Latest Odisha News

BREAKING NEWS

କରୋନା ଭାଇରସ୍ ଆତଙ୍କ: ଏସସିବି ପରିଦର୍ଶନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

କଟକ/ଭୁବନେଶ୍ୱର: ଘାତକ ସାବ୍ୟସ୍ତ ହୋଇଥିବା କରୋନା ଭାଇରସ ରୋଗୀଙ୍କ ଚିକିତ୍ସା ଲାଗି ଓଡ଼ିଶା ସରକାର କିପରି ପଦକ୍ଷେପମାନେ ଗ୍ରହଣ କରିଛନ୍ତି ଏନେଇ ନୂଆଦିଲ୍ଲୀରୁ ଏକ ତିନିଜଣିଆ ପ୍ରତିନିଧି ଦଳ ଗୁରୁବାର ଦିନ ଓଡ଼ିଶାରେ ପହଞ୍ଚିଛନ୍ତି । ଚୀନରୁ ଓଡ଼ିଶା ଫେରୁଥିବା ଛାତ୍ରମାନଙ୍କ ଚିକିତ୍ସା ତଥା ଏହି ମରଣାନ୍ତକ ରୋଗ କିପରି ସଂକ୍ରମିତ ନହେବ ସେଥିଲାଗି ନିଆଯାଇଥିବା ପଦକ୍ଷେପକୁ ଏହି ପ୍ରତିନିଧିଦଳ ଏସସିବି ଅନୁଧ୍ୟାନ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏନଭାଇରୋନମେଣ୍ଟାଲ୍ ଏଣ୍ଡ ଅକୁପେସନାଲ୍ ହେଲଥ ଅଫ ନ୍ୟାସନାଲ୍ ସେଣ୍ଟର୍ ଫର ଡିସିଜ୍ କଣ୍ଟ୍ରୋଲ ଡେପୁଟୀ ଡାଇରେକ୍ଟର ଡକ୍ଟର ଶିଖା ବର୍ଦ୍ଧନ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସହିତ ଏକ ରିଭ୍ୟୁ ମିଟିଂ ଅନୁଷ୍ଠିତ ହେବା ପରେ ସ୍ୱାସ୍ଥ୍ୟ ଶିକ୍ଷା ଓ ତାଲିମ (ଡିଏମଇଟି) ନିର୍ଦ୍ଦେଶକ ପ୍ରଫେସର୍ ସିବିକେ ମହାନ୍ତି ଏବଂ ଜନସ୍ୱାସ୍ଥ୍ୟ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ସୁଶାନ୍ତ କୁମାର କର କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କରୋନା ଚିକିତ୍ସା ୱାର୍ଡ଼ ପରିଦର୍ଶନ କରିଥିଲେ ।

ଗଣମାଧ୍ୟମକୁ ସୂଚନାଦେଇ ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି ଯେ, ଗତ ଜାନୁଆରୀ ୧୫ରୁ ଆଜି ପର୍ଯ୍ୟନ୍ତ ଚୀନ, ଥାଇଲାଣ୍ଡ ଏବଂ ହଂକଂରୁ ୩୩ ଜଣ ବ୍ୟକ୍ତି ଓଡ଼ିଶା ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଏସସିବିର ଆଇସୋଲେସନ ୱାର୍ଡ଼ରେ ୩ଜଣ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଛି । ତେବେ ଏମାନଙ୍କ ମଧ୍ୟରେ ଥିବା ଫୁଲବାଣୀର ଜଣେ ମେଡ଼ିକାଲ୍ ଛାତ୍ରଙ୍କୁ ଛାଡ଼ି ଦିଆଯାଇଛି ।

ଏହାବ୍ୟତୀତ ୪ ଜଣ ବ୍ୟକ୍ତିଙ୍କ ନମୂନା ରିପୋର୍ଟ ନେଗେଟିଭ୍ ଆସିଥିବା ଡ଼ିଏମଇଟି ନିର୍ଦ୍ଦେଶକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଅନ୍ୟ ୨୬ ଜଣ ବ୍ୟକ୍ତିଙ୍କ ପରୀକ୍ଷା ନିରୀକ୍ଷା ଜାରି ରହିଛି । “ନୂଆଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନେଇଥିବା ପ୍ରତିଶେଧାତ୍ମକ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରିଛନ୍ତି,” ବୋଲି ସେ କହିଛନ୍ତି ।

କରୋନା ଭୂତାଣୁ ଲାଗି ହୋମିଓପ୍ୟାଥିକ ଔଷଧ ସମ୍ପର୍କରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଏଥିଲାଗି ଆୟୁଷ ଡାକ୍ତରମାନେ ହିଁ ସଠିକ୍ ଔଷଧ ପରାମର୍ଶ ଦେଇପାରିବେ ।

Leave A Reply

Your email address will not be published.