କଟକ: ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର ଦିନ କଟକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଏଡିଜେ) ଭୀମସେନଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରି ଖାରଜ କରିଦେଇଛନ୍ତି। ଅଭିଯୋଗର ଗୁରୁତ୍ୱ ଏବଂ ପୋଲିସ ହାତରେ ଲାଗିଥିବା ଡିଜିଟାଲ୍ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଫଳରେ ତାଙ୍କୁ ଆହୁରି କିଛି ଦିନ ଜେଲ୍ରେ ହିଁ ବିତାଇବାକୁ ପଡ଼ିବ ବୋଲି ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ରାଜ୍ୟ ସରକାର ଭୀମସେନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ନୂଆ କରି ନିଯୁକ୍ତି ପାଇଥିବା ଏହି ଓଡ଼ିଶା ଟ୍ୟାକ୍ସେସନ୍ ଆଣ୍ଡ୍ ଆକାଉଣ୍ଟ ସର୍ଭିସ୍ ପ୍ରୋବେସନାର୍ ଅଧିକାରୀ ଭୀମସେନ ଟୁଡୁଙ୍କୁ ସରକାରୀ ସେବାରୁ ସମ୍ପୂର୍ଣ୍ଣ ରୂପେ ବହିଷ୍କୃତ କରାଯାଇଥିଲା। ଏପରିକି ଭବିଷ୍ୟତରେ ସେ ଯେପରି ଅନ୍ୟ କୌଣସି ସରକାରୀ ଚାକିରି ପାଇପାରିବେ ନାହିଁ, ସେନେଇ ମଧ୍ୟ ସରକାରଙ୍କ ପକ୍ଷରୁ କଡ଼ା କଟକଣା ଲଗାଯାଇଛି।
ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜର ତୃତୀୟ ବର୍ଷର ଏମବିବିଏସ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଗତ ଜୁନ୍ ୪ ତାରିଖରେ କଟକ ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ନିକଟ କାଠଯୋଡ଼ି ନଦୀର ବାଲିପଠାରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୋଷ୍ଟମର୍ଟମ୍ ରିପୋର୍ଟରେ ପାଣିରେ ବୁଡ଼ି ତଥା ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଦର୍ଶାଯାଇଥିବା ବେଳେ, ଚନ୍ଦ୍ରିକାଙ୍କ ମା’ ଏବଂ ପରିବାର ଲୋକେ ଭୀମସେନଙ୍କ ନାମରେ ହତ୍ୟା ଏବଂ ମାନସିକ ନିର୍ଯାତନା ଦେବାର ଗୁରୁତର ଅଭିଯୋଗ ଆଣିଥିଲେ।
ଦୀର୍ଘ ୧୪ ବର୍ଷ ଧରି ଉଭୟ ପ୍ରେମ ସମ୍ପର୍କରେ ଥିଲେ। ତେବେ ଭୀମସେନ ସରକାରୀ ଚାକିରି ପାଇବା ପରେ ଚନ୍ଦ୍ରିକାଙ୍କୁ ଅଣଦେଖା କରିବା ସହ ତାଙ୍କ ରଙ୍ଗ (ଗୋରା ନହେବା) କୁ ନେଇ ବାରମ୍ବାର କଟାକ୍ଷ କରୁଥିଲେ। ପ୍ରେମିକଙ୍କ କଥାରେ ପ୍ରଭାବିତ ହୋଇ ତଥା ସମ୍ପର୍କକୁ ବଞ୍ଚାଇବା ପାଇଁ ଚନ୍ଦ୍ରିକା ସ୍କିନ୍-ଲାଇଟନିଂ ବା ଗ୍ଲୁଟାଥିଓନ୍ ଇଞ୍ଜେକ୍ସନ ମଧ୍ୟ ନେଉଥିଲେ। ଏପରିକି ଭୀମସେନ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ବିବାହର ପ୍ରତିଶ୍ରୁତିରୁ ଓହରି ଯାଇଥିବାରୁ ଚନ୍ଦ୍ରିକା ଗଭୀର ମାନସିକ ଚାପରେ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଥିଲା।
ମୃତ୍ୟୁ ଘଟଣା ପରେ କୋର୍ଟରେ ଆଗୁଆ ଜାମିନ ଆବେଦନ କରି ପୋଲିସକୁ ଲୁଚି ବୁଲୁଥିବା ଭୀମସେନ ଟୁଡୁଙ୍କୁ ଗତ ଜୁନ୍ ୧୨ ତାରିଖ ରାତିରେ କମିଶନରେଟ୍ ପୋଲିସ ମୟୂରଭଞ୍ଜ ଜିଲ୍ଲାରୁ ଗିରଫ କରିଥିଲା। ପୋଲିସ ତାଙ୍କ ମୋବାଇଲ୍ ଚାଟ୍, କଲ୍ ରେକର୍ଡ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣକୁ ଆଧାର କରି ତାଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ମାମଲାରେ କୋର୍ଟ ଚାଲାଣ କରିଥିଲା। ଏବେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ଏହି ସମ୍ବେଦନଶୀଳ ଘଟଣାର ନ୍ୟାୟିକ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି।