ବିଶ୍ବର ଦୁଇ ବୃହତ୍ ଅର୍ଥନୀତି ଭାବେ ଆମେରିକା ଓ ଚୀନ୍ ଏବେ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ| କୋଭିଡର ପ୍ରବଳ ପ୍ରତାପ ସମୟରେ ଅବଶ୍ୟ ବାଣିଜ୍ୟ ଯୁଦ୍ଧରେ ଟିକେ ଭଟ୍ଟା ପଡ଼ିଛି| ମାତ୍ର ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତି ଆପାତତଃ ସୁଧୁରିଥିବା ଚୀନ୍ ପକ୍ଷରୁ କୁହାଯାଉଥିବା ବେଳେ କମ୍ୟୁନିଷ୍ଟ ସରକାର ବିଦେଶରେ ପୁଞ୍ଜିନିବେଶ ସହ ବିଶ୍ବ ବାଣିଜ୍ୟକୁ ପୁଣି ଜୋରଦାର କରିବାରେ ଲାଗିଲାଣି| ଏହି ରାଷ୍ଟ୍ର ସର୍ବଦା ବିସ୍ତାରବାଦୀ ଆର୍ଥିକ କୌଶଳ ମାଧ୍ୟମରେ ସାମରିକ ତଥା ରାଜନୈତିକ କ୍ଷମତା ବୃଦ୍ଧିକରିବା ଲକ୍ଷ୍ୟ ଚରିତାର୍ଥ କରୁଥିବାରୁ ବର୍ତ୍ତମାନର ଉଦ୍ୟମକୁ ସନ୍ଦେହ ଦୃଷ୍ଟିରେ ଦେଖୁଛି ଭାରତ|
ଦେଶର ବିଭିନ୍ନ ଲାଭଦାୟକ ଉଦ୍ୟୋଗ କୋଭିଡ ଯୋଗୁ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ଫଳରେ ସେଗୁଡ଼ିକର ଆର୍ଥିକ ସ୍ଥିତି ଏବେ ଦୁର୍ବଳ ହୋଇପଡ଼ିଛି, ଯାହାର ସୁଯୋଗ ନେଇ ଚୀନ୍ ସେଥିରେ ଅଧିକ ପୁଞ୍ଜିନିବେଶକରି ଅଂଶଧନ ବଢ଼ାଇବା ଜରିଆରେ ସେସବୁକୁ ଅକ୍ତିଆର କରିବାର ଆଶଙ୍କା ଭାରତ ସରକାର କରୁଥିବାରୁ ଜରୁରୀକାଳୀନ କଟକଣା ଜାରିକରିଛନ୍ତି| ନିଷ୍ପତ୍ତି ଅନୁସାରେ ଦେଶର ଶିଳ୍ପୋଦ୍ୟୋଗ ଏବଂ ବ୍ୟାବସାୟିକ ସଂସ୍ଥା ବିଶେଷ ରୂପେ ଷ୍ଟାର୍ଟ-ଅପ୍ ତଥା ପ୍ରଯୁକ୍ତିଭିତ୍ତିକ କମ୍ପାନୀଗୁଡ଼ିକୁ ଏଭଳି ଆକସ୍ମିକ ବିପଦରୁ ରକ୍ଷାକରିବା ପାଇଁ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁସାରେ ଏପ୍ରିଲ ୧୮ରେ ‘ଡିପାର୍ଟମେଣ୍ଟ ଅଫ୍ ପ୍ରମୋସନ୍ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ୍ ଟ୍ରେଡ’ ତରଫରୁ ଏହି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି| ଏହାକୁ ସୁରକ୍ଷା ବଳୟ ବା ଫାୟାର୍ ଓବାଲ୍ ନୀତି ଭାବେ ଅଭିହିତ କରାଯାଉଛି|
