Latest Odisha News

ଜଡଜଗତରେ ଜଡିତ ହେବାକୁ ଏ ଜୀବଜଗତ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଆମେ ପ୍ରକୃତି ସହିତ ଖେଳ ଖେଳିଲେ । ଏବେ ପ୍ରକୃତିର ଭୟଙ୍କର ଖେଳ ଆରମ୍ଭ ହୋଇଯାଇଛି । ଆମେ ଆମର ବଡିମା ଦେଖାଇବା ପାଇଁ ମାଟି, ପାଣି, ପବନ, ଆକାଶକୁ ଅକ୍ତିଆରରେ ଆଣିବାପାଇଁ ନୂଆ ନୂଆ ଯନ୍ତ୍ରପାତି, ମାରଣାସ୍ତ୍ର ବ୍ୟବହାର କଲେ । ଧରଣୀବକ୍ଷକୁ ବିଦାରି ଆମେ ଖଣିଜପଦାର୍ଥ ବାହାର କଲେ, ଜଙ୍ଗଲ ନଷ୍ଟ କଲେ, ପାଣିକୁ ବିଷାକ୍ତ କଲେ, ମାଟି ଉପରେ କଂକ୍ରିଟ୍ ବିଛାଇ ବହୁତାଲା ବିଶିଷ୍ଟ ଅଟ୍ଟାଳିକା ଗଢିତୋଳିଲେ, ବିଭିନ୍ନ ପ୍ରକାର ବିଷାକ୍ତ ମାରଣାସ୍ତ୍ର ପ୍ରସ୍ତୁତ କରି ପାଣି, ପବନ, ଆକାଶକୁ ଛିନ୍ନବିଛିନ୍ନ କରିଦେଲେ । ଆଜି ନୀଳଆକାଶ ତଳର ଧୂସର ପର୍ବତ – ସବୁଜ ପ୍ରାନ୍ତର ହଳଦିଆ ଭିଟାମାଟି, ଏ ସେବୁ ଆଉ ନାହିଁ । କମ୍ପାନୀମାନଙ୍କ କଳାଧୂଆ ଆଜି ଗୋଟାପୁଣି ସମସ୍ତଙ୍କୁ ଗିଳିଦେବାକୁ ବସିଛି ।
ଅଦୃଶ୍ୟ କରୋନା ଭୂତାଣୁର ଖେଳ ସମଗ୍ର ବିଶ୍ୱ ହାଡେ ହାଡେ ଅନୁଭବ କରୁଛି । ଆଉ ୧୭ଲକ୍ଷ ଅଜଣା ଭୂତାଣୁକୁ ଚିହ୍ନବିାକୁ ବାକି ଅଛି ବୋଲି ବୈଜ୍ଞାନିକମାନେ ଭବିଷ୍ୟତବାଣୀ ଶୁଣାଇଲେଣି । ଏହି ଭୂତାଣୁଗୁଡିକ ଅନୁକୂଳ ପରିବେଶ ପାଇଲେ ସଂକ୍ରମିତ ହେବେ । ଏମାନଙ୍କ କବଳରୁ ଜୀବଜଗତ ରକ୍ଷା ପାଇବା ଅସମ୍ଭବ । କରୋନା ମହାମାରୀ ପ୍ରତିମୁହୂର୍ତରେ ବଢିଚାଲିଥିବାରୁ ସାରା ବିଶ୍ୱରେ ସଂକ୍ରମିତ ଓ ମୃତ୍ୟୁହାର ବଢିବଢି ଚାଲିଛି । ମହାଶକ୍ତିଶାଳୀ ଦେଶଠାରୁ ଆରମ୍ଭ କରି ବିକାଶଶୀଳ ଓ ଦରିଦ୍ର ଦେଶମାନଙ୍କରେ ଏହି ଭୂତାଣୁକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ମେଡିସିନ୍ ବାହାରିନାହିଁ । କେବେ ବାହାରିବ କେହି କହିପାରୁନାହାଁନ୍ତି । ଶକ୍ତିଶାଳୀ ଦେଶମାନେ କ୍ଷଣିକରେ ପୃଥିବାକୁ ଧ୍ୱଂସ କରିଦେବା ପାଇଁ ବାହାସ୍ଫୋଟ ମାରିଆସୁଥିଲେ । ଏଥିପାଇଁ ସେମାନେ କେତେପ୍ରକାର ଧ୍ୱଂସାତ୍ମକ ମାରଣାସ୍ତ୍ର ପ୍ରସ୍ତୁତ କରୁଥିଲେ, ଆଜି କିନ୍ତୁ ରୋଗ ଆଉ ଭୋକରୁ ମୁକ୍ତିପାଇଁ ସେମାନଙ୍କର କୌଣସି ଅସ୍ତ୍ର କାମ କରୁନାହିଁ ।

