Latest Odisha News

BREAKING NEWS

ସୁନ୍ଦରଗଡ଼ରେ କରୋନା ଆତଙ୍କ; ଚୀନରୁ ଫେରିଲେ ୪ଜଣ ବ୍ୟକ୍ତି

ରାଉରକେଲା: ସମଗ୍ର ବିଶ୍ୱରେ ଭୟାବହ କରୋନା ଭୂତାଣୁ ଆତଙ୍କିତ ଅବସ୍ଥାରେ ଆଚ୍ଛାଦିତ କରି ରଖିଥିବା ବେଳେ ଏବେ ଓଡ଼ିଶାରେ ଏହି ମାରାତ୍ମକ ଭାଇରସ ଯୋଗୁଁ ଜନସାଧାରଣ ସଚେତନ ହେବାରେ ଲାଗିଛନ୍ତି । ମାତ୍ର ବିମାନବନ୍ଦର ଦେଇ ଚୀନ ଫେରନ୍ତା ଯାତ୍ରୀମାନେ ଏବେ ଓଡ଼ିଶା ଫେରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁରୁତ୍ୱର ସହିତ ନଜର ରଖିଛି ।

ଇତିମଧ୍ୟରେ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି ଚୀନ ଫେରନ୍ତା ୪ଜଣ ଯାତ୍ରୀ, ଏହାକୁ ନେଇ ସୁନ୍ଦରଗଡ଼ରେ ଚର୍ଚ୍ଚା ଜାରି ରହିଛି ।

ପ୍ରାୟ ୧୦ ଦିନ ପୂର୍ବରୁ ସୁନ୍ଦରଗଡ଼କୁ ଫେରିଛନ୍ତି ୪ଜଣ ଯାତ୍ରୀ । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରଠାରେ ତୁରନ୍ତ ସେମାନଙ୍କର ସ୍ୱାସ୍ଥ୍ୟଗତ ଯାଞ୍ଚ ହେବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି କଡ଼ା ନଜର ରଖିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।

ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ସମେତ ଅନ୍ୟ ଜଣେ ଯାତ୍ରୀ ରାଉରକେଲାର ବାସନ୍ତି କଲୋନୀକୁ ଫେରିଛନ୍ତି । ସେ ଟାଟା ଦେଇ ରାଉରକେଲାକୁ ଫେରିଥିବାର ସୂଚନା ହସ୍ତଗତ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସରୋଜ କୁମାର ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଏହି ୪ ଜଣ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଏଥି ସହିତ ପ୍ରତ୍ୟେକ ଦିନ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଯାଞ୍ଚ ହେଉଛି । ଏପର୍ଯ୍ୟନ୍ତ ସେମାନଙ୍କଠାରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଇ ନାହିଁ ବୋଲି ଡଃ ମିଶ୍ର କହିଛନ୍ତି ।

“ସେମାନଙ୍କୁ ସମସ୍ତ ପ୍ରକାର ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯିବା ସହିତ ସବୁ ସମୟରେ ମୁହଁରେ ମାସ୍କ ବ୍ୟବହାର କରିବାକୁ ଅବଗତ କରାଯାଇଛି, ଆଗାମୀ ୫ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ନଜରରେ ରଖାଯିବ,” ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.