ନୂଆଦିଲ୍ଲୀ: ପତ୍ନୀଙ୍କ ନିର୍ଯ୍ୟାତନା ଯୋଗୁଁ ଆତ୍ମହତ୍ୟା କରିଥିବା ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ୪ ବର୍ଷର ପୁଅର କଷ୍ଟଡି ପାଇଁ ଅତୁଲଙ୍କ ମା ଅଞ୍ଜୁ ଦେବୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଶିଶୁର ଜେଜେମା’ଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ଗ୍ରହଣ କରିଥିଲୁ କାରଣ ଶିଶୁ କେଉଁଠାରେ ଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରୁନଥିଲା କିନ୍ତୁ ବର୍ତ୍ତମାନ ପିଲାଟି ମାଙ୍କ ସହିତ ଥିବା ଜଣାପଡିଛି।
ଅପରପକ୍ଷରେ ଶିଶୁର ରକ୍ଷଣାବେକ୍ଷଣ ଅଞ୍ଜୁ ଦେବୀଙ୍କୁ ହସ୍ତାନ୍ତର କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଷ୍ଟିସ ନାଗରତ୍ନା କହିଛନ୍ତି ଯେ ପିଲାଟି ଜେଜେ ମା’ଙ୍କ ସହ ପରିଚିତ ନୁହେଁ କାରଣ ପିଲାଟି ନିଜ ଜେଜେମା ସହ କୌଣସି ଯୋଗାଯୋଗରେ ନଥିଲା। କିନ୍ତୁ ବର୍ତ୍ତମାନ ସେ ଜଣେ ଅଭିଭାବକ (ମା) ସହ ଅଛି। ଯଦି ଆପଣ ତାଙ୍କ କଷ୍ଟଡି ଚାହୁଁଛନ୍ତି ତେବେ ଆପଣ ଉପଯୁକ୍ତ ଫୋରମ୍ କୁ ଯିବା ଉଚିତ କାରଣ ଏସବୁ ପାଇଁ ଭିନ୍ନ ଭିନ୍ନ ଆଇନଗତ ପ୍ରକ୍ରିୟା ଅଛି।
ଶୁଣାଣି ସମୟରେ ନିକିତା ସିଙ୍ଘାନିଆଙ୍କ ଓକିଲ କୋର୍ଟରେ କହିଥିଲେ ଯେ ପିଲାଟି ବର୍ତ୍ତମାନ ମା ସହିତ ଅଛି। ନିକିତା ଜାମିନ ପାଇବା ପରେପରେ ଶିଶୁର କଷ୍ଟଡି ପାଇଯାଇଥିଲେ। କିନ୍ତୁ ଯେତେବେଳେ ସେ ଜେଲରେ ଥିଲେ ସେତେବେଳେ ପିଲାଟି ଫରିଦାବାଦର ଏକ ବୋର୍ଡିଂ ସ୍କୁଲରେ ପଢୁଥିଲା। ଜାମିନ ସର୍ତ୍ତ ଅନୁଯାୟୀ ତାଙ୍କୁ ବାଙ୍ଗାଲୋରର ତଦନ୍ତ ଅଧିକାରୀଙ୍କ ନିକଟରେ ପ୍ରାୟ ସମୟ ହାଜର ହେବାକୁ ପଡିବ। ତେଣୁ ସେ ତାଙ୍କ ପୁଅକୁ ନିଜ ସହ ବାଙ୍ଗାଲୋରକୁ ନେଇଯିବେ।
ଅପରପକ୍ଷରେ ଅତୁଲ ସୁଭାଷଙ୍କ ମା ଅଞ୍ଜୁ ଦେବୀଙ୍କ ଓକିଲ ଶିଶୁର କଷ୍ଟଡି ତାଙ୍କ ଜେଜେମା’ଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ଓକିଲଙ୍କ କହିବାନୁସାରେ ପିଲାଟିକୁ ବର୍ତ୍ତମାନ ୪ ବର୍ଷ ହୋଇଛି ଏବଂ ଶିଶୁଟିର ମାଆ ଶିଶୁର ଯତ୍ନ ନେବାକୁ ସକ୍ଷମ ନୁହେଁ। ନିୟମ ଅନୁଯାୟୀ, ୬ ବର୍ଷରୁ କମ୍ ପିଲାଙ୍କୁ ବୋର୍ଡିଂ ସ୍କୁଲରେ ଭର୍ତ୍ତି କରାଯାଇପାରିବ ନାହିଁ। ଏହା ସତ୍ତ୍ବେ ମଧ୍ୟ ପିଲାଟି ଦେଢ ବର୍ଷ ଧରି ବୋର୍ଡିଂ ସ୍କୁଲରେ ପଢୁଥିଲା।
ତେବେ ଏହି ମାମଲାର ଆଗାମୀ ଶୁଣାଣି ଜାନୁଆରୀ ୨୦ରେ ହେବ ବୋଲି ଜଣାପଡିଛି।