Latest Odisha News

ପାକିସ୍ତାନ ମୁହଁରେ ଚୂନ ଲଗାଇଲା ଚୀନ; ଭାଇରାଲ୍ ହେଉଛି ଭିଡ଼ିଓ !

ଇସଲାମାବାଦ: ଚୀନ ଓ ପାକିସ୍ତାନର କ୍ଷୀର ନୀର ସମ୍ପର୍କ କଥା କାହାକୁ ଅଛପା ନୁହେଁ । ଚୀନରେ ଉତ୍ପତ୍ତି ହୋଇଥିବା ଘାତକ କରୋନା ଭୂତାଣୁର ସଂକ୍ରମଣ ଏବେ ଚୀନରେ ହ୍ରାସ ପାଇଥିବା ବେଳେ ପାକିସ୍ତାନ ସମେତ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଚୀନ ସବୁବେଳେ ତାହାର ସ୍ୱାର୍ଥ ଲାଗି ପାକିସ୍ତାନକୁ ଅର୍ଥ ସାହାଯ୍ୟ କରିଥାଏ । ଏପରିକି ଜାତିସଂଘରେ ଭାରତ ବିରୋଧରେ ଉଭୟଙ୍କ କୂଟନୀତି ସାଙ୍ଗକୁ ଦୁଇ ଦେଶରେ ମିତ୍ରତା ସବୁବେଳେ ଚର୍ଚ୍ଚାରେ ରହିଥାଏ । ମାତ୍ର ଏବେ ପାକିସ୍ତାନରେ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡ଼ିଓର ଶୀର୍ଷକ ରହିଛି ‘ଚୀନା ନେ ଚୂନା ଲଗା ଦିୟା’ ।

ଚୀନ୍ ଜିନିଷ କଥା ସମସ୍ତେ ଜାଣନ୍ତି । ଦୂରକୁ ସୁନ୍ଦର ମାତ୍ର ଜିନିଷ କିଣିଦେଲା ପରେ ଏହା କେତେଦିନ ଚାଲିବ ତାହାର ଗ୍ୟାରେଣ୍ଟି ନଥାଏ । କରୋନା ସଂକ୍ରମଣ ରୋକିବା ଲାଗି ଚୀନ ସରକାର ପାକିସ୍ତାନକୁ ଉନ୍ନତମାନର ମାସ୍କ୍ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଏହି କ୍ରମରେ ପାକିସ୍ତାନକୁ ଚୀନ ଦେଇଥିଲା ମାସ୍କ । ମାତ୍ର ପରେ ଜଣାପଡ଼ିଲା ଯେ, ଏହି ମାସ୍କଗୁଡ଼ିକ ଅନ୍ତର୍ବାସରେ ତିଆରି ବୋଲି ଏହି ଭିଡ଼ିଓରେ ଅଭିଯୋଗ କରିଛନ୍ତି ଟିଭି ଆଙ୍କର୍ ।

ଚୀନ୍ କର୍ତ୍ତୃପକ୍ଷ ପାକିସ୍ତାନର ସିନ୍ଧ୍ ପ୍ରଦେଶ ଲାଗି ଏନ-୯୫ ମାସ୍କ ଦେବାକୁ କହିଥିଲେ । ମାତ୍ର ପାକିସ୍ତାନ ପାଇଥିଲା ଅତ୍ୟନ୍ତ ନ୍ୟୁନ ମାନର ଅନ୍ତର୍ବାସରେ ତିଆରି ଶସ୍ତା ମାସ୍କ । ଯାହାକି ପାକିସ୍ତାନର ମୁଣ୍ଡବ୍ୟଥାର କାରଣ ହୋଇଛି । ପାକିସ୍ତାନ ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ ।

ଏହି ମାସ୍କ ଏବଂ କରୋନା କିଟ୍ ପାଇବା ପରେ ସ୍ପେନ ଓ କେତେକ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଚୀନ ବିରୋଧରେ ଅଭିଯୋଗ କରିଛନ୍ତି ।

ସବୁଠାରୁ ହାସ୍ୟାସ୍ପଦର କଥା ହେଲା ଯେ, ଏହାକୁ ଠିକ୍ ଭାବେ ନଦେଖି ପାକିସ୍ତାନର ଅନେକ ଡାକ୍ତରଖାନାକୁ ଏହି ଅନ୍ତର୍ବାସରେ ତିଆରି ମାସ୍କ ପଠାଇଦେବା ପରେ ଶହ ଶହ ନର୍ସ ଓ ଡାକ୍ତରମାନେ ଏହାକୁ ମୁହଁରେ ପିନ୍ଧିବାକୁ ନାପସନ୍ଦ କରିଛନ୍ତି ।

ଏବେ ଏହି ଭିଡ଼ିଓଟି ସାରା ବିଶ୍ୱରେ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଘୁରି ବୁଲିବା ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ଲୋକହସାର କାରଣ ପାଲଟିଛନ୍ତି ।

Leave A Reply

Your email address will not be published.