Latest Odisha News

BREAKING NEWS

ମହରଗରୁ କାନ୍ତାରରେ ଆମ ପ୍ରବାସୀ ଶ୍ରମିକ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଭାରତ ସରକାର କରୋନା ମହାମାରୀ ପାଇଁ ଲକ୍‌ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ସବୁ ଶ୍ରେଣୀର ଜନଗଣ ଗଭୀର ସମସ୍ୟାରେ ପଡିଛନ୍ତି । ଦେଶର ଶ୍ରମଜୀବିଙ୍କ ଜୀବନ ଜୀବିକା ଠପ୍ ହୋଇଯାଇଛି । ସେମାନଙ୍କ ଦୁର୍ଦ୍ଦଶା କହିଲେ ନସରେ । ସାରା ଦେଶରେ କାର୍ଯ୍ୟରତ ଶ୍ରମଜୀବି ଶ୍ରେଣୀ ବିଶେଷ କରି ପ୍ରବାସୀ ଶ୍ରମିକ, ଯେଉଁମାନେ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ଥିଲେ, ସେମାନଙ୍କ ଅବସ୍ଥା ଅସମ୍ଭାଳହୋଇପଡିଛି । ଏହି ପ୍ରବାସୀଶ୍ରମିକଙ୍କଯୋଗୁଁ ପୁଞ୍ଜିପତି, ଶିଳ୍ପପତି ଓ ଠିକାଦାରମାନେ ପ୍ରଚୁର ଲାଭ ଉଠାଉଥିଲା ବେଳେ ସେମାନଙ୍କୁ ଅତ୍ୟନ୍ତ କମ୍ ମଜୁରୀ ଦେଉଥିଲେ । ଏହି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଦେଶରେ ପଣ୍ଡିତ ଜବାହାରଲାଲ ନେହେରୁ କିଛିଟା ସୁବିଧା ପାଇଁ ଆଇନ୍ ପ୍ରଣୟନ କରିଥିଲେ । ସେଇ ସବୁ ଆଇନକୁ ବଦଳାଇ ଦେଇ ବର୍ତମାନର କେନ୍ଦ୍ର ସରକାର ନୀତି ଆୟୋଗ ପ୍ରତିଷ୍ଠା କରି ବିକାଶ ପାଇଁ ବିଭିନ୍ନ ଯୋଜନା କଲେ । ସେ ଯୋଜନାର ସୁଫଳ ଏବେବି ଅପହଂଚ ।