ଯେଉଁଦେଶଗୁଡ଼ିକ ଭାରତର ସ୍ଥଳଭାଗ ସହିତ ସଂଯୁକ୍ତ ସେହି ଦେଶସବୁ ଏହି ନିଷ୍ପତ୍ତି ପରିସରଭୂକ୍ତ ହେବେ| ଅର୍ଥାତ୍ ଅର୍ଥନୀତି ଦୃଢ଼ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାଏମ ରହିବାର ସଙ୍କେତ ମିଳୁଛି| ଏହି ବିଶେଷ ନୀତି ଅନୁସାରେ ପ୍ରତ୍ୟେକଟି ପୁଞ୍ଜିଲଗାଣ ପ୍ରସ୍ତାବ ବା ‘ଏଫ୍ ଡି ଆଇ’ ସରକାରଙ୍କ ମଞ୍ଜୁରୀ ପାଇବା ଦରକାର| ଏଥିସହିତ ଚୀନ୍ ର କ୍ରମବର୍ଦ୍ଧମାନ ସମ୍ପୃକ୍ତି ଦେଶର ସୁରକ୍ଷାକୁ ମଧ୍ୟ ବିପନ୍ନ କରିପାରେ, ଯାହା ଉପରେ ରୋକ୍ ଲଗାଇବାର ଆବଶ୍ୟକତା ଅନୁଭବ କରିଛନ୍ତି ସରକାର| ଚୀନ୍ ସହିତ ଆମର ୩୪୮୮ କିମି ଦୈର୍ଘ୍ୟର ସୀମା ବିବାଦ ଥିବା ସହିତ ଚୀନ୍ ପାକିସ୍ତାନ ସହିତ ମିଶି ଜାତିସଙ୍ଘ ସମେତ ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ ଭାରତକୁ ଅସୁବିଧାରେ ପକାଇବା ଲାଗି ନିରନ୍ତର ଉଦ୍ୟମ ତଥା ଜାମ୍ମୁ-କାଶ୍ମୀରରେ ସର୍ବଦା ଉତ୍ତେଜନାକୁ ପ୍ରୋତ୍ସାହିତକରୁଥିବା କାରଣରୁ ତାହାର ଆର୍ଥିକ ଆଧିପତ୍ୟକୁ ସୁଯୋଗ ଦିଆଯିବା ଅନୁଚିତ| କାରଣ ଚୀନ୍ ର ଅନେକ ଘରୋଇ ନିବେଶକ ରାଷ୍ଟ୍ରର ସହାୟତା ଲାଭକରୁଥିବାରୁ ସେହି ସରକାରର ଗୋପନ ଉଦ୍ଦେଶ୍ୟକୁ ପୂରଣ କରିବାର ଆଶଙ୍କା ରହିଛି| କିନ୍ତୁ ଏହି ନୀତି ଫଳରେ ନେପାଳ, ବଙ୍ଗଳାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ମାୟାଁମାର ଏବଂ ଭୁଟାନର ଅର୍ଥଲଗାଣକାରୀମାନେ ମଧ୍ୟ ପ୍ରଭାବିତ ହେବେ|
ତେବେ ଚୀନ୍ ଉପରେ ସରକାର ବିଶେଷ ଭାବେ ଦୃଷ୍ଟିନିବଦ୍ଧ କରୁଥିବାରୁ ଅନ୍ୟରାଷ୍ଟ୍ରର ପୁଞ୍ଜିପତିମାନେ ଅନୁମତି ପାଇବାରେ ସମସ୍ୟା ସାମ୍ନାକରିବାର ସମ୍ଭାବନା କମ୍ ମନେହୁଏ| ତେଣୁ ଭାରତର ଏହି ପଦକ୍ଷେପ ପରେ ଚୀନ୍ କ୍ଷୁବ୍ଧହୋଇ ଉକ୍ତ ନିୟମ ଆର୍ଥନୀତିକ ଜଗତୀକରଣର ଉଲ୍ଲଙ୍ଘନ ଏବଂ ସେ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭେଦଭାବମୂଳକ ବୋଲି ବୟାନଦେଇଛି|
ଭାରତରେ ଥିବା ଚୀନ୍ ଦୂତାବାସର ପ୍ରବକ୍ତା ଜୀ ରୋଙ୍ଗ୍ ଏପରି ପାତରଅନ୍ତର ଆଧାରିତ ନୀତିକୁ ସଂଶୋଧନ କରିବାକୁ କହିଛନ୍ତି| ତେବେ ଭାରତ ତାର ନିୟନ୍ତ୍ରଣାତ୍ମକ ନୀତିରେ ଅଟଳରହିବ| ଅନୁରୂପ ଭାବେ ପାକିସ୍ତାନକୁ ଭାରତର ମହାକାଶ, ପ୍ରତିରକ୍ଷା, ଆଣବିକ ଶକ୍ତି ଆଦି କ୍ଷେତ୍ରରେ ବିନିବେଶ ପାଇଁ ପ୍ରତିବନ୍ଧକ ଲଗାଯାଇଛି| ଏହାକୁ ସୁରକ୍ଷା ତଥା ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବିଶ୍ଳେଷଣକାରୀମାନେ ମଧ୍ୟ ସମର୍ଥନ କରିଛନ୍ତି|
