ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
କିନ୍ତୁ ବୀରା କ’ଣ ପାଇଁ ଏତେ ଭାବପ୍ରବଣ ହୋଇପଡ଼ୁଥିଲା କେଜାଣି? ସେ ଏ ପରିମଲ୍ ପରିବାରର ସଦସ୍ୟଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଉ ନଥିଲା । ତଥାପି ତାଙ୍କ ଘର ଦୁଆରମୁହଁ ଡେଇଁବା ମାତ୍ରେ ତା’ ଭିତରେ ସୃଷ୍ଟି ହେଉଥିବା ଗୋଟେ ଭୟାତୁର ଅନୁଭବକୁ ସେ ଦୂରେଇ ମଧ୍ୟ ଦେଇ ପାରୁନଥିଲା ।
“ବାହ୍! ଚମତ୍କାର!”
ସିଡ଼୍ ଏମିତି ଭାବରେ ଆଇସ୍କ୍ରିମ୍ ଖାଇ ଚାଲିଥିଲା ସତେ ଯେମିତି ସେଇଟା ଏ ଦୁନିଆର ସବୁଠାରୁ ଭଲ ଖାଦ୍ୟ ଆଉ ସେ ନିଜେ ଶତାବ୍ଦୀ ଶତାବ୍ଦୀ ଧରି ଯେମିତି ଭୋକିଲା ଅଛି । ଭାନିଲା ଏସେନ୍ସ୍, ହ୍ୱିପ୍ଡ଼୍ କ୍ରିମ୍ ଓ ହର୍ସିର ଚକୋଲେଟ୍ ସିରପ୍ ତା’ ମୁହଁସାରା ବୋଳି ହୋଇଯାଇଥାଏ । ତା’ ପାଖରେ ବସିଥିବା ବୀରା ପାଖ ଟେବୁଲ ଆଡ଼କୁ ଟିକେ ଚାହିଁଲା । ସେ ଟେବୁଲ ପାଖରେ ବସିଥିବା ଛଅଜଣ ଯାକ – ଦୁଇଜଣ ଛୋଟପିଲା ଏବଂ ଚାରିଜଣ ବୟସ୍କ, ସମସ୍ତେ ବିରକ୍ତ ହୋଇ ସିଡ଼୍ ଆଡ଼କୁ ଚାହିଁଥା’ନ୍ତି । ସେ ସମସ୍ତେ ଗଳା ଚାରିପଟେ ନାପ୍କିନ୍ ଏତେ ଜୋରରେ ବାନ୍ଧିଥାଆନ୍ତି ଯେ, ବୀରା ଭାବୁଥାଏ ସେମାନେ ଅଣନିଃଶ୍ୱାସୀ ହୋଇଯାଉଥିବେ ନିଶ୍ଚୟ ।
ସେ ସମସ୍ତଙ୍କ ହାତରେ ଖାଇବା ପାଇଁ ଛୁରୀ ଏବଂ କଣ୍ଟାଚାମଚ ଥାଏ । ବୀରା ଏଥର ମୁହଁ ବୁଲେଇ ଦେଖିଲା ଯେ ସିଡ଼୍ ତା’ର ଆଇସ୍କ୍ରିମ୍ ଶେଷ କରି ସାରି ଖାଲି କପ୍ଟିକୁ ଭୋକିଲା ନଜରରେ ଚାହିଁଛି । ସିଡ଼୍ କେବେ ବି ବଦଳିବନି ବୋଲି ଭାବି ମନେ ମନେ ହସି ବୀରା ଏଥର ରୋହାନ୍ ଆଡ଼କୁ ମୁହଁ ବୁଲାଇଲା ।
“ଆଚ୍ଛା, ତମେ ତା’ହେଲେ ଦିଲ୍ଲୀ ୟୁନିଭର୍ସିଟିରେ ପଢ଼ୁଛ?” ରୋହାନ୍କୁ ଚାହିଁ ବୀରା ପଚାରିଲା ।
ଚାମଚ ଧରି ଆଇସ୍କ୍ରିମ୍ ଆଡ଼ଉ ଆଡ଼ଉ ରୋହାନ୍ ଉଚାର ଦେଲା, “ହଁ, ଏଇ ନଭେମ୍ବରରେ ସେସନ୍ ଆରମ୍ବ ହେବ ।
ଆଉ ତମ ଯୋଜନା କ’ଣ?”,
“ହଁ, ମୁଁ ସ୍ଥିର କରିସାରିଛି ଯେ ଗୋଟେ ଗର୍ଲସ୍ ବୋଡ଼ିଂଗ୍ ସ୍କୁଲ୍ରେ ରହି ପଢ଼ିବି । କିନ୍ତୁ କେଉଁଠି, ଏପର୍ଯ୍ୟନ୍ତ ସ୍ଥିର ହୋଇନି ।” ବୀରା ଉତ୍ତର ଦେଲା ।
କ୍ରମଶଃ