ଅଧିକ ପଢନ୍ତୁ: ସଂଗରୋଧର ସଂସାରରେ ସଂସ୍ଥା ଓ ଶ୍ରମସଂସ୍କୃତି

ବିଶ୍ୱବ୍ୟାଙ୍କ ଆନୁମାନିକ ଭାବେ ଦେଶରେ ୪ କୋଟି ପ୍ରବାସୀ ଶ୍ରମିକ ଅଛନ୍ତ ବୋଲି କହିଲେ । ଅନ୍ୟମାନେ କହିଲେ ୧୦ କୋଟି । ଏବେ ବିଭିନ୍ନ ରାଜ୍ୟରେ୧୩ କୋଟି ପ୍ରବାସୀ ଶ୍ରମିକ ଅଛନ୍ତି । ବାସ୍ତବରେ କେତେ କୋଟି ପ୍ରବାସୀ ଶ୍ରମିକ ଅଛନ୍ତି ଏ ପର୍ଯ୍ୟନ୍ତ କାହାକୁ ଜଣାନାହିଁ । ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକମାନେ ସେମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଟ୍ରେଡ୍ ୟୁନିୟନ ଗଢି ତୋଳିଲେ । ଏପରି କି ମାଲିକ ଶ୍ରେଣୀ ସେମାନଙ୍କ ଟ୍ରେଡ୍ ୟୁନିୟନର ଅଧିକାରକୁ ମାନିଲେ ନାହିଁ । ଯାହାଫଳରେ ମାଲିକମାନଙ୍କର ଅନେକ ସୁବିଧା ହେଲା । ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାର ମାନେ ବେକାରୀ ସମସ୍ୟା ସମାଧାନ କରିବା ବଦଳରେ ପ୍ରବାସୀ ଶ୍ରମିକଙ୍କ ଯୋଗୁଁ ନିଯୁକ୍ତି ସୃଷ୍ଟି ହେଇପାରୁନି ବୋଲି ବାହାନା କଲେ । ସେମାନଙ୍କ ଟ୍ରେଡ୍ ୟୁନିୟନକୁ ଭାଙ୍ଗିବାରେ ସମସ୍ତ ପ୍ରକାର ଉଦ୍ୟମ କଲେ । ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଚାକିରୀ ଓ ଅନ୍ୟାନ୍ୟ ସୁବିଧା ବାବଦରେ କେହି ପାଟି ଫିଟାଇବାକୁ ରହିଲେ ନାହିଁ । ଏପରିକି ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ହୋଇଗଲେ ମଧ୍ୟ ସେମାନଙ୍କର ଉଚିତ୍ ପ୍ରାପ୍ୟ ମିଳିଲା ନାହିଁ । ପ୍ରବାସୀ ଶ୍ରମିକମାନେ ବିଶେଷ କରି ନିର୍ମାଣ କାମରେ ବେଶି ନିଯୁକ୍ତି ହୋଇଥାନ୍ତି । ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁହେଲେ ଦଲାଲ ମାନେ ସ୍ଥାନୀୟନେତା, ରାଜନୈତିକ ଦଳ, ଠିକାଦାରଙ୍କ ମଧ୍ୟସ୍ତି ସାଜି ଲାଭ ଉଠାଇଲେ ।

ରାଜନୈତିକ ଭାବେ ଏହି ପ୍ରବାସୀ ଶ୍ରମିକଙ୍କ ଅଧିକାର କେହି ଶୁଣିଲେ ନାହିଁ । ରାଜନୈତିକ ନେତାମାନେ କେବଳ ସେମାନଙ୍କର ନିର୍ବାଚନ ପରିପ୍ରେକ୍ଷୀରେ ପ୍ରବାସୀ ଶ୍ରମିକମାନଙ୍କୁ ମନେପକାନ୍ତି । ଠିକାଦାର ଓ ମାଲିକମାନେ ପ୍ରବାସୀ ଶ୍ରମିକଙ୍କ ହାଡଭଙ୍ଗା କଠିନ ପରିଶ୍ରମରୁ ଅତ୍ୟଧିକ ଲାଭଉଠାନ୍ତି । କେନ୍ଦ୍ର ସରକାରଙ୍କ ଲକ୍‌ଡାଉନ୍ ପରିପ୍ରେକ୍ଷୀରେ ଠିକାଦାରମାନେ କେଉଁ ଆଡେ ଲୁଚିଗଲେ । ରାଜ୍ୟ ସରକାର ମଧ୍ୟ ସେମାନଙ୍କୁ ମାଗଣାଖାଦ୍ୟ ଓ ଅର୍ଥ ଠିକ୍‌ଭାବେ ଦେଇ ପାରିଲେ ନାହିଁ । ସେମାନଙ୍କ ଅସୁବିଧା ସମୟରେ ରାଜ୍ୟ ସରକାରମାନେ ସେମାନଙ୍କ ଭାଷା ମଧ୍ୟ ବୁଝିପାରିଲେନାହିଁ । ଯାହା ଫଳରେ ପାଖାପାଖି ୯୫ ପ୍ରତିଶତ ପ୍ରବାସୀ ଶ୍ରମିକ ସେମାନଙ୍କର ମାଗଣା ଚାଉଳ, ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା, ଯାହା ସରକାର ଘୋଷଣା କରୁଥିଲେ ତାହା ପାଇଲେ ନାହିଁ ।