ଚୀନ୍ ର ଏପରି ବିସ୍ତାରବାଦୀ ମନୋଭାବ ସମ୍ପର୍କରେ ସୂଚନା ମଧ୍ୟ ମିଳିସାରିଛି| ନିକଟରେ ବୈଦେଶିକ ନୀତି ସଂକ୍ରାନ୍ତୀୟ ଗବେଷଣା ପ୍ରତିଷ୍ଠାନ ‘ଇଣ୍ଡିଆନ୍ କାଉନସିଲ୍ ଅନ୍ ଗ୍ଲୋବାଲ୍ ରିଲେସନ୍ସ’ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ, ଭାରତର ୩୦ଟି ୟୁନିକର୍ଣ୍ଣ( ୧ବିଲିଅନ୍ ଡଲାରରୁ ଅଧିକ ମୂଲ୍ୟ) ବିଶିଷ୍ଟ କମ୍ପାନୀ ମଧ୍ୟରୁ ୧୮ଟି ରେ ଚୀନ୍ ପୁଞ୍ଜିପତିଙ୍କ ନିବେଶ ରହିଛି| ଏଗୁଡ଼ିକ ମଧ୍ୟରେ ପେଟିଏମ୍, ବିଗ୍ ବାସ୍କେଟ୍, ଓୟୋ, ଓଲା, ପଲିସୀବଜାର ଏବଂ ଡେଲିଭରୀ ଭଳି ୟୁନିକର୍ଣ୍ଣ ଅନ୍ତର୍ଭୂକ୍ତ| ଏହାର ଅର୍ଥ ଚୀନ୍ ଭାରତୀୟ ସମାଜ, ଅର୍ଥନୀତି ଏବଂ ପ୍ରଯୁକ୍ତି ବାତାବରଣ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ| ବର୍ତ୍ତମାନ ଉପରୋକ୍ତ ପ୍ରତି କମ୍ପାନୀରେ ଚୀନା ପୁଞ୍ଜି ପ୍ରାୟ ୧୦୦ନିୟୁତ ଡଲାର ରହିଥିବା ବେଳେ କୋଭିଡ ବିପର୍ଯ୍ୟୟ ସମୟରେ ସେମାନେ ନିଜର ଅଂଶଧନ ବଢ଼ାଇ ଉଦ୍ୟୋଗଗୁଡ଼ିକୁ ଅକ୍ତିଆର କରିବାର ଯୋଜନାକରିବା ବିଚିତ୍ର ନୁହେଁ| କାରଣ ବ୍ୟବସାୟ ବୃଦ୍ଧି ପାଇଁ ଏହାହିଁ ମୁଲଚାଲ କରିବାର ପ୍ରକୃଷ୍ଟ ସମୟ| ସେହିପରି ୭୫ରୁ ଅଧିକ ଇ-କମର୍ସ, ଫିନଟେକ୍, ମିଡିଆ/ସୋସିଆଲ ମିଡିଆ, ଆଗ୍ରିଗେସନ୍ ସର୍ଭିସେସ୍ ତଥା ଲଜିଷ୍ଟିକ୍ କ୍ଷେତ୍ରରେ ମଧ୍ୟ ଚୀନା ଅଂଶୀଦାର ଅଛନ୍ତି| କୋଭିଡ ପରପ୍ରେକ୍ଷୀରେ ଭାରତ କେବଳ ଏହି ପଦକ୍ଷେପ ନେଇନାହିଁ, ୟୁରୋପିଆନ୍ ୟୁନିୟନ୍, ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟ ଏପରି ନିଷ୍ପତ୍ତି ନେଇସାରିଛନ୍ତି|
ତେବେ ଭାରତର ନିଷ୍ପତ୍ତି କମ୍ପାନୀମାନଙ୍କର ଆର୍ଥିକ ଅନଟନ ସମୟରେ ଦେଶ ପାଇଁ କ୍ଷତିକାରକ ହେବ ବୋଲି କହିଛନ୍ତି ବିଶିଷ୍ଟ ଅର୍ଥଶାସ୍ତ୍ରୀ ସ୍ବାମୀନାଥନ ଅଙ୍କଳେଶ୍ବର ଆୟାର୍| ସେ କହିଛନ୍ତି ବିପୁଳ ବୈଦେଶିକ ପୁଞ୍ଜି ଏଫ୍ ଡି ଆଇ ଓ ଏଫ୍ ପି ଆଇ ଆମନ୍ତ୍ରଣ ଯୋଗୁ ୨୦୦୦ମସିହାରେ ଭାରତ ଖୁବ୍ ଚମତ୍କାର ଅର୍ଥନୀତିରେ ପରିଣତ ହୋଇଥିଲା ଏବଂ ବାର୍ଷିକ ୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିଲା| ଏବେ ସଙ୍କଟ କାଳରେ ନିଆଯାଇଥିବା ନିଷ୍ପତ୍ତି ମାନ୍ଦାବସ୍ଥାକୁ ଆହୁରି ଦ୍ରୁତକରିପକାଇବ| ଏହାକୁ ସ୍ଥାୟୀ ନୀତି ଭାବେ ଗ୍ରହଣ କରାଗଲେ ଭାରତୀୟ ଅର୍ଥନୀତିର ଦୁର୍ଦ୍ଦିନ ଘନେଇଆସିବା ନିଶ୍ଚିତ| ସେ ଆହୁରି କହିଛନ୍ତି, ବିଶ୍ବର ପ୍ରାୟ ସବୁ ଫର୍ଚୁନ୍-୫୦୦ କମ୍ପାନୀ ଭାରତରେ ଆସ୍ଥାନ ଜମାଇଛନ୍ତି| ସେମାନେ କ’ଣ ଭାରତର ଉଦ୍ୟୋଗଗୁଡ଼ିକୁ ଗିଳିପକାଇଛନ୍ତି ନାଁ ଭାରତର ସୁରକ୍ଷା ପାଇଁ ବିପଦର କାରଣ ହୋଇଛନ୍ତି|
୨୦୧୯ ଡିସେମ୍ବର ସୁଦ୍ଧା ଚୀନ୍ ର ମୋଟ ପୁଞ୍ଜି ନିବେଶର ପରିମାଣ ୮ବିଲିଅନ୍ ଡଲାର, ଯାହା ଆଦୌ ଚିନ୍ତାଜନକ ନୁହଁ| ଆର୍ଥିକ ତଥା ପ୍ରଯୁକ୍ତି ଦୃଷ୍ଟିରୁ ଚୀନ୍ ବିଶ୍ବସ୍ତରୀୟ ହୋଇଥିଲେ ବି ଆମେରିକା କମ୍ପାନୀମାନଙ୍କର ସମକକ୍ଷ ହୋଇପାରିନାହିଁ| ଆମେରିକୀୟ କମ୍ପାନୀମାନେ ୬୦-୭୦ ଦଶକରେ ପ୍ରବଳ ପ୍ରଭାବ ରହିଥିଲେ ମଧ୍ୟ ସେମାନେ ଭାରତ କିମ୍ବା କୌଣସି ରାଷ୍ଟ୍ର ପାଇଁ ସମସ୍ୟା ସୃଷ୍ଟି କରିନାହାଁନ୍ତି| ଏପରି କରିବା ଯଥାର୍ଥ ରଣକୌଶଳ ନୁହେଁ ବୋଲି ଉଦ୍ୟୋଗୀମାନେ ଜାଣନ୍ତି| ତେଣୁ ଚୀନ୍ କୁ ଅଯଥା ସନ୍ଦେହକରିବା ଅନୁଚିତ|
ତେବେ ଏପରି ମତାମତର ଉତ୍ତର ଦେଇ କୁହାଯାଇପାରେ ଯେ, ଚୀନ୍ ରାଷ୍ଟ୍ରର ରାଜନୈତିକ ପ୍ରକୃତି ତଥା ଆଚରଣ ଭାରତ ପ୍ରତି କଦାପି ଅନୁକୂଳ ନଥିବା କଥା କମ୍ୟୁନିଷ୍ଟ ଚୀନ୍ ସରକାର ପ୍ରତିଷ୍ଠା ଦିନରୁ ଜଣାଥିବା ବେଳେ ଭାରତ କାହିଁକି ତା’ପ୍ରତି କୋହଳ ମନୋଭାବ ପୋଷଣ କରିବ ଏବଂ ତା’ର ଚରିତ୍ରକୁ ସହଜରେ ବିଶ୍ବାସ କରିବ? ଏହାବ୍ୟତୀତ ଏହି ନୀତି ସ୍ଥାୟୀ ହେବ ବୋଲି ତ କୌଣସି ସୂଚନା ନାହିଁ, ଯାହାକୁ ନେଇ ଶଙ୍କା ପ୍ରକାଶ ପାଇବ? ତେଣୁ ଭାରତର ବୈଦେଶିକ ନୀତି ତଥା ଆର୍ଥିକ ନୀତି ତାତ୍କାଳୀକ ପରିସ୍ଥିତିକୁ ଚାହିଁ ଯେପରି ପରିବର୍ତ୍ତନ ହେଉଛି ତାହା ଯଥାର୍ଥ|
ସମାଲୋଚକମାନେ ଜାଣିବା ଦରକାର ଯେ, କୌଣସି ନୀତି କେବଳ ରାଜନୀତି ପ୍ରେରିତ ହୋଇନଥାଏ, ଏହା ପଛରେ ଅନେକ ବିଶେଷଜ୍ଞଙ୍କର ସୁଚିନ୍ତିତ ପରାମର୍ଶ ଥାଏ|
( ସ୍ତମ୍ଭକାର ଜଣେ ବରିଷ୍ଠ ସାମ୍ବାଦିକ )
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.