Latest Odisha News

BREAKING NEWS

ଓମିକ୍ରନ ଭୟ: ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡ଼ଲାଇନ୍

ଦିଲ୍ଲୀ: ଓମିକ୍ରନ ପାଇଁ ବଢ଼ିଲା କଟକଣା । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଡ଼ିସେମ୍ବର ୧ତାରିଖରୁ ଏହି ସଂଶୋଧିତ ନିୟମ କାର୍ଯ୍ୟକାରୀ ହେବ । ନିର୍ଦ୍ଦେଶ ଅନୁଯାୟୀ, ଭାରତ ଆସିବାକୁ ଥିବା ଯାତ୍ରୀଙ୍କୁ ଯାତ୍ରା ପୂର୍ବରୁ ଏୟାର ସୁବିଧା ପୋର୍ଟାଲରେ ୧୪ଦିନର ଯାତ୍ରା ବିବରଣୀ ଏବଂ ୭୨ଘଣ୍ଟା ମଧ୍ୟରେ ହୋଇଥିବା କୋଭିଡ଼ ନେଗେଟିଭ ରିପୋର୍ଟ ଦାଖଲ କରିବାକୁ ପଡ଼ିବ ।

ଏହାସହ ୧୦ରୁ ଅଧିକ ଦେଶଙ୍କୁ ଆଟ୍ ରିସ୍କ ବା ବିପଦ ସଙ୍କୁଳ ଦେଶଭାବେ ଚିହ୍ନଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଦେଶଗୁଡ଼ିକ ମଧ୍ୟରେ ୟୁକେ ସମେତ ସମସ୍ତ ୟୁରୋପୀୟ ଦେଶ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋସୱାନା, ଚୀନ, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ଼ଲାଇନ ଅନୁସାରେ ଆଟ୍ ରିସ୍କ ମଧ୍ୟରେ ଥିବା ଦେଶ ଗୁଡ଼ିକରୁ ଯାତ୍ରୀ ଆସିବା ପରେ ଏୟାରପୋର୍ଟରେ କୋଭିଡ଼ ଟେଷ୍ଟ ହେବ । ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଏୟାରପୋର୍ଟରେ ରହିବାକୁ ପଡ଼ିବ । ରିପୋର୍ଟ ନେଗେଟିଭ୍ ଆସିଲେ ବି ଯାତ୍ରୀଙ୍କୁ ୭ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।

ନିର୍ଦ୍ଦେଶରେ କୁହାଯାଇଛି ଯେ, ଅଷ୍ଟମ ଦିନରେ ପୁନଃ କୋଭିଡ଼୍ ପରୀକ୍ଷା କରାଯିବ । ସେହି ସମୟରେ ମଧ୍ୟ ନେଗେଟିଭ୍ ଆସିଲେ ଆଉ ୭ଦିନ ସେଲ୍ଫ ମନିଟରିଂରେ ରହିବେ । ଆଟ୍ ରିସ୍କ ବ୍ୟତୀତ ଅନ୍ୟ ଦେଶରୁ ଯାତ୍ରୀଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଅନୁମତି ଦିଆଯିବ ଏବଂ ୧୪ଦିନ ଘରେ ସେଲ୍ଫ ମନିଟରିଂରେ ରହିବାକୁ ପଡ଼ିବ । ସମୁଦାୟ ବିମାନ ଯାତ୍ରୀଙ୍କ ମଧ୍ୟରୁ ୫ପ୍ରତିଶତ ଲୋକଙ୍କର ଏୟାରପୋର୍ଟରେ କୋଭିଡ଼ ଟେଷ୍ଟ ହେବ । ୫ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କରୋନା ଲକ୍ଷଣ ନଥିଲେ ଯାତ୍ରା ପୂର୍ବରୁ ଓ ପରେ କୋଭିଡ଼ ଟେଷ୍ଟର ଆବଶ୍ୟକତା ନାହିଁ ।

Leave A Reply

Your email address will not be published.