ଅଧିକ ପଢନ୍ତୁ: ମହରଗରୁ କାନ୍ତାରରେ ଆମ ପ୍ରବାସୀ ଶ୍ରମିକ

ଏବେଠାରୁ ଭୟଙ୍କର ଅର୍ଥନୈତିକ ସଂକଟ ମାଡିଆସିଲାଣି । ଦକ୍ଷିଣଆଫ୍ରିକାରେ ଖାଦ୍ୟ ଅଭାବରୁ ଲୋକେ ଜଙ୍ଗଲ ଭିତରକୁ ଯାଇ ପଶୁ ଶିକାର କଲେଣି । ସବୁଦେଶର ସରକାରଙ୍କ ପାଖରେ ଯାହାସବୁ ଗଚ୍ଛିତ ଅଛି, ତାକୁ ବାଂଟିଲେ ବେଶିଦିନ ଯିବନାହିଁ । ସରକାରମାନେ ଯେତେବେଳେ ହାତ ଟେକିଦେବେ ସେତେବେଳେ ବିଶ୍ୱ ଦୁର୍ଭିକ୍ଷ ପଡିବ । ଧନୀପୁଞ୍ଜିପତିମାନେ ଯାହାସବୁ ଲୁଚାଇ ରଖିଥିବେ ସେସବୁ ବିତରଣ କରିବାପାଇଁ ବିପନ୍ନମାନେ ଦାବି କରିବେ । ଦାବି ନମାନିଲେ ଲୁଟ୍‌ପାଟ୍ ହେବ, ଭୟଙ୍କର ଦଙ୍ଗା ଲାଗିଯିବ । ଏବେଠାରୁ ବିପନ୍ନମାନେ ଦୁଃଖର ସାଗରରେ ଉବୁଟୁବୁ ହେଉଛନ୍ତି । ଏବେ ବିଶ୍ୱର ସବୁଦେଶର ସରକାର ଓ କ୍ଷମତାସୀନ ଦଳମାନେ ରାଜକୋଷକୁ ଚଳୁ କରିଦେଇ ଜନଗଣଙ୍କ ମୁଣ୍ଡରେ ଆର୍ଥିକ ବୋଝକୁ ଲଦିଦେଉଛନ୍ତି । ଆଗକୁ ଭୟଙ୍କର ଅର୍ଥନୈତିକ ଆତଙ୍କବାଦ ପାଇଁ ଫାଟକ ଖୋଲିଦେଇଛି ।

