Latest Odisha News

BREAKING NEWS

କରୋନା ଭୂତାଣୁ ଆତଙ୍କ; ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱର ଏୟାରପୋର୍ଟରେ ଯାଞ୍ଚ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭାଇରସ ଆତଙ୍କ ଖେଳିଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଏନ ବି ଧଳ ରବିବାର ଦିନ ଏହି ପ୍ରସଙ୍ଗରେ ମେଡ଼ିକାଲ ବିଶେଷଜ୍ଞମାନଙ୍କ ସହିତ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଏକ ବୈଠକରେ ଆଲୋଚନା କରିଛନ୍ତି । ଏହି ବୈଠକରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ଚୀନରେ ଏପର୍ଯ୍ୟନ୍ତ ଏହି ମାରାତ୍ମକ କରୋନା ଭାଇରସ୍ ଆକ୍ରାନ୍ତରେ ୫୬ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟି ସାରିଲାଣି । ସେହିପରି ଭାବେ ଭାରତର ମହାରାଷ୍ଟ୍ର ଓ କେରଳ ରାଜ୍ୟରେ ପ୍ରାୟ ୧୦୦ ଜଣ ବ୍ୟକ୍ତିଙ୍କୁ ଏହି ଭାଇରସ୍ ସଂକ୍ରମିତ ହୋଇଥିବା ସନ୍ଦେହରେ ଚିକିତ୍ସା କରାଯାଉଛି ।

ଇତିମଧ୍ୟରେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ଧଳ ରାଜ୍ୟ କଣ୍ଟ୍ରୋଲ୍ ରୁମ ସମେତ କ୍ୟାପିଟାଲ୍ ହସ୍ପିଟାଲ୍ ପରିଦର୍ଶନ କରିବା ସହିିତ ଏହି ରୋଗ ଭୂତାଣୁ ସଂକ୍ରମିତ ହେବା ପୂର୍ବରୁ ପ୍ରତିଶେଧମୂଳକ ପଦକ୍ଷେପର ତର୍ଜମା କରିଛନ୍ତି ।

ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସଚେତନାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ପୂର୍ବରୁ ଓଡ଼ିଶା ସରକାର ଏନେଇ ଏକ ସତର୍କତା ମୂଳକ ଆଲର୍ଟ ଜାରି କରିଥିଲେ । ସରକାରଙ୍କ ପକ୍ଷରୁ ଜନସାଧାରଙ୍କୁ ପରାମର୍ଶ ଦିଆଯାଇ କୁହାଯାଇଛି ଯେ, ଯେଉଁ ବ୍ୟକ୍ତିମାନେ ଗତମାସ କିମ୍ବା ଏବେ ଚୀନରୁ ଓଡ଼ିଶା ଆସିଛନ୍ତି ସେମାନେ ମୁହଁରେ ମାସ୍କ ପିନ୍ଧିବା ଜରୁରୀ । ଏଥିସହିତ ସେମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିନେବା ଆବଶ୍ୟକ ।

କଟକସ୍ଥିତ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ପକ୍ଷରୁ ଏହି ମାରାତ୍ମକ ଭାଇରସ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତି ସରିଛି । ରାଜ୍ୟର କେତେକ ହସ୍ପିଟାଲ ସହିତ ଏସସିବି, ଭିଏସଏସ ମେଡ଼ିକାଲ କଲେଜ ଓ ହସ୍ପିଟାଲ ମାଧ୍ୟମରେ ବିଭିନ୍ନ ସ୍ଥାନରେ ନୋଡ଼ାଲ୍ କେନ୍ଦ୍ର ସ୍ଥାପନ କରାଯାଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ଥିର ହୋଇଛି ।

Leave A Reply

Your email address will not be published.