Latest Odisha News

BREAKING NEWS

୬ ସପ୍ତାହ ପରେ ରାଜ୍ୟରେ ଶହେ ଟପିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ହେଲା କରୋନା ଗ୍ରାଫ । ଜାନୁଆରୀରେ ୧୫୦ ଭିତରେ ରହୁଥିବା ଦୈନିକ ସଂକ୍ରମଣ ଫେବ୍ରୁଆରୀରେ ୧୦୦ ତଳକୁ ଖସିଥିଲା । ମାର୍ଚ୍ଚ ତୃତୀୟ ସପ୍ତାହରୁ ଦୈନିକ କରୋନା ସଂକ୍ରମଣ ପୁଣି ଥରେ ବଢ଼ିଛି । ପ୍ରାୟ ୬ ସପ୍ତାହ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ ପାର୍ କରିଛି । ଶେଷଥର ପାଇଁ ଗତ ଫେବ୍ରୁଆରୀ ୯ ତାରିଖରେ ରାଜ୍ୟରେ ୧୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ବିଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬ ହେଉଛି ସ୍ଥାନୀୟ ମାମଲା । କଟକ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ତେବେ, ଆଶ୍ୱସ୍ତିର କଥା ହେଉଛି ସଂକ୍ରମିତଙ୍କ ସଂଖ୍ୟାରେ ଆଂଶିକ ବୃଦ୍ଧି ହୋଇଥିବା ବେଳେ ବିଗତ ୨୪ ଘଣ୍ଟାରେ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ ।

ଅନୁଗୁଳରୁ ୬, ବାଲେଶ୍ୱରରୁ ୨, ବରଗଡ଼ରୁ ୪, ଭଦ୍ରକରୁ ଜଣେ, ଦେବାଗଡ଼ରୁ ୨, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୨, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ୧୫, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୨, ନୂଆପଡ଼ାରୁ ୯, ପୁରୀରୁ ୩, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୪, ସୁନ୍ଦରଗଡ଼ରୁ ୭ ଜଣ ଏବଂ ଷ୍ଟେଟ ପୁଲରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ନୂତନ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ପଜିଟିଭ୍ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୯୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୭୦୫ଟି ସକ୍ରିୟ ସଂକ୍ରମିତ ମାମଲା ଥିବାବେଳେ ୩ ଲକ୍ଷ ୩୫ ହଜାର ୯୨୩ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ କରୋନାରେ ୧ ହଜାର ୯୧୮ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.