ପ୍ରାଚୀନକାଳରେ ଚଉବର୍ଗତତ୍ୱ – ଅର୍ଥାତ୍ ଧର୍ମ, ଅର୍ଥ, କାମ, ମୋକ୍ଷକୁ ନେଇ ଏକ ଆଧିଭୌତିକ ବିଶ୍ୱାସ ସରଳନୀରିହ ଜନଗଣଙ୍କର ଅସ୍ଥିମଜ୍ଜାଗତ ହୋଇରହିଥିଲା । ମାତ୍ର ପୁଞ୍ଜିବାଦୀ ତତ୍ୱବାଗୀସ୍‌ବର୍ଗ ଏହି ଚଉବର୍ଗୀ ସରଳ ଜନବିଶ୍ୱାସ ପ୍ରତି କୁଠାରଘାତ କରି ନିଜ ମୁନିବମାନଙ୍କ ମୁନାଫାର ମଇଦାନ୍‌ରେ ପ୍ରଥମେ ଧର୍ମକୁ କିଣାକିଂକର କରାଇଦେଲେ । ମାତ୍ରାଧିକ ଔପଚାରିକତା ମଧ୍ୟରେ ଧର୍ମ ଡୁବିଗଲା । ପୁଞ୍ଜିବାଦର ସେବାକରି ନୟାନ୍ତ ହେଲାପରେ ଶେଷକୁ ଏ ଧର୍ମର ଉପସଂହାର ହେଲା ଦଙ୍ଗା ଓ ଆତଙ୍କବାଦରେ । ଧର୍ମ ପରେ ଅର୍ଥ । ମାତ୍ର ଅଧର୍ମବିତ ବା ବଳକା ଅର୍ଥକୁ ଆଣି ଯେତେ ଭେଳିକି ଲଗାଇଲେ ବି କାମ ଦେଉନି । ସଂସ୍କୃତି ଓ ଅର୍ଥନୀତି – ଏ ଦୁଇଟି ଭିତରେ ଯଦି ବିରାଟ ଫାଟ ସୃଷ୍ଟି ହେଲା, ତା’ ହେଲେ ମଣିଷ ପାଇଁ ତ୍ରାହି ନାହିଁ । ଆଜିର ଏ ଆତଙ୍କପ୍ରଦ ଅର୍ଥନୀତି ହରଣଚାଲ୍ କରିନେଉଛି ବିଶ୍ୱାସ, ବିବେକ, ମୂଲ୍ୟବୋଧ, ମନୁଷ୍ୟତା – ଅନେକ କିଛି । ବଂଚିବା ଆଜି ଜୀବନଠୁ ଜରୁରୀ ।

ଅଧିକ ପଢନ୍ତୁ: ଏଇ ତ ଜୀବନ !

ହାଣ ମୁହଁକୁ ମୁହାଁଇ ଚାଲିଥିବା ଆମ ଏ ଯୁଗଯୁଗର ପ୍ରାଚୀନପ୍ରବୁଦ୍ଧ ଦେଶ ଓ ବହୁ ଐତିହାସିକ ଘୂର୍ଣ୍ଣଝଡରୁ ବର୍ତିଯାଇଥିବା ସମାଜଜୀବନକୁ କ’ଣ ଧ୍ୱଂସ ହେବାପାଇଁ ଆମେ ଛାଡିଦେବା? ଗୋଟିଏ କୁରୁକ୍ଷେତ୍ରରେ ଦିନେ ନିଶ୍ଚିହ୍ନ ହୋଇଯାଇଥିଲା ମହାଭାରତ! ଆଜି ଆମ ସାମ୍ନାରେ ଶହ ଶହ କୁରୁକ୍ଷେତ୍ର…. ଆମର ଏ ମହାନ୍ ଭାରତକୁ କ’ଣ ଆମେ ଆଜି ବଳି ପକାଇଦେବା ତା’ ଭିତରେ? ନା… ପରିତ୍ରାଣ ପାଇଁ ଆମକୁ ଆଜି ଶିରସ୍ତ୍ରାଣ ପିନ୍ଧି ହାତରେ ଧରିବାକୁ ପଡିବ ମହାସଂଗ୍ରାମର ଅମୋଘ ଅସ୍ତ୍ର । ଆମେ ନିକାଲି ଦେବା ଏ ନକଲି ରାତିର ଜରିଗୁଡା ଜହ୍ନ ଆଉ କାଗଜଫୁଲର କାରୁକାର୍ଯ୍ୟକୁ । ଆମେ ଚିରିଦେବା ନାହିଁ ନାହିଁର ନକ୍‌ସା, ଆମେ ଭରିଦେବା କୋଟି କୋଟି କଙ୍କାଳ ପ୍ରାଣରେ ନୂଆ ଆଶା, ନିଆରା ଭରସା ।