ଅଧିକ ପଢନ୍ତୁ: ପ୍ରତ୍ୟାବର୍ତ୍ତନର ପ୍ରଚ୍ଛଦପଟରେ ପ୍ରବଞ୍ଚିତ ପ୍ରବାସୀ ପ୍ରବାହ

ଯେତେବେଳେ କେନ୍ଦ୍ର ସରକାର ମାତ୍ର ୪ ଘଂଟା ନୋଟିସ୍ ରେଲକ୍‌ଡାଉନ୍ ଘୋଷଣା କଲେ, ସେତେବେଳେ ସେମାନଙ୍କୁ କାମ ହରାଇବାକୁ ପଡିଲା । ସେମାନଙ୍କର ଅଳ୍ପ ସଂଚିତ ଯାହା ଥିଲା ତାକୁ ଖର୍ଚ୍ଚକରିବା ଆରମ୍ଭ କଲେ ଏବଂ ବହୁ ଅର୍ଥ ବ୍ୟୟ କରି ଘରମୁହାଁ ହେଲେ । ଯାହା ଫଳରେ ଭାରତବର୍ଷର ସମସ୍ତ ରାଜ୍ୟରେ ଅଭାବି ପ୍ରବାସୀମାନେ ଛୁଆପିଲାଙ୍କୁ ଧରି ଜାତୀୟ ରାଜପଥରେ, ଟ୍ରେନ୍‌ଲାଇନ୍ କଡେ କଡେ ଚାଲିବାକୁ ଆରମ୍ଭ କଲେ । ସେମାନେ ଦଶ କି ଶହେ କିଲୋମିଟର ନୁହେଁ ହଜାର ହଜାର କିଲୋମିଟର ଚାଲିଲେ । ଏପରିକି ଏହି ଯାତ୍ରା କାଳରେ ଅଧିକାଂଶଙ୍କର ଜୀବନ ଚାଲିଗଲା, ଭୋକରେ ଅଧିକାଂଶ ଟଳି ପଡିଲେ, ଦୁର୍ଘଟଣାରେ ବହୁଲୋକ ମଲେ । ନବଜାତ ଶିଶୁ ଜନ୍ମ କରିମା’ ଛାଡି ପଳାଇଗଲା । ଏସବୁ ଘଟଣା ରାତିଦିନ ଘଟିବାରେ ଲାଗିଛି ।

ପାଖାପାଖି ଦେଢମାସ ପରେ କେନ୍ଦ୍ରସରକାର ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରାଇଆଣିବା ପାଇଁଟ୍ରେନ୍ ଓ ବସ୍‌ର ବନ୍ଦୋବସ୍ତ କଲେ । ପ୍ରବାସୀ ଶ୍ରମିକମାନେ ଚଢା ଦାମ୍‌ରେ ଟିକେଟ୍ କିଣିଘରକୁ ଆସିବା ପାଇଁ ବ୍ୟଗ୍ରହେଲେ । ସରକାର ଜାଣନ୍ତି ଏହି ଶ୍ରମିକମାନଙ୍କ ପାଖରେ ଟଙ୍କା ନାହିଁ, ଏପରିକି ଗୋଟିଏ ମିଲ୍ ଖାଇବାପାଇଁ ମଧ୍ୟ ସମ୍ବଳ ନାହିଁ । ଯେଉଁମାନେ ଟ୍ରେନ୍ କିମ୍ବା ବସ୍‌ରେ ଚଢା ଦାମ୍ ଦେଇ ଟିକେଟ୍ କିଣିଲେ, ସେମାନେ ଟିକେ ଅନ୍ୟ ମାନଙ୍କ ଅପେକ୍ଷା କିଛି ଟଙ୍କା ରଖିଥିଲେ । ଅନ୍ୟପକ୍ଷରେ ଠିକାଦାର ଏବଂ ବ୍ୟବସାୟୀ ମାଲିକମାନେ ଯେଉଁମାନେ ଲକ୍ଷଲକ୍ଷ ଟଙ୍କା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ରୋଜଗାର କରୁଥିଲେ ସେମାନେ ଦେଖା ଦେଲେ ନାହିଁ । ସ୍ଥାନୀୟ ଶିଳ୍ପପତିମାନେ ଶ୍ରମିକ ମାନଙ୍କ କଥା ବୁଝିଲେ ନାହିଁ । ସରକାର ମାଲିକମାନଙ୍କ କଥାରେ ଶ୍ରମିକମାନଙ୍କୁ ରାଜ୍ୟଛାଡି ନଯିବା ପାଇଁ ମଧ୍ୟ ପ୍ରବର୍ତାଇଲେ । ପ୍ରବାସୀ ଶ୍ରମିକମାନେ ଏକପ୍ରକାର କ୍ରୀତଦାସ ଭଳି ଖଟୁଥିଲେ । ସେମାନଙ୍କ ପାଇଁ କୌଣସି ଆଇନ୍‌କାନୁନ୍ ପର୍ଯ୍ୟାପ୍ତ ନଥିଲା ।

ଅପରପକ୍ଷରେ ଦେଢମାସ ପରେ ସରକାର ଘରବାହୁଡା ପାଇଁ ଆଦେଶ ଦେଲେ । ଯେଉଁ ସମୟରେ କି ପ୍ରବାସୀ ଶ୍ରମିକମାନଙ୍କ ପକ୍ଷରେ ଘରକୁ ଆସିବା କଷ୍ଟକର ହୋଇପଡିଲା । ବର୍ତମାନ ଲକ୍‌ଡାଉନ୍ ସମୟରେ ମଧ୍ୟବିତ, ଉଚ୍ଚ ମଧ୍ୟବିତ ୨୦ ପ୍ରତିଶତ ସୁବିଧା ପାଉଛନ୍ତି । ସେମାନେ ତାଙ୍କର ସଂଚିତ ଧନକୁ ବସି ଖାଉଛନ୍ତି । କିନ୍ତୁ ଶ୍ରମିକମାନଙ୍କ ହାତରେ ଆଉ ଅର୍ଥ ନାହିଁ । ସେମାନଙ୍କ ଅବସ୍ଥା କହିଲେ ନସରେ । ସେମାନଙ୍କର ନିଜ ସଂଗଠନ ନଥିବାରୁ ସେମାନଙ୍କ ତିଷ୍ଠିବା କଷ୍ଟକର ହୋଇପଡିଛି । ଯଦି ସେମାନଙ୍କର ୟୁନିୟନ ଥାଆନ୍ତା, ତାଙ୍କର ନ୍ୟାର୍ଯ୍ୟ ଅଧିକାର ପାଆନ୍ତେ ଏବଂ ମାନବିକ ଦୃଷ୍ଟିକୋଣରୁ ସେମାନେ ତାଙ୍କ ଅଧିକାରକୁ ସାବ୍ୟସ୍ତ କରନ୍ତେ । ସଚେତନ ଶ୍ରମିକମାନେ ସେମାନଙ୍କ ଟ୍ରେଡ୍ ୟୁନିୟନ୍‌ର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସଂଗଠିତ ହୋଇପାରନ୍ତେ ।

