Latest Odisha News

BREAKING NEWS

ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ସମଗ୍ର ବିଶ୍ୱରେ ଭୟର ବାତାବରଣ

ଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ ଭ୍ୟାରିଆଣ୍ଟ ଏବେ ସମଗ୍ର ବିଶ୍ୱରେ ଭୟର ବାତାବରଣ ଦେଖାଦେଇଛି । ଏପରିକି ଏହା କରୋନାର ତୃତୀୟ ଲହରର ଆଶଙ୍କାଙ୍କୁ ବଢ଼ାଇ ଦେଇଛି । ଓମିକ୍ରନକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡ଼ିକୁ ଚିଠି ଲେଖିଛନ୍ତି । ପ୍ରଭାବିତ ଦେଶରୁ ଫେରୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା କରାଇବା ଓ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଲେ ଜେନୋମ ସିକ୍ୟୁଏନ୍ସିଂ କରିବାକୁ କୁହାଯାଇଛି ।

ସଂକ୍ରମଣ ବଢ଼ୁଥିବା ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାକୁ କୁହାଯାଇଛି । ହଟସ୍ପଟ୍ ଅଞ୍ଚଳ ଚିହ୍ନଟ ସହ ଟେଷ୍ଟିଂ, ଟ୍ରେସିଂକୁ ବଢ଼ାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ସେହିପରି ଡ଼ିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ସେବା ସ୍ୱାଭାବିକ କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା । ତେବେ ଏହି ନିଷ୍ପତି ଉପରେ ସରକାର ପୁଣିଥରେ ବିଚାର କରିବେ ବୋଲି ଜଣାପଡ଼ିଛି । ଏପଟେ ରାଜ୍ୟ ସରକାର ମଧ୍ୟ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ଯେପରି ଅଣାୟତ୍ତ ନହେବ ସେଥିପାଇଁ କୋଭିଡ଼ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ନମାନିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତୃତୀୟ ଲହରର ପ୍ରଭାବ ରୋକିବା ପାଇଁ ଅଧିକ ସତର୍କ, ସଜାଗ ରହିବାକୁ ହେବ । ଯେପରି କୋଭିଡ଼ ଆକ୍ରାନ୍ତଙ୍କୁ ସଙ୍ଗେସଙ୍ଗେ ଚିହ୍ନଟ କରାଯିବ ସେଥିପାଇଁ ଜିଲ୍ଲାପାଳମାନେ ପଦକ୍ଷେପ ନେବେ ।କୌଣସି ସ୍ଥାନରେ କୋଭିଡ଼ ସଂକ୍ରମଣ ଜଣାପଡ଼ିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ । ଏହାସହ ଘରକୁ ଘଣ ବୁଲି କୋଭିଡ଼ ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିବାକୁ କୁହାଯାଇଛି ।

Leave A Reply

Your email address will not be published.