ଅଧିକ ପଢନ୍ତୁ: ପ୍ରତ୍ୟାବର୍ତ୍ତନର ପ୍ରଚ୍ଛଦପଟରେ ପ୍ରବଞ୍ଚିତ ପ୍ରବାସୀ ପ୍ରବାହ

ନୀତିନୈତିକତାର ନିର୍ଲଜ କଂସେଇମାନଙ୍କୁ ଆଜି ରାସ୍ତାକଡର ବତିଖୁଂଟରେ ଝୁଲାଇଦେବାର ବେଳ ଆସିଛି । ନିଷ୍ଠୁର ଜହ୍ଲାଦମାନଙ୍କ ଜଘନ୍ୟ ହିଂସାର ସାମ୍ରାଜ୍ୟରୁ ନିରୀହ ପ୍ରହଲ୍ଲାଦମାନଙ୍କ ପରିତ୍ରାଣ କରିବାପାଇଁ ଜନ-ଜନାର୍ଦ୍ଦନଙ୍କୁ ନୃସିଂହ ଅବତାର ଧାରଣ କରିବାର ଆହ୍ୱାନ ଉପଗତ ହୋଇଛି । ଯେଉଁମାନେ ଭୂମିର ମଣିଷମାନଙ୍କୁ କଙ୍କାଳରେ ପରିଣତ କରିଛନ୍ତି, ସେମାନଙ୍କୁ କଠୋର ଶାସ୍ତିଦେବାର ସମୟ ଆସି ପହଂଚିଯାଇଛି । ବେଇମାନି ଲୋକମାନେ ଆଜିପର୍ଯ୍ୟନ୍ତ ଧୋକ୍କା ଦେଇଆସିଲେ । ଏଥିପାଇଁ ମନ ଖରାପ କରି ବସିରହିଲେ ହେବନାହିଁ । ଅତୀତରେ ଆପଣମାନେ ବହୁ କଷ୍ଟ, ତ୍ୟାଗ ଆତ୍ମବଳିଦାନ ଦେଇ ଯାହାସବୁ ସୃଷ୍ଟି କରିଥିଲେ, ସେସବୁ ଆଜି ଧ୍ୱଂସ ଆଡକୁ ପାଦ ବଢାଉଛି । ରୋକିବାକୁ ହେବ ଏ ରୁଗ୍‌ଣ ଧାରାକୁ । ପୁଣି ଆଉଥରେ ପ୍ରସ୍ତୁତ ହୋଇଯାଆନ୍ତୁ । ପଛକୁ ଫେରିଲେ ଅନ୍ଧାର, ଆଗକୁ ଚାହିଁଲେ ମୁକ୍ତିର ସକାଳ ।