ପ୍ରବାସୀ ଶ୍ରମିକମାନଙ୍କୁ ସଂଘଟିତ କରୁଥିବା ଟ୍ରେଡ୍ ୟୁନିୟନ ଗୁଡିକ ଦୁର୍ବଳ ଥିବାରୁ ଗଣତାନ୍ତ୍ରୀକ ଅଧିକାର, ଅର୍ଥନୈତିକ ଅଧିକାର ହାସଲ କରିବାରେ ବିଳମ୍ବିତହେଉଛି । ଦୁଷିତ ପରିବେଶରେ ରୋଗାକ୍ରାନ୍ତ ଜୀବନ ନେଇ ପଡି ରହିଛନ୍ତି ଦେଶର ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ । ଲୁହ ଲହୁର ବହ୍ନିରେ ସେମାନଙ୍କ ଦେହ, ମନ ଜଳି ଯାଉଛି । ଯେଉଁମାନଙ୍କ ଲୁହ ଲହୁରେ ଦେଶବିଦେଶ ରାଜ୍ୟର ଅର୍ଥନୀତି ସମୃଦ୍ଧ ହୁଏ,ଶିଳ୍ପପତୀ ମାନଙ୍କର ହିମାଳୟ ପର୍ବତ ସଦୃଶ ସମ୍ପତି ବୃଦ୍ଧି ହୁଏ, ସେଇ ଶ୍ରମଜୀବିଙ୍କ ବେଦନାକ୍ତଛବି ଦେଖୁଛିକିଏ, ନା ତାଙ୍କ ଦୁଃଖ ବୁଝୁଛି କିଏ? ଆଜିର ନେତାମାନଙ୍କୁ ଆତ୍ମ ସ୍ୱାର୍ଥ ବନ୍ଦୀ କରିରଖିଛି । ସେମାନେ ଶ୍ରମଜୀବିର ସ୍ୱାର୍ଥ ଦେଖିବେ କିପରି? ପୁଞ୍ଜି ବିରୁଦ୍ଧରେ ଲଢେଇ କରି ଶ୍ରମିକଶ୍ରେଣୀ ଛିନ୍‌ଛତ୍ର ହୋଇପଡିଛି । ଏହି ବିଶ୍ୱର ବିନ୍ଧାଣୀ ଶ୍ରମିକ ଶ୍ରେଣୀ କେବେ ତା’ର ହକ୍‌, ପ୍ରାପ୍ୟ, ଅଧିକାର ପାଇବେ? ଯେଉଁ ଶ୍ରମିକମାନେ ଭାବୁଛନ୍ତି – ନେତାମାନେ ସବୁ ଠିକ୍‌ଠାକ୍‌ କରିଦେବେ, ସେମାନେ ପ୍ରକୃତରେ ଠକି ଯାଉଛନ୍ତି । ଆଉ ପୂର୍ବର ସେସମୟର ସଚ୍ଚାନେତା ନାହାଁନ୍ତି, ଯେଉଁମାନେ ଶୟନେ, ସପନେ, ଜାଗରଣେ ଶ୍ରମିକ ଶ୍ରେଣୀର ମୁକ୍ତି ଚାହୁଁଥିଲେ, ଲଢୁଥିଲେ ମଧ୍ୟ ।

ଏବେ କେବଳ ଓଡିଶା କି ଭାରତ ନୁହେଁ, ସମଗ୍ର ବିଶ୍ୱରେ ଅଦୃଶ୍ୟ କରୋନା ଭୂତାଣୁ ମହାମାରୀର କରାଳ ନାଗଫାଶ ବନ୍ଧନରେ ସମସ୍ତେ ଗୃହବନ୍ଦୀ । ଯେଉଁ ପ୍ରବାସୀମାନେ ବିଭିନ୍ନ ଦେଶ ଓ ରାଜ୍ୟରେ ଜୀବନ ବଂଚାଇବା ପାଇଁ ଜୀବିକା ଅନ୍ୱେଷଣରେ ବର୍ଷ ବର୍ଷ ଧରି ପଡିରହିଥିଲେ, ଏ ମହାବିପଦ ବେଳେ ସମସ୍ତେ ପ୍ରାୟ ଘରମୁହାଁ । ଆମ ଦେଶ କି ବିଶ୍ୱରେ କେଉଁଠି କେତେ ପ୍ରବାସୀ ଶ୍ରମଜୀବି ଅଛନ୍ତି, ତାହାର ସଠିକ୍‌ କଳନା ଏପର୍ଯ୍ୟନ୍ତ ହୋଇପାରିନି । ଏବେ ଧିରେ ଧିରେ ସେମାନଙ୍କ ସଂଖ୍ୟା ଜଣାପଡୁଛି । ସେମାନେ ନିଜ ଘରକୁ ଫେରିଆସିଲେ ସେମାନଙ୍କ ଜୀବନଜୀବିକା ଭୟଙ୍କର ସଂକଟ ଦେଖାଦେବ । କେବଳ ଅର୍ଥନୈତିକ ସଂକଟ ଦେଖାଦେବନି, ଭୋକ ଓ ରୋଗ ସେମାନଙ୍କୁ କହଲବିକଲ କରିବ । ମହରଗରୁ ଆସି ପ୍ରବାସୀ ଶ୍ରମଜୀବିମାନେ କାନ୍ତାରରେ ପଡିଯିବେ । ସେମାନଙ୍କୁ ବଂଚାଇ ରଖିବା ଦାୟିତ୍ୱ ଆମ ସମସ୍ତଙ୍କର ।

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.