Latest Odisha News

BREAKING NEWS

ଅଜବ ଏ ରିଲ୍‌ସ ନିଶା, ଆଇଫୋନ କିଣିବାକୁ ୮ ମାସର ପୁଅକୁ ବିକିଦେଲେ ବାପା-ମାଆ

କୋଲକାତା: ସୋସିଆଲ ମିଡିଆ ଏବେ ଅନେକ ଲୋକଙ୍କ ଦୈନିନ୍ଦିନ ଜୀବନର ଅବଚ୍ଛେଦ୍ୟ ଅଂଶ ପାଲଟି ଗଲାଣି। ଆଜିକାଲି ଯୁବପିଢିଙ୍କର ଇନଷ୍ଟାଗ୍ରାମରେ ରିଲ୍‌ସ ଭିଡିଓ ବନେଇ ପୋଷ୍ଟ କରିବା ଏକ ନିଶା ପାଲଟିଲାଣି। ହେଲେ ପଶ୍ଚିମବଙ୍ଗର ଏକ ଦମ୍ପତିଙ୍କ ଏଭଳି ନିଶା କଥା ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ। ରିଲ୍‌ସ ଭିଡିଓ ବନେଇବା ପାଇଁ ଆଇଫୋନ କିଣିବାକୁ ନିଜର ୮ ମାସର ପୁଅକୁ ବିକିଦେଲେ ବାପା-ମାଆ।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଘଟଣା। ପୋଲିସ ଘଟଣା ଜାଣିବା ପରେ ପତ୍ନୀଙ୍କୁ ଗିରଫ କରିଥିବା ବେଳେ ସ୍ୱାମୀ ଫେରାର ହୋଇଛନ୍ତି। ସେହିପରି ଏହି ମାମଲାରେ ପିଲା କିଣିଥିବା ମହିଳାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ରହୁଛନ୍ତି ଜୟଦେବ ଘୋଷ ଓ ପତ୍ନୀ ସାଥୀ ଘୋଷ। ସେମାନଙ୍କର ଏକ ୭ ବର୍ଷର କନ୍ୟା ସନ୍ତାନ ଏବଂ ୮ ମାସର ପୁଅ ଅଛନ୍ତି। ବିଭିନ୍ନ ସ୍ଥାନରେ ରିଲ୍‌ସ କରି ବୁଲିବା ଏହି ଦମ୍ପତିଙ୍କ ନିଶା। କିନ୍ତୁ ଦମ୍ପତିଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା। ଏଭଳି ପରିସ୍ଥିତିରେ ତାଙ୍କ ହାତରେ ଥିବା ଆଇଫୋନ୍ ଦେଖି ପଡୋଶୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ଦିନ ହେବ ତାଙ୍କର ପୁଅ ମଧ୍ୟ ଗାଏବ ଥିଲା। ପରେ ଯେତେବେଳେ ପଡ଼ୋଶୀମାନେ ତାଙ୍କୁ ତାଙ୍କ ପୁଅ ବିଷୟରେ ପଚାରିଥିଲେ, ପ୍ରଥମେ ସେ ସ୍ପଷ୍ଟ ଉତ୍ତର ଦେଇନଥିଲେ। କିନ୍ତୁ ପରେ ସେ କହିଥିଲେ ଯେ ସେ ତାଙ୍କର ୮ ମାସର ଶିଶୁକୁ ଟଙ୍କା ପାଇଁ ବିକ୍ରି କରିଥିଲେ।

ଲୋକମାନେ ପୋଲିସକୁ ଏ ବିଷୟରେ ସୂଚନା ଦେବା ମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ପରିପ୍ରେକ୍ଷୀରେ ପୋଲିସ ତଦନ୍ତ କରି ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲା। ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ଶିଶୁର ମାଆ ଆଇଫୋନ୍ ସାହାଯ୍ୟରେ ରିଲ୍‌ସ ଭିଡିଓ କରିବାକୁ ଚାହୁଁଛନ୍ତି। ତାଙ୍କ ପାଖରେ ଟଙ୍କା ନଥିଲା, ତେଣୁ ସେ ନିଜ ସ୍ୱାମୀ ସହ ମିଳି ପିଲାକୁ ବିକ୍ରି କରିଥିଲେ।

Leave A Reply

Your email address will not be published.