ସହସ୍ରାଧର ସମାଜ ଉପରେ ପର ଝାଡୁଛି ସମୟର ଶଙ୍ଖଚିଲ୍ଲ । ବିଦାୟର ବେହାଗରେ ବ୍ୟଥାର ବେପଥୁ… । ଦିନମାନେ ବିତିଯାଇଛନ୍ତି ଚିହ୍ନ ରଖିଦେଇ, ଶେଷ ଶୀତର ସିରସ୍ତାରେ ସ୍ମୃତିର ଶାଏରୀ ଗାଇ ଗାଇ । ଦୃଷ୍ଟିର ଦିଗନ୍ତରୁ ଦୃଶ୍ୟାତିତ ହୋଇଚାଲିଛି ୨୦୨୦ । ଫିକା ପଡିଯାଇଛି ପାଦପ୍ରଦୀପର ଶିଖା । ପାଣ୍ଡୁର ହୋଇଛି ପାଦ ଟିକା । ପାଉଁଶ ତଳୁ ତଥାପି ଝଟକି ଉଠୁଛି ଝୁଲ । ଧୂଆଁର ଦଲିଲ୍ ଭିତରୁ ବାରିହୋଇ ପଡୁଛି ନିଆଁର ନକ୍‌ସା । ପୃଥିବୀର ଫୁଙ୍ଗୁଳା ପିଠିରେ ୨୦୨୦ ସୃଷ୍ଟି କରୁଛି ବହୁ ଭୟଙ୍କର ଘଟଣାର ବିସ୍ଫୋରିତ ବିସମ୍ବାଦ । ତମାମ୍ ମିଡିଆ ମୁଲକକୁ ନଚାଉଛି, ଚହଳ ବାଂଟୁଛି, ବୁଣୁଛି ଚମକ । ମାଳ ମାଳ ବିସମ୍ବାଦର ଖୋରାକ ଓଜାଡିଛି ଖବରକାଗଜର ସର୍ବଗ୍ରାସୀ ଆଁରେ । ଆଖିରୁ ଚୋରାଇ ନେଉଛି ନିଦ, ଭାଙ୍ଗିଯାଉଛି ବଦ୍ଧମୂଳ ବିଶ୍ୱାସର ଭାବମୂର୍ତି…. ପ୍ରତିଷ୍ଠିତ ପ୍ରତ୍ୟୟର ପ୍ରାଚୀନପ୍ରତିମା ସବୁ । ମାଫିଆ ଗଡଫାଦର ମାନଙ୍କ ଘମାଘୋଟ ଗୃହଯୁଦ୍ଧ ଯାଏ – ଧର୍ମଘଟରୁ ଧର୍ମାନ୍ତର ଯାଏ – ଦପ୍ତରରୁ ଦରବାର ଯାଏ – ରଣକ୍ଷେତ୍ରରୁ ଗଣତନ୍ତ୍ର ଯାଏ – ସଂଗିନ୍ ରାଜନୀତିର ନିନ୍ଦିତ ନେତାଙ୍କ ଯାଏ – ସବୁ ଗହନ ଗହିରିର ଗୋପନ ଗୋହିରିରେ ପାଦ ପକେଇଛି ୨୦୨୦ । ଏବେ ସାରା ପୃଥିବୀରେ ପୂର୍ଣ୍ଣଚିନ୍ତନର ସମୟ ଆସିଯାଇଛି । ଏ ପୃଥିବୀ ଅସରନ୍ତି ପୃଷ୍ଠାବହୁଳ ଏକ ବିଚିତ୍ର ବିଷୟବସ୍ତୁର ମହାଗ୍ରନ୍ଥ ।

ଧ୍ୱଂସର ଧ୍ୱଂସସ୍ତୁପ ତଳୁ ପୁଣି କଅଁଳୁଛି ଜୀବଟିଏ – ସାବ୍‌ଜା ସ୍ୱପ୍ନର । ପାଉଁଶିଆ ପୋଡାଭୂଇଁର ପଥର ଫାଙ୍କରୁ ନୂଆ ସକାଳର ନାରା ଶୁଣାଉଛି ନିଷ୍ପାପ ଘାସଫୁଲଟିଏ – ଆକାଶି ଆଶାରେ । ସବୁ ସଂକଟର ସଂଘାତ ଭିତରେ ବି ମଣିଷ ବଂଚିଛି ଠିକ୍ – ଅପେକ୍ଷା କରିଛି ସେଇ ନୂଆ ସକାଳକୁ । ଯେଉଁ ସକାଳ ତାକୁ ଦେଖାଉନଥିବ କୃଷବିଦ୍ଧ ଖ୍ରୀଷ୍ଟର ରକ୍ତାକ୍ତ ଶରୀର, ଗୁଳିବିଦ୍ଧ ଗାନ୍ଧୀର ଶିତଳ ଶବ, ଲହୁଭିଜା ଲିଙ୍କନର ସକରୁଣ ଲାଶ୍‌…, ସକ୍ରେଟିସ୍‌ର ଓଠ ଆଡକୁ କି ମୀରାବାଇର ମୁହଁ ପାଖକୁ ବିଷର ପିଆଲା ବଢାଇ ଦେଉନଥିବ କାହାର ନିର୍ଦ୍ଦୟ ହାତ । ଏକ ପାପମୁକ୍ତ, ବ୍ୟାଧିମୁକ୍ତ, କ୍ଷୁଧାମୁକ୍ତ ପୃଥିବୀ ଆମର ଦରକାର ।
ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.