସମସ୍ତ ଜଗତବାସୀ ଏହି ମହା-ବିପତ୍ତିରୁ କେମିତି ଶୀଘ୍ର ମୁକ୍ତି ପାଆନ୍ତୁ। ଏତିକି ମୋର କାମନା । ଏହି ନୂଆ ବର୍ଷ ସବୁରି ପାଇଁ ମଙ୍ଗଳମୟ, ସୁଖ ଓ ଶାନ୍ତିର ବର୍ଷ ହେଉ।
(ଲେଖକ ଭୁବନେଶ୍ୱରର ଜଣେ ବରିଷ୍ଠ ଫଟୋ ସାମ୍ବାଦିକ)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.